ଆଇସୋଲେସନ୍‌ ୱାର୍ଡ ଆଗରେ ଯୁବକଙ୍କ ମୃତ୍ୟୁ, କୋଭିଡ୍‌ ନେଗେଟିଭ୍‌ ସତ୍ତ୍ବେ ମିଳିଲାନି ଚିକିତ୍ସା

Advertisment
ଢେଙ୍କାନାଳ ସହରରେ ଟ୍ରକ୍ ଧକ୍କାରେ ବୃଦ୍ଧା ମୃତ

deccanherald.com

ସମ୍ବଲପୁର: କୋଭିଡ୍‌ ନେଗେଟିଭ୍‌ ସତ୍ତ୍ବେ ମିଳିଲାନି ଚିକିତ୍ସା। ଅଣନିଃଶ୍ବାସୀ ହୋଇ ବୁର୍ଲା ଆଇସୋଲେସନ ୱାର୍ଡ ସମ୍ମୁଖରେ ଯୁବକଙ୍କ ପ୍ରାଣ ଚାଲିଗଲା। ଏଭଳି ଅଭାବନୀୟ ଘଟଣା ଆଜି ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିବା ସହ କୋଭିଡ୍‌ ସମୟରେ ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ସମ୍ବଲପୁର ସହରର ଯୁବ ଠିକାଦାର ରଜନୀଶ ଓଝା(୩୮)ଙ୍କ ନିଶ୍ବାସ ନେବାରେ ସମସ୍ୟା ସୃଷ୍ଟି ହେବାରୁ ତାଙ୍କୁ ସୋମବାର ସକାଳେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। କୋଭିଡ୍‌ ଆଶଙ୍କାରେ ତାଙ୍କୁ ଆଇସୋଲେସନ୍‌ ଓ୍ବାର୍ଡରେ ରଖାଯାଇ ଥିଲା। ରେପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହା ସତ୍ତ୍ବେ ତାଙ୍କୁ ସାଧାରଣ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇନଥିଲା। ରାତିସାରା ତାଙ୍କୁ ଆଇସୋଲେସନ୍‌ ୱାର୍ଡରେ ରଖାଯାଇଥିଲା।publive-image

ଆଜି ସକାଳ ୬ଟାରେ ସେ ତାଙ୍କ ଭାଇଙ୍କୁ ଫୋନ୍‌ କରି ଅଣନିଶ୍ବାସୀ ଅନୁଭବ କରୁଥିବା କହିଥିଲେ। ଶିଘ୍ର ଆସିବାକୁ ଅନୁରୋଧ କରିଥିଲେ। ଭାଇ ମଧ୍ୟ ତାଙ୍କୁ ଶୀଘ୍ର ଯାଉଛି କହି ଆଶ୍ବାସନା ଦେଇଥିଲେ। ତେବେ ତାଙ୍କ ଭାଇ ସକାଳ ପ୍ରାୟ ୯ଟା ବେଳେ ସେଠାରେ ପହଞ୍ଚିବା ବେଳକୁ ରଜନୀଶଙ୍କ ମୃତ୍ୟୁ ହୋଇସାରିଥିଲା। ତାଙ୍କ ମୃତଦେହ ସେ ପର୍ଯ୍ୟନ୍ତ ଆଇସୋଲେସନ୍‌ ୱାର୍ଡ ବାହାର ବାରଣ୍ଡାରେ ପଡ଼ିଥିଲା। ଏହାପରେ କିଛି ସ୍ବେଚ୍ଛାସେବୀ ମଧ୍ୟ ସେଠାରେ ପହଞ୍ଚିଥିଲେ। ପରେ ଡାକ୍ତର ଆସି ତାଙ୍କୁ ମୃତ ଘୋଷଣା କରିଥିଲେ। ମାତ୍ର ରଜନୀଶ କେଉଁ ପରିସ୍ଥିତିରେ ୱାର୍ଡ ବାହାରକୁ ଆସିଲେ ଓ କିପରି ତାଙ୍କର ମୃତ୍ୟୁ ହେଲା ତାହା ପ୍ରଶ୍ନବାଚୀ ହୋଇ ରହିଛି। ଏ ବିଷୟରେ ଡାକ୍ତରଖାନା କର୍ତ୍ତୃପକ୍ଷ ମୁହଁ ଖୋଲୁନାହାନ୍ତି।

ଅନୁମାନ କରାଯାଉଛି ବୋଧହୁଏ ସକାଳେ ରଜନୀଶଙ୍କୁ ବେଶି ଅଣନିଶ୍ବାସୀ ଲାଗିବାରୁ ସେ ଡାକ୍ତର କିମ୍ବା ନର୍ସ କି କାହା ସହାୟତା ମାଗିବାକୁ ବାହାରକୁ ଆସିଥିଲେ ଓ ସେଠାରେ ଅଚେତ ହୋଇ ପଡ଼ିଥିଲେ। ସେପଟେ ଆଜି ସକାଳେ ସୋସିଆଲ ମିଡିଆରେ ଏକ ଭିଡିଓ ଓ ଫଟୋ ଭାଇରାଲ ହୋଇଥିଲା। ଜଣେ ରୋଗୀ ଆଇସୋଲେସନ୍‌ ୱାର୍ଡ ବାହାରେ ଅଚେତ ହୋଇ ପଡ଼ିଥିବା ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା। ଏହି ଘଟଣାକୁ କେନ୍ଦ୍ରକରି ସହରରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଆଜି ଭିମ୍‌ସାର କର୍ତ୍ତୃପକ୍ଷ ରଜନୀଶଙ୍କ ମୃତଦେହକୁ ସମ୍ବଲପୁର ରାଜଘାଟକୁ ପଠାଇବା ପରେ ସେଠାରେ ତାଙ୍କ ଶେଷକୃତ୍ୟ ହୋଇଛି। ମାତ୍ର କୋଭିଡ୍‌ ସମୟରେ ଉଭୟ କୋଭିଡ୍‌ ଆକ୍ରାନ୍ତ ଓ ଅଣକୋଭିଡ୍‌ ରୋଗୀଙ୍କ ଚିକିତ୍ସା ଠିକ୍‌ ଭାବେ ହେଉନି ବୋଲି ବାରମ୍ବାର ଉଠୁଥିବା ଅଭିଯୋଗ ଯେ ଭିତ୍ତିହୀନ ନୁହେଁ, ତାହା ଏହି ଘଟଣାରୁ ପ୍ରମାଣିତ ହେଉଥିବା ଚର୍ଚ୍ଚା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe