ବାଲିଅନ୍ତା: ଆସନ୍ତା ଫେବ୍ରୁୟାରି ୨୩ ତାରିଖରେ ବିବାହ ତିଥି ସ୍ଥିର ହୋଇଥିଲା। ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଧୀନ ମା’ ଦକ୍ଷିଣେଶ୍ବରୀ ମନ୍ଦିରରେ ଉଭୟ ବର-କନ୍ୟା ଘର ପକ୍ଷଙ୍କ ଉପସ୍ଥିତିରେ ନିର୍ବନ୍ଧ କାର୍ଯ୍ୟ ସଂପାଦନ କରାଯାଇଥିଲା। ହେଲେ ନିର୍ବନ୍ଧ କାର୍ଯ୍ୟ ସରିବାର ମାତ୍ର ଦିନ କେଇଟା ଦିନ ପରେ ଦୁର୍ଘଟଣାରେ ପୁଅର ମୃତ୍ୟୁ ଘଟିବା ଭଳି ଏକ ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ଘଟଣାଟି ଏମିତି । ବାଳକାଟି ଫାଣ୍ଡି ଅଧୀନ ସରକଣା ଗ୍ରାମର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର କୁମାର ସାହୁଙ୍କ ବଡ଼ପୁଅ ପ୍ରଦୀପ କୁମାର ସାହୁ (୩୬)ଙ୍କର କଟକ ଜିଲ୍ଲା ଅଧୀନ ଜଗତପୁର ଥାନା ଅଞ୍ଚଳରେ ଏକ ଘରୋଇ କମ୍ପାନିରେ ଚାକିରି କରିଥିଲେ। ପ୍ରଦୀପଙ୍କର ବିବାହ ଜୟଦେବ ପଞ୍ଚାୟତ ଅଞ୍ଚଳରେ ସ୍ଥିର ହୋଇଥିଲା। ଫେବ୍ରୁୟାରି ମାସରେ ବିବାହ କାର୍ଯ୍ୟ ନେଇ ଦିନ ଧାର୍ଯ୍ୟ ହୋଇଥିଲା। ପ୍ରତିଦିନ ଭଳି ଗତକାଲି ପ୍ରଦୀପ କାମ ସାରି ଘରକୁ ଫେରୁଥିଲେ। ହେଲେ କାଠଯୋଡ଼ି ବ୍ରିଜ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ପଛରୁ ଧକ୍କା ଦେବା ଫଳରେ ପ୍ରଦୀପଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ସ୍ଥାନୀୟ ଲୋକ ପ୍ରଦୀପଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି କଟକ ବଡ଼ ହସ୍ପିଟାଲକୁ ପଠାଇଥିଲେ। ହେଲେ ଡାକ୍ତର ସେଠାରେ ପ୍ରଦୀପଙ୍କୁ ମୃତ ଘୋଷଣା କରିଥିଲେ। ଗ୍ରାମ ଶ୍ମଶାନରେ ଅନ୍ତେଷ୍ଟି କ୍ରିୟା ସଂପାଦନ କରାଯାଇଥିଲା। ଏନେଇ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
Follow Us