ବାଲେଶ୍ବର: ଜମିଜମା ବିବାଦକୁ ନେଇବାଲେଶ୍ବର ସଦର ଥାନା ଅନ୍ତର୍ଗତ ତେଲଗଡ଼ିଆ ଗାଁରେ ଘଟିଛି ଅମାନବୀୟ ଘଟଣା। ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ସହ ଦଉଡ଼ିରେ ବାନ୍ଧି ଗାଁଦାଣ୍ଡରେ ଘୋଷାରିବା ପରେ ସ୍ଥାନୀୟ ପରିଖି ଫାଣ୍ଡି ସମ୍ମୁଖରେ ଫିଙ୍ଗିଦେଲେ। ଏହି ଘଟଣା ୩ ଦିନ ତଳେ ଘଟିଥିଲା। ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ଘୂରି ବୁଲିବା ପରେ ଆଜି ଲୋକଲୋଚନକୁ ଆସିଛି। ଏହି ସମ୍ବେଦନଶୀଳ ଘଟଣାରେ ପୁଲିସର ସମ୍ବେଦନହୀନତା ଅନେକ ପ୍ରଶ୍ନ ଠିଆ କରିଛି।
Indigo Flight Disruption : ଇଣ୍ଡିଗୋ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ସରକାର
ଫାଣ୍ଡି ସାମନାରେ ଫିଙ୍ଗିଦେଲେ
ଚୁପ୍ ବସିଛି ପୁଲିସ, କାର୍ଯ୍ୟାନୁଷ୍ଠାନ ଶୂନ
ସୂଚନା ମୁତବାକ, ଜମିଜମା ବିବାଦକୁ ନେଇ ଗତ ୩ ତାରିଖରେ କେତେକ ଯୁବକ ତେଲଗଡ଼ିଆଗ୍ରାମର ଦେବାଶିଷ ହାତୀଙ୍କୁ ଠେଙ୍ଗା ଓ କୋଦାଳ ବେଣ୍ଟରେ ନିର୍ମମ ଭାବରେ ପିଟିଥିଲେ। ନିସ୍ତୁକ ମାଡ଼ ଖାଇବା ପରେ ସେ ଅଚେତ ହୋଇ ଯାଇଥିଲେ। ପରେ ତାଙ୍କୁ ଦଉଡ଼ିରେ ବାନ୍ଧି ଗାଁ ଦାଣ୍ଡରେ ଘୋଷାରି ଘୋଷାରି ନେଇ ପରିଖି ଫାଣ୍ଡି ସମ୍ମୁଖରେ ଫୋପାଡ଼ି ଦେଇ ପଳାଇ ଯାଇଥିଲେ। ଏହି ସମୟରେ ଦେବାଶିଷଙ୍କ ପତ୍ନୀ ଶେଫାଳି ପ୍ରତିରୋଧ କରିବାକୁ ଚେଷ୍ଟା କରିଥିବା ବେଳେ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଛାଡ଼ି ନଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ଅସଦାଚରଣ କରିବା ସହିତ ମାଡ଼ ମାରିଥିଲେ। ପତ୍ନୀ ଶେଫାଳି ଏନେଇ ଫାଣ୍ଡିରେ ପହଞ୍ଚି ଘଟଣା ସଂପର୍କରେ ଜଣାଇଥିଲେ ମଧ୍ୟ ପୁଲିସ ନିରବ ରହିଥିଲା। ଏହାପରେ ସେ ଦେବାଶିଷଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏନେଇ ଗତ ୫ ତାରିଖରେ ଶେଫାଳି ସଦର ଥାନାରେ ଏତଲା ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍ ବସିଛି। ଏନେଇ ଏସ୍ପି ପ୍ରତ୍ୟୁଷ ଦିବାକରଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯାଇ ଖୁବ୍ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
Follow Us