ପିଲା ଓ ବୃଦ୍ଧବୃଦ୍ଧାଙ୍କ ଗହଣ‌ରେ ଜନ୍ମଦିନ ପାଳିଲେ ଯୁବ ସମାଜସେବୀ

Advertisment
ପିଲା ଓ ବୃଦ୍ଧବୃଦ୍ଧାଙ୍କ ଗହଣ‌ରେ ଜନ୍ମଦିନ ପାଳିଲେ ଯୁବ ସମାଜସେବୀ

ଘୁ.ଉଦୟଗିରି : ଜନ୍ମଦିନକୁ କିଏ କେକ୍ କାଟି ତ, ଆଉ କିଏ ସାଙ୍ଗସାଥୀଙ୍କ ଗହଣରେ ପାଳନ କରନ୍ତି। ଏପରିକି ସାମୂହିକ ଭୋଜି ଆୟୋଜନ କରାଯାଏ। କିନ୍ତୁ ସମାଜରେ ‌ଏଭଳି ବି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ଅସହାୟଙ୍କ ଗହଣରେ ଖୁସି ବାଣ୍ଟି ନିଜ ଜୀବନକୁ ସାର୍ଥକ କରୁଛନ୍ତି। ଏମିତି ଜଣେ ନିଆରା ଯୁବକ ହେଉଛନ୍ତି, କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍ ରଟିଙ୍ଗିଆ ପଞ୍ଚାୟତ ସାରଙ୍ଗଧରପୁର ଗ୍ରାମର ଯୁବ ସମାଜସେବୀ ହୃଷିକେଶ ପ୍ରଧାନ(୩୦)। ନିଜ ଜନ୍ମଦିନକୁ ଅସହାୟ ବୃଦ୍ଧବୃଦ୍ଧା ଓ କୁନି ପିଲାଙ୍କ ଗହଣରେ ନିଆରା ଢଙ୍ଗରେ ପାଳିଛନ୍ତି। ରଟିଙ୍ଗିଆ, ଝିମାଙ୍ଗିଆ, ଧାଙ୍ଗଡ଼ାମାହା ଓ ଡଡ଼ାପଡ଼ା ଗ୍ରାମର ୭ଜଣ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରିବା ସହ ୩୪ ଜଣ କୁନି ପିଲାଙ୍କୁ ଖାତା, ପେନ୍, ପେନସିଲ୍ ଓ ମିଠା ବଣ୍ଟନ କରିଛନ୍ତି। ନିଜ ଜନ୍ମଦିନରେ କିଛି ଅସହାୟ ବୃଦ୍ଧବୃଦ୍ଧା ଓ କୁନି ପିଲାଙ୍କ ଓଠରେ ହସ ଖେଳାଇ ପାରିଥିବାରୁ ସେ ବହୁତ୍ ଖୁସି ଥିବା ସହ ଆତ୍ମସନ୍ତୋଷ ଲାଭ କରିଛନ୍ତି ବୋଲି ହୃଷିକେଶ କହିଛନ୍ତି।

ହୃଷିକେଶ ବର୍ତ୍ତମାନ କନ୍ଧମାଳ ‘ଅନ୍ତରଙ୍ଗ’ ଅନୁଷ୍ଠାନର ଜିଲ୍ଲା ସଂପାଦକ ଅଛନ୍ତି। ତାଙ୍କର ସମାଜସେବା ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଅଛନ୍ତି। ବାପା ସିଦ୍ଧେଶ୍ବର ପ୍ରଧାନ ଜଣେ ଚାଷୀ ଓ ମା’ କାନ୍ତିରାଣୀ ଜଣେ ଗୃହିଣୀ। ଯୁକ୍ତ ଦୁଇ ପାଠପଢ଼ା ସାରି ହୃଷିକେଶ ବର୍ତ୍ତମାନ ନିଜକୁ ସମାଜସେବାରେ ନିୟୋଜିତ କରିଛନ୍ତି। ଏହାସହ ବାପାଙ୍କୁ ମଧ୍ୟ ଚାଷ କାମରେ ସାହାଯ୍ୟ କରିଆସୁଛନ୍ତି। ବର୍ତ୍ତମାନ ସମୟରେ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ବନ୍ଦ ହେଇଥିବାରୁ କିଛି ପିଲାଙ୍କୁ ହୃଷିକେଶ ମାଗଣାରେ ଟ୍ୟୁସନ୍ କରୁଛନ୍ତି। ଫଳରେ ଚଳିତବର୍ଷ ସେ ପିଲାଙ୍କ ଗହଣରେ ଜନ୍ମଦିନ ପାଳନ କରିବାକୁ ମନସ୍ଥ କରିଥିଲେ। ସେହିପରି ବର୍ତ୍ତମାନ କନ୍ଧମାଳରେ ଶୀତର ପ୍ରକୋପ ଯୋଗୁଁ ଅନେକ ଅସହାୟ ବୃଦ୍ଧବୃଦ୍ଧା ଅସୁବିଧା ଭୋଗୁଛନ୍ତି। ସେମାନଙ୍କୁ ଜନ୍ମଦିନରେ କମ୍ବଳ ବାଣ୍ଟି ଆତ୍ମସନ୍ତୋଷ ଲାଭ କରିଥିବା ହୃଷିକେଶ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe