ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଅଂଚଳରେ ବୁଧବାର ଦେବଝରଣକୁ ପିକ୍ନିକ୍ ପାଇଁ ଯାଇଥିବା ବେଳେ ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁ ହେବାର ଗୋଟିଏ ଦିନ ପରେ କେନ୍ଦୁଝର ଜିଲ୍ଲାର ଭୀମକୁଣ୍ଡ ଠାରେ ଶୁକ୍ରବାର ଜଣେ ଯୁବକ ଭାସି ଯାଇଛନ୍ତି। ପ୍ରଥମ ଦିନର ଘଟଣାରୁ ଯୁବପୀଢ଼ି କିଛି ଶିଖି ପାରି ନାହାନ୍ତି।
ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲାର ଘଟଗାଁ ଅଂଚଳର ଭୀମକୁଣ୍ଡକୁ ପିକ୍ନିକ୍ ପାଇଁ ଶୁକ୍ରବାର ଯାଇଥିବା ଜଣେ ଯୁବକ ଝରଣାରେ ଭାସି ଯାଇଛନ୍ତି। କଟକ ମଧୁପାଟଣା ସାଇ ଶିକ୍ଷାକେନ୍ଦ୍ରର ଯୁକ୍ତ ୨ ଛାତ୍ର ସେଲଫି ନେଉଥିବା ବେଳ ଦୁର୍ଘଟଣାର ଶିକାର ହୋଇଛନ୍ତି। ଆଜି କଲେଜର ୩୦ ଜଣ ଛାତ୍ର ପିକ୍ନିକ ପାଇଁ ଯାଇଥିଲେ। ଅନ୍ୟ ଛାତ୍ରମାନେ ଭୋଜୀରେ ବ୍ୟସ୍ତ ଥିବା ବେଳେ ଜଣେ ଛାତ୍ର ସେଲଫି ନେବାରେ ବ୍ୟସ୍ତ ଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ଓଡ୍ରାଫ ଟିମ୍ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳି ନଥିଲା।
ଗତ ବୁଧବାର ଦେବଝରଣରେ ମଜାମସ୍ତି କରୁଥିବା ବେଳେ ଜଣେ ଯୁବକ ଜୀବନ ହାରିଥିଲେ। ବିହାରର ଅମରେନ୍ଦ୍ର ଯାଦବ (୩୨) ସମ୍ବଲପୁରର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ କିଛି ଯୁବକଙ୍କ ସହିତ ପିକ୍ନିକ୍ କରିବାକୁ ଦେବଝରଣ ଆସିଥିଲେ।
Follow Us