ବୁର୍ଲାରେ ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

ଯୁବକଙ୍କୁ ଅପହରଣ ପରେ ହତ୍ୟା

The Hans India

ବୁର୍ଲା: ଗତକାଲି ବିଳମ୍ବିତ ରାତିରେ ବୁର୍ଲା ସଦେଇପାଲି ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା  କରାଯାଇଛି। ମୃତକ ବୁର୍ଲା ବୋର୍ଡ କଲୋନିର ସୁମିତ ଷଣ୍ଢ(୨୮) ବୋଲି ଜଣାପଡ଼ିଛି। ଏହି ମାମଲାରେ ଜଣେ ନାବାଳକକୁ ପୁଲିସ ଅଟକ ରଖିଛି।

ପୁଲିସ ସୂଚନା ଅନୁଯାୟୀ, ଗତକାଲି ରାତିରେ ସଦେଇପାଲି ବିଜୁ କଲ୍ୟାଣ ମଣ୍ଡପରେ ଏକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିବାହ ଉତ୍ସବରେ ଯୋଗଦେବା ପାଇଁ ବୁର୍ଲା ବୋର୍ଡ କଲୋନିର ସୁମିତ ଷଣ୍ଢ ସେଠାକୁ ଯାଇଥିଲେ। ସୁମିତଙ୍କ ସହିତ ବୁର୍ଲାର କେତେକ ନାବାଳକଙ୍କ ପୂର୍ବରୁ ଶତ୍ରୁତା ରହିଥିଲା। ପ୍ରାୟ ଏକ ବର୍ଷ ତଳେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ସୁମିତଙ୍କୁ ୨/୩ ଜଣ ନାବାଳକ ଆକ୍ରମଣ କରିଥି‌ଲେ। ସେତେବେଳେ ଏନେଇ ବୁର୍ଲା ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ସଂପୃକ୍ତ ନାବାଳକ ଜଣକ ସୁମିତଙ୍କୁ ଜୀବନରୁ ମାରିଦେବା ପାଇଁ ପୂର୍ବରୁ ସୁଯୋଗ ଅପେକ୍ଷାରେ ଥିଲେ। ତେବେ, ଗତକାଲି ସୁମିତଙ୍କୁ ବିବାହ କାର୍ଯ୍ୟକ୍ରମରେ ଦେଖି ଅଭିଯୁକ୍ତ ଜଣକ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଏକ ଛୁରି ନେଇ ସେଠାରେ ପହଂଚି ଥିଲେ।

ସୁମିତ ଓ ସଂପୃକ୍ତ ନାବାଳକଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା ପରେ ଅଭିଯୁକ୍ତ ନାବାଳକ ଜଣକ ସୁମିତଙ୍କ ଛାତିର ବାମପାର୍ଶ୍ବରେ ଛୁରା ମାଡ଼ କରିଥିଲା। ସେହିଠାରେ ହିଁ ସୁମିତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ନାବାଳକଙ୍କୁ କାବୁକରି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚି ସୁମିତଙ୍କୁ ବୁର୍ଲା ଭିମ୍‌ସାରର ଆଶୁ ଚିକିତ୍ସା ବିଭାଗ ନେଇଥିଲା। ସେଠାରେ ସୁମିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ସଂପୃକ୍ତ ନାବାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏ ସଂକ୍ରାନ୍ତରେ ବୁର୍ଲା ଥାନା ଅଧିକାରୀ କମଳ ପଣ୍ଡା କହିଛନ୍ତି ଯେ, ଅଭିଯୁକ୍ତ ଜଣକ ନିଜକୁ ନାବାଳକ ବୋଲି କହୁଛି। ଆସନ୍ତାକାଲି ତାଙ୍କ ପ୍ରମାଣପତ୍ର ଯାଂଚ ପରେ ସେ ନାବାଳକ ନା’ ସାବାଳକ ତାହା ସ୍ପଷ୍ଟ ହେବ। ଏହା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୁର୍ଲା ଥାନା ଅଧିକାରୀ କମଳ ପଣ୍ଡା ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe