ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଲାଞ୍ଜିଗଡ଼-ମୁନିଗୁଡ଼ା ରାସ୍ତାର ରାଜା ପେଟ୍ରୋଲ ପମ୍ପ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ମୁକେଶ ସିକନ୍ଦର (୧୯ବର୍ଷ) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ୭ଟା ସମୟରେ ମୁକେଶ ଲାଞ୍ଜିଗଡ଼ରୁ ବାଇକ୍‌ ଯୋଗେ ଯାଉଥିଲେ। ଉକ୍ତ ପେଟ୍ରୋଲ ପମ୍ପ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ରାସ୍ତା ଉପରେ ନିଜ ବାଇକ ସହ ପଡ଼ିରହିଥିଲେ। ସେହି ରାସ୍ତା ଦେଇ ଶହ ଶହ ଲୋକ ଯାତାୟାତ କରୁଥିଲେ ମଧ୍ୟ ତାଙ୍କ ନିକଟକୁ କେହି ମଧ୍ୟ ଯାଇନଥିଲେ। ପରେ ତାଙ୍କ ସମ୍ପର୍କୀୟ ଆସି ତାଙ୍କୁ ଉଦ୍ଧାର କରିଥିଲେ।

ଖବର ପାଇ ଲାଞ୍ଜିଗଡ଼ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମୁକେଶଙ୍କୁ ପୁଲିସ ଗାଡ଼ିରେ ଲାଞ୍ଜିଗଡ଼ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଥାନା ଏସ୍‌ଆଇ ବିଳାସିନୀ ଭୋଇ ଡାକ୍ତରଖାନାରୁ ଶବ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ସମ୍ପର୍କୀୟମାନଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣା ପରେ ଦୁର୍ଘଟଣା ସ୍ଥାନ ରାସ୍ତାର ବାମପାର୍ଶ୍ଵରେ ଥିବା ପେଟ୍ରୋଲ ପମ୍ପ ଓ ଡାହାଣ ପାର୍ଶ୍ବରେ ଥିବା ଟାୟାର ପମ୍ପ ହାଉସ ପୁଲିସ ତଦନ୍ତ ଭୟରେ ବନ୍ଦ କରିଦେଇଛନ୍ତି। ସାମ୍ନାର ପେଟ୍ରୋଲ ପମ୍ପ ସିସିଟିଭି ଫୁଟେଜ ଯାଞ୍ଚ କଲେ ଅସଲ କଥା ଜଣାପଡ଼ିବ ବୋଲି ଲୋକେ କହୁଛନ୍ତି। ମୁକେଶ ରାଜସ୍ଥାନ ରାଜ୍ୟ ଯୋଧପୁର ଅଞ୍ଚଳର ଦୁଡ଼ଲି ଗାଁର ବୋଲି ଆଧାରକାର୍ଡରୁ ଜଣାପଡ଼ିଛି। ସେ କିଛିମାସ ହେଲା ଲାଞ୍ଜିଗଡ଼କୁ ତାଙ୍କ ସମ୍ପର୍କୀୟ ଭାଇମାନଙ୍କ ସହିତ ଆସି ଗାଁ ଗାଁ ବୁଲି ବରା ପକୋଡ଼ି ବିକ୍ରି କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe