ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ

ଦୁର୍ଘଟଣାପ୍ରବଣ ହିଲ୍‌ଟପ୍‌ ଛକ ବଦଳୁନାହିଁ

ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ

ରାଉରକେଲା : ସେକ୍ଟର-୨୦ ହିଲ୍‌ଟପ୍‌ ଛକରେ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ ଧକ୍କାରେ ମୋଟରବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ସେକ୍ଟର-୧ର ସନ୍ତୋଷ ମହାନ୍ତି। ସେ ଆର୍‌ଏସ୍‌ପିରେ ଚାକିରି କରନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୁଲିସ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି। ସେକ୍ଟର-୧୯ ପୁଲିସ ଯୁବକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ଉକ୍ତ ସ୍ଥାନରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିଲେ ହେଁ ଆର୍‌ଏସ୍‌ପି କିମ୍ବା ସ୍ଥାନୀୟ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ମିଳିଥିବା ସୂଚନା ମୁତାବକ ସନ୍ତୋଷ କୋଏଲନଗରରେ ରହୁଥିବା ତାଙ୍କ ଶଳାଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଖାଇପିଇ ମୋଟରବାଇକ୍‌ରେ ସେକ୍ଟର-୧ସ୍ଥିତ ଘରକୁ ଫେରୁଥିଲେ। ରାତି ପ୍ରାୟ ସାଢ଼େ ୯ଟାରେ ଟ୍ରାଫିକ୍‌ ନିୟମ ଭାଙ୍ଗି ବିପରିତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ହିଲ୍‌ଟପ୍‌ ଛକରେ ଧକ୍କା ଦେଇଥିଲା। ମୋଟରବାଇ୍‌ ଆରୋହୀ ସନ୍ତୋଷ ମୋଟରବାଇକ୍‌ରୁ ତଳେ ପଡିଯିବା ପରେ ଟ୍ରକ୍‌ ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବେପରୁଆ ଡ୍ରାଇଭିଂକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଡ୍ରାଇଭରକୁ ଗିରଫ ଓ ଉପଯୁକ୍ତ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତାରୋକୋ କରିଥିଲେ। ସେକ୍ଟର-୧୯ ପୁଲିସ ଓ ପିସିଆର୍‌ ଟିମ୍‌ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ସେପଟେ ରାତିଅଧିଆ ପିଡିଏସ୍‌ ଚାଉଳ ପରିବହନକୁ ନେଇ କିଛି ଲୋକ ସନ୍ଦେହ ପ୍ରକାଶ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe