ବନ୍ଧୁତା ନାଁରେ ବିଷ : ମୁଣ୍ଡକୁ ଲୁହାରଡ୍‌ରେ ପିଟି ସାଙ୍ଗର ଜୀବନ ନେଲା ଯୁବକ  

Advertisment
ବନ୍ଧୁତା ନାଁରେ ବିଷ : ମୁଣ୍ଡକୁ ଲୁହାରଡ୍‌ରେ ପିଟି ସାଙ୍ଗର ଜୀବନ ନେଲା ଯୁବକ  

ସିକୋ: ନୂଆବର୍ଷରେ ନୃତ୍ୟ ପରିବେଷଣ କରିବାକୁ ଯାଇଥିଲେ ଦୁଇ ବନ୍ଧୁ। ନାଟକ ସାରି ଘରକୁ ଫେରିଥିଲେ। ଶୌଚ-ସ୍ନାନ ସାରି ପାହାନ୍ତାରୁ ଶୋଇଥିଲେ। ଶୟନ ସମୟରେ ବନ୍ଧୁତାରେ ବିଷ ଦେଇଛି ଆଉ ଜଣେ ବନ୍ଧୁ। ମୁଣ୍ଡକୁ ଲୁହା ରଡ଼୍‌ରେ ପିଟି କରିଛି ହତ୍ୟା। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ସିକୋ ଫାଣ୍ଡି ଶଗଡ଼ଭଙ୍ଗା ଗାଁରେ ଆଜି ଏଭଳି ଏକ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଶଗଡ଼ଭଙ୍ଗା ଗାଁର ଯୁବ କଳାକାର ରଶ୍ମିରଞ୍ଜନ ବଳିୟାରସିଂହ ହତ୍ୟାକାଣ୍ଡର ଶିକାର ହୋଇଥିବା ବେଳେ ଅଭିଯୁକ୍ତ ବନ୍ଧୁ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି। ସୂଚନା ପାଇ ସିକୋ ଫାଣ୍ଡି ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ନେଇ ତଦନ୍ତ ଆରମ୍ଭ କରିଛି।

ମୃତ ରଶ୍ମିରଞ୍ଜନଙ୍କ ପରିବାର ସୂଚନା ମୁତାବକ, ଏ ଘଟଣା ସକାଳ ୭ଟା ପରେ ଘଟିଛି। ରଶ୍ମିରଞ୍ଜନ ରାମ ନାଟକ, କାଳୀୟ ଦଳନ ନାଟକ ପରିବେଷଣରେ ମାହିର୍‌ ଥିଲେ। ଗତକାଲି ନୂଆବର୍ଷ ପାଇଁ ରଣପୁର ବ୍ଲକ୍‌ ଅନ୍ତର୍ଗତ ଚମ୍ପତ୍ତିପୁର ଗାଁରୁ ଡାକରା ଆସିଥିଲା। ତେଣୁ ରଶ୍ମିରଞ୍ଜନ ସେ ଗାଁକୁ ଯାଇଥିଲେ। ସାଥୀରେ ସୋମନାଥ ଲାଥ(୩୦) ନାମକ ଆଉ ଜଣେ ବନ୍ଧୁ ବି ଯାଇଥିଲେ। ସୋମନାଥଙ୍କ ଘର ପୁରୀ ଜିଲ୍ଲାରେ ବୋଲି କୁହାଯାଉଛି। ଉଭୟ ବନ୍ଧୁ ନାଟକ ସାରି ଆଜି ସକାଳୁ ସକାଳୁ ଶଗଡ଼ଭଙ୍ଗାସ୍ଥିତ ରଶ୍ମିରଞ୍ଜନଙ୍କ ଘରକୁ ଆସିଥିଲେ। ରଶ୍ମିରଞ୍ଜନଙ୍କ ଘରେ ଉଭୟ ସୋମନାଥ ଏବଂ ରଶ୍ମିରଞ୍ଜନ ନିତ୍ୟକର୍ମ ସାରିଥିଲେ। ରଶ୍ମିରଞ୍ଜନଙ୍କ ମା’ ହେଉଛନ୍ତି ଜଣେ ଆଶାକର୍ମୀ। ରାତି ଅନିଦ୍ରା ହୋଇଥିବା ପୁଅ ସକାଳୁ ସକାଳୁ ନିଜ ସାଙ୍ଗ ସାଥୀରେ ଶୋଇଥିବା ଜାଣି ନିଜ କାମରେ ଏକୁଟିଆ ଘରୁ ବାହାରକୁ ଯାଇଥିଲେ। ଘରେ ସୋମନାଥ ଏବଂ ରଶ୍ମିରଞ୍ଜନ ନିଦ୍ରାରେ ଥିଲେ।

ଅପରାହ୍‌ଣ ପ୍ରାୟ ସାଢ଼େ ୧୨ଟା ବେଳକୁ ରଶ୍ମିରଞ୍ଜନଙ୍କ ମା’ ଘରକୁ ଫେରିଲା ବେଳକୁ ଘରେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ପୁଅ ଘରେ ତାଲା ପକାଇ ବାହାରକୁ କୁଆଡ଼େ ଯାଇଥିବ ରଶ୍ମିରଞ୍ଜନଙ୍କ ମା’ ଚିନ୍ତା କରିଥିଲେ। ସବୁ ଦିନ ପରି ଘରର ଚାବି ପଡ଼ୋଶୀଙ୍କୁ କାଳେ ଦେଇଥିବ ବୋଲି ବିଚାର କରି ରଶ୍ମିରଞ୍ଜନଙ୍କ ମା’ ପଡ଼ୋଶୀଙ୍କୁ ପଚରା ଉଚରା କରିଥିଲେ। କିନ୍ତୁ, ପୁଅକୁ ସକାଳୁ କେହି ଦେଖି ନାହାନ୍ତି ବୋଲି ପଡ଼ୋଶୀମାନେ କହିଥିଲେ।

ଏହାକୁ ନେଇ ରଶ୍ମିରଞ୍ଜନଙ୍କ ମା’ଙ୍କର ସନ୍ଦେହ ହୋଇଥିଲା। ବାଧ୍ୟ ହୋଇ ସେ ଘରର ତାଲା ଭାଙ୍ଗିଲା ବେଳକୁ ପୁଅର ରକ୍ତ ଜୁଡ଼ୁବୁଡ଼ୁ ଶବ ଘରେ ପଡ଼ିଥିଲା। ଘଟଣାସ୍ଥଳରୁ ସୋମନାଥ କୁଆଡ଼େ ଫେରାର୍‌ ହୋଇଯାଇଥିଲା। ପୁଅର ମୁଣ୍ଡକୁ ଏକ ଲୁହା ରଡ଼୍‌ରେ ଶକ୍ତ ପ୍ରହାର କରାଯାଇଛି। ହତ୍ୟା କରିବା ପରେ ବାହାରୁ ତାଲା ଦେଇ ରଶ୍ମିରଞ୍ଜନଙ୍କ ବନ୍ଧୁ ପଳାୟନ କରିଥିବା ସନ୍ଦେହ କରାଯାଉଛି। ସୂଚନା ପାଇ ସିକୋ ଫାଣ୍ଡି ଅଧିକାରୀ ବ୍ରହ୍ମାନନ୍ଦ ସ୍ବାଇଁ ସାଇଣ୍ଟିଫିକ୍‌ ଟିମ୍‌ ନେଇ ଘଟଣାର ତନାଘନା ଆରମ୍ଭ କରିଛନ୍ତି। ଏହା ଏକ ହତ୍ୟାକାଣ୍ଡ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ସ୍ବାଇଁ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe