ଟଙ୍କା ଡବଲ କରିଦେବା ନାଁରେ ଠକେଇ : ବନ୍ଧୁକ ଦେଖାଇ ଯୁବକଙ୍କୁ ଅପହରଣ, କୁମ୍ଭୀର ଭର୍ତ୍ତି ନଦୀକୁ ଫିଙ୍ଗି ଦେଇଥା’ନ୍ତେ

Advertisment
ଟଙ୍କା ଡବଲ କରିଦେବା ନାଁରେ ଠକେଇ : ବନ୍ଧୁକ ଦେଖାଇ ଯୁବକଙ୍କୁ ଅପହରଣ, କୁମ୍ଭୀର ଭର୍ତ୍ତି ନଦୀକୁ ଫିଙ୍ଗି ଦେଇଥା’ନ୍ତେ

ରାଜନଗର : ଟଙ୍କା ଡବଲ କରିଦେବାକୁ କହି ଲୋକମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣେ ଯୁବକଙ୍କୁ ଅପହରଣ ଉଦ୍ୟମ ପଣ୍ଡ ହୋଇଛି। ସୁପାରିକିଲର ମାଧ୍ୟମରେ ସଂପୃକ୍ତ ଯୁବକଙ୍କୁ ଗାଁ ରାସ୍ତାରୁ ହାତ, ଗୋଡ ବାନ୍ଧି କାର ଭିତରେ ଉଠାଇ ନେଇ କୁମ୍ଭୀର ସାଲୁବାଲୁ ନଈରେ ଫିଙ୍ଗି ଦେବାକୁ ଯୋଜନା କରାଯାଇଥିବାବେଳେ ତାହା ଫସର ଫାଟିଛି। ଖମାରସାହି ପଂଚାୟତର କିଛି ଯୁବକ ଅପହୃତଙ୍କୁ ଉଦ୍ଧାର କରିଛନ୍ତି। ଏହି ଯୁବକମାନେ ୪ ଅପହରଣକାରୀଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ଏଭଳି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ଗତକାଲି ରାତିରେ ଆଳି ପଦ୍ମପୁରର ସମସାଦ ଖାଁ (୨୨), ସେକ ନାଜିର ଅଲ୍ଲୀ (୪୭), ରସୁଲପୁର ଗାଁର ବୁଟୁ ଖାଁ (୩୪), ପଟ୍ଟାମୁଣ୍ତାଇ ପୋଖରୀଆପଡ଼ାର ଫଏଜୁଲ ଖାଁ (୪୧) ହୋଣ୍ତା କାର(ଏପି ୯-ବିଏ ୩୨୧୩)ରେ ଆସି ତାଳଚୁଆ ସାମୂଦ୍ରିକ ଥାନା ପଟ୍ଟାପାରିଆ ଗାଁର ରଜନୀକାନ୍ତ ଗିରିଙ୍କୁ ଅପହରଣ କରି ନେଇଥିଲେ। ଅମାନୁଷିକ ଭାବେ ଗାଡିରେ ତାଙ୍କ ବେକ ଉପରେ ଗୋଡ ରଖି ୪ଜଣ ଯୁବକ ତାଙ୍କୁ ନେଇ ଯାଇଥିଲେ। ବାଟରେ ଥିବା କୁମ୍ଭୀର ସାଲୁବାଲୁ ଖୋଳା ନଈରେ ତାଙ୍କୁ ଫିଙ୍ଗି ଦେବା ପାଇଁ ଯୋଜନା କରିଥିଲେ।

ମାତ୍ର କୌଣସି ସୂତ୍ରରୁ ଏ ସମ୍ପର୍କରେ ସୂଚନା ପାଇ ଖମାରସାହିର ବିଜୁ ଯୁବବାହିନୀ, ରାହା ଫାଉଣ୍ଡେସନ, ଜଣେ ହୋମଗାର୍ଡ ଓ ଜଣେ ଫରେଷ୍ଟଗାର୍ଡ ନଳିତାପାଟିଆ ଛକରେ ରାସ୍ତା ଅବରୋଧ କରିଦେଇଥିଲେ। ଅପହରଣକାରୀଙ୍କ ଗାଡ଼ି ସେଠାରେ ପହଞ୍ଚିବା ପରେ ସେମାନେ କୌଶଳ କ୍ରମେ ରଜନୀକାନ୍ତଙ୍କୁ ଉଦ୍ଧାର କରିଥିଲେ।

ତାଳଚୁଆ ସାମୂଦ୍ରିକ ଥାନାରେ ୩୬୬ (ଏ), ୩୯୪ ଓ ୨୫ ଆର୍ମସ ଆକ୍ଟରେ ମାମଲା ରୁଜୁ ହୋଇଛି। ପୁଲିସ ଅପହରଣକାରୀଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଛୁରି, ୪ଟି ଖଣ୍ତା, ଦୁଇଟି କୋଦାଳ ବେଂଟ, ଦୁଇ ପ୍ୟାକେଟ ଲଙ୍କାଗୁଣ୍ତ ଓ ସେଲୋଟେପ୍‌ ଜବତ କରିଛି। ଅପହରଣକାରୀ ବ୍ୟବହାର କରିଥିବା କାର୍‌କୁ ଜବତ କରାଯାଇଛି। ଆସନ୍ତାକାଲି ଅପହରଣକାରୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ତାଳଚୁଆ ସାମୂଦ୍ରିକ ଥାନା ଆଇଆଇସି ଶ୍ରୀକାନ୍ତ କୁମାର ବାରିକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe