ଟ୍ରେନ୍‌ ଆଗକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଘଟଣା: ଆପ୍‌ ନେତା ଆନନ୍ଦ ସାମଲଙ୍କୁ ଦାୟୀ କଲେ ପରିବାର ଲୋକ

Advertisment
ଟ୍ରେନ୍‌ ଆଗକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଘଟଣା: ଆପ୍‌ ନେତା ଆନନ୍ଦ ସାମଲଙ୍କୁ ଦାୟୀ କଲେ ପରିବାର ଲୋକ

ରେଢ଼ାଖୋଲ : ମମିତା ମେହେର ହତ୍ୟା ଘଟଣାକୁ ରାଜ୍ୟରେ ବିରୋଧୀ ଦଳର ବିକ୍ଷୋଭ ଓ ପ୍ରତିବାଦ ଜାରି ରହିଥିବାବେଳେ ଟ୍ରେନ୍‌ ଆଗକୁ ଡେଇଁ ଜଣେ ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ ଆଉ ଜଣେ ରାଜନେତାଙ୍କ ସଂପୃକ୍ତି ନେଇ ଅଭିଯୋଗ ସାମ୍ନାକୁ ଆସିଲାଣି। ଏହି ଘଟଣାରେ ସଂପୃକ୍ତ ରାଜନେତାଙ୍କ ନାଁରେ ଥାନାରେ ଅଭିଯୋଗ ମଧ୍ୟ ହୋଇଛି। ସେ ହେଲେ ଆମ୍‌ ଆଦ୍‌ମୀ ପାର୍ଟିର ସମ୍ବଲପୁର ଜିଲ୍ଲା ସଂଯୋଜକ ଏବଂ ୨୦୧୪ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ପ୍ରାର୍ଥୀଭାବେ ନିର୍ବାଚନ ମଧ୍ୟ ଲଢ଼ିଥିଲେ।

ଅଭିଯୋଗ ଅନୁଯାୟୀ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଳ ଷ୍ଟେସନ୍‌ରେ ଜଣେ ଯୁବତୀ ୧୩ ତାରିଖରେ ପ୍ରେମ ଓ ପ୍ରତାରଣାରର ଶିକାର ହୋଇ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିଥିବା ଯୁବତୀ ହେଲେ ଚାରମାଳ ଥାନା କରଡ଼ାପାଳ ଗ୍ରାମର ରଂଜିତା ଧଳ (୨୪)। ସମ୍ବଲପୁର ଜିଆରପି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏହାର ତଦନ୍ତ ଚଳାଇଥିଲା। ତେବେ ରଂଜିତାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ଅଭିଯୋଗ ଆଣିବା ପରେ ଏହି ଘଟଣା ଭିନ୍ନ ମୋଡ଼ ନେଇଛି। ପରିବାର ଲୋକ ଆପ୍‌ ନେତା ଆନନ୍ଦ ସାମଲ (୩୮)ଙ୍କୁ ସଧାସଳଖ ଦାୟୀ କରିଛନ୍ତି। ଯୁବତୀଙ୍କ ଭାଇ ରବୁନ ଧଳ (୨୬) ଏ ନେଇ ଚାରମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ଆନନ୍ଦଙ୍କ ସହିତ ତାଙ୍କ ପରିବାରର ପରିଚୟ ରହିଥିଲା। ସେ ତାଙ୍କ ଘରକୁ ପ୍ରାୟ ସମୟରେ ଯିବା ଆସିବା କରନ୍ତି। ଦିନେ ଆନନ୍ଦ ତାଙ୍କ ଘରକୁ ଆସି ରଂଜିତାର ପାଠ ପଢ଼ାପଢ଼ି ସରିବା ପରେ ଘରେ କାହିଁକି ରଖିଛ ବୋଲି କହିଥିଲେ। ତାକୁ ତାଙ୍କ ସହିତ ଛାଡ଼ିଲେ ସେ ତାଙ୍କ ପାଖରେ ରହି କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିବ ବୋଲି କହିଥିଲେ। ପରେ ତାକୁ ଚାକିରି କରେଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ପରିବାର ଲୋକ ଆନନ୍ଦଙ୍କ କଥାରେ ବିଶ୍ବାସ କରି ରଂଜିତାଙ୍କୁ ଆନନ୍ଦଙ୍କ ସହିତ ଛାଡ଼ି ଦେଇଥିଲେ। କମ୍ପ୍ୟୁଟର ଶିକ୍ଷା ପରେ ଝିଅ ଚାକିରି କରିବ ବୋଲି ପରିବାର ଲୋକ ଆଶା ରଖିଥିଲେ। ଏପରିକି ରଂଜିତାଙ୍କୁ ସମ୍ବଲପୁରର ଏକ ଚକ୍ଷୁ ଚିକିତ୍ସାଳୟରେ କାମ ଠିକ କରିଦେଇ ଥିଲେ। ଏହା ମଧ୍ୟରେ ରଂଜିତାଙ୍କ ସହିତ ବିବାହିତ ଆନନ୍ଦଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ସ୍ତ୍ରୀଙ୍କ ଅନୁପସ୍ଥିତିରେ ଆନନ୍ଦ ରଜିଂତାଙ୍କ ସହିତ ସମ୍ବଲପୁରରେ ରହୁଥିଲେ। ରବୁନଙ୍କ ଅଭିଯୋଗ ଅନୁଯାୟୀ ଆନନ୍ଦ ଭଉଣୀକୁ ସମ୍ବଲପୁର ଡକାଇ ବଳପୂର୍ବକ ଶାରୀରିକ ସଂର୍ପକ ରଖୁଥିଲେ। ଏପରିକି ତାଙ୍କ ଭଉଣୀକୁ ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ। ତାଙ୍କର ଛୁଆ ପିଲା ନଥିବାରୁ ସେ ରଂଜିତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖୁଥିଲେ। ରଂଜିତା ବିବାହ ପାଇଁ ଚାପ ପକାଇବାରୁ ଆନନ୍ଦ ପରେ ଆଉ ଧରାଛୁଆଁ ଦେଇ ନଥିଲେ। ଓଲଟି ତାଙ୍କୁ ଧମକ ଚମକ ଦେଉଥିଲେ ବୋଲି ରବୁନ୍‌ ଅଭିଯୋଗରେ ଦର୍ଶାଇଛନ୍ତି। ଏହି କାରଣରୁ ଭଉଣୀ ରଂଜିତା ମାନସିକ ଭାରସାମ୍ୟ ହରାଇ ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ବୋଲି ଭାଇ ରବୁନ ଅଭିଯୋଗ କରିଛନ୍ତି।

ରବୁନଙ୍କ ଆହୁରି ସାଂଘାତିକ ଅଭିଯୋଗ ଆଣି କହଛନ୍ତି, ଆତ୍ମହତ୍ୟା କରିବା ପୂର୍ବରୁ ରଂଜିତା ରେଳଧାରଣା ପାଖରେ ଠିଆ ହୋଇ ତାଙ୍କୁ ଫୋନ୍‌ କରିଥିଲେ। ଏହି ବିଷୟରେ କହୁଥିବା ବେଳେ ଟ୍ରେନ୍‌ ଆସିବାରୁ ତାଙ୍କୁ କିଛି ଶୁଣାଯାଇନଥିଲା। ‌ତେବେ, ଏତିକି ଶୁଣିପାରିଥିଲେ ଯେ ଶୀଘ୍ର ରେଢ଼ାଖୋଲ ଷ୍ଟେସନ୍‌ ଆସି ବ୍ୟାଗ୍‌, ଫୋନ୍‌ ଓ ସେଥିରେ ଥିବା ସୁଇସାଇଡ୍‌ ନୋଟ୍‌ ନେଇଯାଅ। ରଂଜିତାଙ୍କ ମୃତ୍ୟୁ ପରେ ଉକ୍ତ ସୁଇସାଇଡ୍‌ ନୋଟ, ଫୋନ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଚିଠିରେ ରଂଜିତା ଲେଖିଛନ୍ତି ଯେ ତାଙ୍କ ମୃତ୍ୟୁର କାରଣ ଆନନ୍ଦ ସାମଲ। ତାଙ୍କୁ ଭଲ ପାଇବାର ବାହାନା କରି ତାଙ୍କ ଚରିତ୍ର ସହିତ ଖେଳିଛନ୍ତି। ଇଚ୍ଛା ବିରୋଧରେ ଶାରୀରିକ ସଂପର୍କ ରଖିଛନ୍ତି। ବାହା ହେବାକୁ କହିବାରୁ ସେ ମରିଗଲେ ବି ତାଙ୍କୁ ବାହା ହୋଇପାରିବ ନାହିଁ ବୋଲି କହିଥିବା ସେ ଚିଠିରେ ଲେଖିଛନ୍ତି।

ରବୁନ ଏ ନେଇ ଚାରମାଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍‌ ନଂ ୧୫୭/ ଦଫା ୩୭୬/୫୦୬ /୩୦୬ରେ ମାମଲା ରୁଜୁ କରିଛି। ଆରମ୍ଭରୁ ସମ୍ବଲପୁର ଜିଆର୍‌ପି ଏହାର ତଦନ୍ତ କରୁଥିବା ବେଳେ ଚାରମାଳ ପୁଲିସ ମାମଲା ରୁଜୁ କରି ଜିଆର୍‌ପି ପୁଲିସକୁ ତଦନ୍ତ ପାଇଁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ବସନ୍ତ ଦଳାଇ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ଶ୍ରୀ ସାମଲ ବର୍ତ୍ତମାନ ଆପ୍‌ର ସମ୍ବଲପୁର ଜିଲ୍ଲା ସଂଯୋଜକ ଅଛନ୍ତି। ସେ ଗତ ୨୦୧୪ ନିବାର୍ଚନରେ ସମ୍ବଲପୁର ଲୋକସଭା ମଣ୍ତଳୀର ସାଂସଦ ପ୍ରାର୍ଥୀ ମଧ୍ୟ ହୋଇଥିଲେ। ଏ ନେଇ ଶ୍ରୀ ସାମଲଙ୍କ ସହିତ ଯୋଗାଯୋଗ କରିବାକୁ ବାରଂବାର ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe