ପରିବା କିଣିବାକୁ ଆସି ଘରକୁ ଫେରି ପାରିଲେନି, ନାଗାବଳୀରେ ବୁଡ଼ିଗଲେ ଯୁବକ

Advertisment
ପରିବା କିଣିବାକୁ ଆସି ଘରକୁ ଫେରି ପାରିଲେନି, ନାଗାବଳୀରେ ବୁଡ଼ିଗଲେ ଯୁବକ

ରାୟଗଡ଼ା: ପରିବା କିଣିବାକୁ ରାୟଗଡ଼ା ଆସିଥିଲେ। ରାତିରେ ଘରକୁ ଫେରିବା ସମୟରେ ନାଗାବଳୀ ନଦୀରେ ବୁଡ଼ିଗଲେ। ଆଜି ସକାଳୁ ନଦୀକୂଳରୁ ବାଇକ୍ ସହ ଭାସ୍କର ପାଲକା (୪୦)ଙ୍କ ମୃତଦେହ ଉଦ୍ଧାର ପରେ ଶେଷଖାଲ ଥାନା ପୂଜାରୀବମ୍ବୁ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ୍ ମୃତଦେହ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଗାଁ ଲୋକଙ୍କ କହିବାନୁଯାୟୀ, ମଙ୍ଗଳବାର ସଂଧ୍ୟାରେ ଭାସ୍କର ନିଜ ବାଇକ୍ ଯୋଗେ ରାୟଗଡ଼ା ସହରକୁ ପରିବା କିଣିବାକୁ ଆସିଥିଲେ। ରାତିରେ ଜିନିଷ କିଣାକିଣି ସାରି ଘରକୁ ଫେରୁଥିବା ସମୟରେ ନଦୀରେ ପାଣି ଆସିଥିବା ସଂପର୍କରେ ଭାସ୍କର ଜାଣି ପାରି ନଥିଲେ। ସବୁ ଦିନ ଭଳି ବାଇକରେ ନଦୀ ପାର ହେଉଥିବା ବେଳେ ଭାସ୍କର ବୁଡ଼ି ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଭାସ୍କର ଗାଁକୁ ନ ଫେରିବା ପରେ ପରିବାର ଲୋକ ଚିନ୍ତିତ ହୋଇ ପଡ଼ିଥିଲେ। ଆଜି ସକାଳୁ ଗାଁ ଲୋକ ନଦୀକୁ ଗାଧୋଇ ଆସିବା ସମୟରେ ଭାସ୍କରଙ୍କ ବାଇକ୍ ନଦୀକୂଳରେ ପଡିଥିବା ଦେଖି ସନ୍ଦେହ କରିଥିଲେ। ଗ୍ରାମବାସୀ ଖୋଜାଖୋଜି କରିବା ପରେ ନଦୀ ଭିତରୁ ଭାସ୍କରଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ପୂଜାରୀବମ୍ବୁ ଗାଁକୁ ଯାତାୟତ ପାଇଁ ନାଗାବଳୀ ନଦୀ ହିଁ ଏକ ମାତ୍ର ରାସ୍ତା ହୋଇଥିବା ବେଳେ ନଦୀ ଉପରେ ପୋଲ ନିର୍ମାଣ ହୋଇପାରୁନି। ଫଳରେ ଗ୍ରାମବାସୀ ଯାତାୟତ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୨୦୦୩ ମସିହାରେ ଗାଁରେ ଝାଡାବାନ୍ତି ବ୍ୟାପିଥିଲା। ଗାଁକୁ ଚିକିତ୍ସା କରିବାକୁ ଆସିଥିବା ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ମଧ୍ୟ ନଦୀରେ ବୁଡ଼ି ଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଯାତାୟାତକୁ ସୁଗମ କରିବା ପାଇଁ ନାଗାବଳୀ ନଦୀ ଉପରେ ପ‌ୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe