ଅଭାବର କରୁଣ ପରିଣତି : ଦେହରେ ନିଆଁ ଲଗାଇ ଜୀବନ ହାରିଲେ ଯୁବକ

Advertisment
ମହଙ୍ଗା ପଡ଼ିଲା ବିଦ୍ୟୁତ୍ ଗ୍ରିଡରୁ ଚୋରି: ପୋଡ଼ିଗଲେ ଦୁଇ ଯୁବକ, ବର୍ତ୍ତିଗଲେ ଛଅ

Samaja Live English

ଦଶରଥପୁର : କରୋନା କଟକଣାର କରୁଣ ପରିଣତି ଆଜି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକରେ। ଦୀର୍ଘ ୪ ମାସ ହେବ ଅଭାବ ଓ ଅଶାନ୍ତିରେ ପେଷି ହୋଇ ଜଣେ ଯୁବ ଅଟୋ ଚାଳକ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରି ଦେଇଛନ୍ତି। ମୃତ ଯୁବକ ମଙ୍ଗଳପୁର ଥାନା ଦଶରଥପୁର ଗ୍ରାମର ଶଙ୍କର୍ଷଣ ସାହୁ ଓରଫ ଶଙ୍କର(୨୧)।

ଶଙ୍କର୍ଷ ପ୍ରାୟ ୮ମାସ ପୂର୍ବେ ଋଣ କରି ଏକ ଅଟୋ କିଣି ଚଳାଉଥିଲେ। ଅଟୋ କିଣିବାର ୪-୫ ମାସ ନଯାଉଣୁ ଲକ୍‌ଡାଉନ୍‌ ଜାରି ହୋଇଗଲା। ଫଳରେ ତାଙ୍କ ବେପାର ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଅନ୍ୟପଟେ ଫାଇନାନ୍ସ ସଂସ୍ଥା ପକ୍ଷରୁ କିସ୍ତି ଅର୍ଥ ଦେବାକୁ ବାରମ୍ବାର ତାଗିଦ୍‌ କରାଯାଉଥିଲା। ରୋଜଗାର ନଥିବାରୁ ଘର ଚଳିବାରେ ଅସୁବିଧା ହେଉଥିଲା। ଏହାକୁ ନେଇ ଘରେ ଅଶାନ୍ତି ଲାଗି ରହିଥିଲା। ତାଙ୍କ ଛଡ଼ା ପରିବାରରେ ଆଉ କେହି ରୋଜଗାରିଆ ବ୍ୟକ୍ତି ମଧ୍ୟ ନାହାନ୍ତି। ବାପା ଅନନ୍ତ ସାହୁ ପାରିବାରିକ କାରଣରୁ ୫-୬ ବର୍ଷ ହେବ ଅଲଗା ରହୁଛନ୍ତି। ଘର ଚଳାଇବାକୁ ତାଙ୍କ ମା’ କନକଲତା ପରଘରେ ପାଇଟି କରିଥାନ୍ତି।

ଅନ୍ୟପକ୍ଷରେ, ବର୍ଷକ ତଳେ ଶଙ୍କର୍ଷଣ ବଣିଆପାଟଣା ଗାଁରୁ ବିବାହ କରିଥିଲାବେଳେ ତାଙ୍କ ପତ୍ନୀ ଏବେ ଅନ୍ତଃସତ୍ତ୍ବା ଅଛନ୍ତି। ଗୋଟିଏ ପଟେ ଋଣ କିସ୍ତି ଦେବାକୁ ଚାପ ଓ ଅନ୍ୟପଟେ ଘର ଚଳାଇବାରେ କଷ୍ଟ ଯୋଗୁଁ ପାରିବାରିକ ଅଶାନ୍ତି ବଢ଼ିଚାଲିଥିଲା। ଘରେ ସବୁବେଳେ କଳହ ଲାଗି ରହୁଥିଲା। ଏଥିନେଇ ଶଙ୍କର୍ଷଣଙ୍କ ଶାଶୂ ଜ୍ବାଇଁ ନାଁରେ ଝିଅକୁ ମାରଧର କରୁଥିବା ସଂକ୍ରାନ୍ତରେ ଝୁମ୍ପରୀ ଫାଣ୍ଡରେ ଏକ ଅଭିଯୋଗ କରିଥିଲେ।

publive-image

ଆଜି ଶଙ୍କରଙ୍କୁ ଡାକିବାକୁ ୨ ଜଣ କନେଷ୍ଟବଳ ଯାଇଥିଲେ। ସେମାନଙ୍କ ସହ କଥାବାର୍ତ୍ତା ହେବାର କିଛି ସମୟ ପରେ ଶଙ୍କର୍ଷଣ ଅନ୍ୟ ଏକ ଘରକୁ ଯାଇ ନିଜ ଦେହରେ କିରାସିନି ଢାଳିହୋଇ ନିଆଁ ଲଗାଇ ଦେଇଥିଲେ। ସେ ହୁତ୍‌ହୁତ୍‌ ହୋଇ ଜଳିବା ସହ ତାଙ୍କ ଚାଳଛପର ଘରେ ମଧ୍ୟ ନିଆଁ ଲାଗି ଯାଇଥିଲା। ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଥିଲା। ସ୍ଥାନୀୟ ଲୋକ, ଉପସ୍ଥିତ ପୁଲିସ ଓ ଦଶରଥପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିଶମ ବାହିନୀ ଶଙ୍କରଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଉଥିଲା। ନେବା ବାଟରେ ଚଣ୍ଡିଖୋଲ ନିକଟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି।

ଏ ଘଟଣାର ତଦନ୍ତ କରାଯିବ ବୋଲି ଝୁମ୍ପୁରୀ ଫାଣ୍ଡି ଅଧିକାରୀ ବିଜୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe