୩୦୦୦ ଟଙ୍କା ଦେଇ ସଙ୍ଗରୋଧ କେନ୍ଦ୍ରରୁ ଛାଡ଼ ପାଇଲେ ଯୁବକ, ଟଙ୍କା ନ ଦେଲେ କରୋନା ସଂକ୍ରମିତ ବୋଲି ଘୋଷଣା କରିବାକୁ ଧମକ

Advertisment
ସଂଗରୋଧ କେନ୍ଦ୍ରରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ

ନାଚୁଣୀ : ଚିଲିକା ବ୍ଲକ୍‌ ଜରିପଡ଼ା ପଞ୍ଚାୟତ କାଳୁପଡ଼ା ଦାଶରଥି ମଧ୍ୟ ଇଂରାଜି ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଜଣେ ବିଦେଶ ଫେରନ୍ତା ଅନ୍ତେବାସୀଙ୍କୁ ଟଙ୍କା ମଗାଯିବା ଘଟଣାର ଭିଡିଓ ଭାଇରାଲ୍‌ ହୋଇଛି। ପରେ ଏହାର ତଦନ୍ତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାରୁ ପ୍ରକାଶ, ଗତ ଜୁଲାଇ ୧୦ ତାରିଖରେ ସ୍ଥାନୀୟ ଜରିପଡ଼ାର ଜଗନ୍ନାଥପୁର ସାହିର ମନୋଜ ବେହେରା (୨୮ ବର୍ଷ) ନାମକ ଜଣେ ଯୁବକ ଓମାନରୁ ଫେରି ଜରିପଡ଼ା ପଞ୍ଚାୟତର ଏହି ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀଭାବେ ମୋଟ ୧୬ ଦିନ ରହିଥିଲେ। ଗତ ୨୨ ତାରିଖରେ ତାଙ୍କର ଏଠାରେ ରହଣୀ ଅବଧି ସରିଥିଲା।

publive-image Noticieros Televisa

ଏହି ସଙ୍ଗରୋଧ କେନ୍ଦ୍ରରୁ ବିଦାୟ ନେବା ବେଳେ ତାଙ୍କୁ ପିଇଓ ଅଜୟ କୁମାର ରାୟଗୁରୁ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ମୋଟ ୧୬ ଦିନର ରହଣୀ ବାବଦରେ ଦେୟ ମାଗିଥିଲେ। ଦିନକୁ ୧୨୦ ଟଙ୍କା ହିସାବରେ ମୋଟ ୧୬ ଦିନର ଦେୟ ତଥା ସଙ୍ଗରୋଧ କେନ୍ଦ୍ରରେ ବାଲଟି, ଶେଯ,ପଟି ଇତ୍ୟାଦି ବ୍ୟବହାର ପାଇଁ ଅଲଗା ହଜାରେ ଟଙ୍କାକୁ ମିଶାଇ ମୋଟ ୩ ହଜାର ୨ଶହ ଟଙ୍କା ନଦେଲେ ତାଙ୍କୁ ଛଡ଼ାଯିବନାହିଁ ବୋଲି ପିଇଓ ଶ୍ରୀ ରାୟଗୁରୁ କୁଆଡେ ରୋକଠୋକ୍‌ ଶୁଣାଇ ଦେଇଥିଲେ। ଏପରି ଅର୍ଥ ଦାବି ବେଆଇନ ବୋଲି ମନୋଜ ପିଇଓଙ୍କୁ ଅବଗତ କରିବା ସତ୍ତ୍ବେ ସେ କୌଣସି କଥା ଶୁଣି ନଥିଲେ। ଓଲଟି ତାଙ୍କର ଦାବି ଅର୍ଥ ପ୍ରଦାନ ନକଲେ ତାଙ୍କୁ କରୋନା ପଜିଟିଭ୍‌ କରାଇ ହଇରାଣରେ ପକାଇବେ ବୋଲି ଧମକ ଦେଇଥିଲେ ବୋଲି ମନୋଜ ଅଭିଯୋଗ କରିଛନ୍ତି। ତେବେ ସେ ପିଇଓଙ୍କୁ ମୋଟ ୩ ହଜାର ଟଙ୍କା ଦେବା ପରେ ଛାଡ଼ ପାଇଥିଲେ ବୋଲି ମନୋଜ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିବା ସହ ଏହାର ବିଧିବଦ୍ଧ ତଦନ୍ତ ଦାବି କରିଛନ୍ତି।

ଏ ନେଇ ପିଇଓ ଶ୍ରୀ ରାୟଗୁରୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି। ତେଣୁ ଏ ସମ୍ପର୍କରେ ସେ ଗଣମାଧ୍ୟମକୁ କିଛି କହିବେ ନାହିଁ। ଘଟଣା ଜିଲ୍ଲା ପ୍ରଶାସନ ଦୃଷ୍ଟିକୁ ଆସିବା ପରେ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୋଦ କୁମାର ସାହୁ ଏହି ଘଟଣାର ତଦନ୍ତ କରିବାକୁ ଜରିପଡ଼ା ଆସି ଫେରିଯାଇଛନ୍ତି। ତଦନ୍ତକାରୀ ଅଧିକାରୀ ଅଭିଯୋଗକାରୀ ମନୋଜ , ପିଇଓ ଶ୍ରୀ ରାୟଗୁରୁ , ଚିଲିକା ବିଡିଓ ସୁଷମା ବାରିକଙ୍କ ସହ ଆଲୋଚନା କରିଛନ୍ତି। ତଦନ୍ତକାରୀ ଅଧିକାରୀ ଶ୍ରୀ ସାହୁ ଏ ସମ୍ପର୍କିତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। କରୋନା କାଳରେ ଏହି ଘଟଣା ସାଧାରଣରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe