Image Courtesy of NDTV
ସମ୍ବଲପୁର: କାଇଁଶିରସ୍ଥିତ ମା’ ଦୁର୍ଗା ଗୋ ଗ୍ୟାସ୍ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟି ଧନୁପାଲି ଥାନା ଖଣ୍ଡୁଆଳର ସୁଶାନ୍ତ ରଣଜିତ୍(୨୭)ଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। ଏହି ମାମଲାରେ ଅଇଁଠାପାଲି ପୁଲିସ ଗ୍ୟାସ୍ ଏଜେନ୍ସିର ମାଲିକ ସୁର୍ଜିତ ମିଶ୍ରକୁ ଗିରଫ କରିଛି। କର୍ତ୍ତବ୍ୟରେ ଅବହେଳା କରିଥିବାରୁ ଏଭଳି ଏକ ଅଗ୍ନିକାଣ୍ଡ ଘଟିବା ସହ ଜଣଙ୍କର ମୃତ୍ୟୁ ହୋଇଗଲା। ସୁଶାନ୍ତଙ୍କ ବାପା ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିବା ସହ ସୁର୍ଜିତଙ୍କୁ ବୁଧବାର ଗିରଫ କରିଥିଲା।
ସୂଚନାଯୋଗ୍ୟ, ମଙ୍ଗଳବାର ସକାଳ ୮ଟା ସମୟରେ ପାଖାପାଖି ଗ୍ୟାସ୍ ଲିକେଜ୍ ହୋଇ ମା’ ଦୁର୍ଗା ଗୋ ଗ୍ୟାସ୍ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିଲା। ସେ ସମୟରେ ସେଠାରେ ସୁଶାନ୍ତ ଏକା ଥିଲେ। ନିଆଁ ଲାଗିବା ପରେ ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ସେ ଘର ଭିତରୁ ବାହାରି ପାରି ନଥିଲେ। ଅଗ୍ନିଶମ ବାହିନୀ ସୂଚନା ପାଇ କିଛି ସମୟ ପରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସୁଶାନ୍ତଙ୍କୁ ବାହାରକୁ ଆଣିଥିଲେ। ସେଠାରୁ ତୁରନ୍ତ ସୁଶାନ୍ତଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Follow Us