ଇଅର୍ ଫୋନ୍ ଲଗାଇ ଗୀତ ଶୁଣିବା କାଳ ହେଲା, ଟ୍ରେନ୍ ଧକ୍କାରେ ଯୁବତୀ ମୃତ

ମାଲବାହୀ ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ

The Hans India

ବିଷମକଟକ : ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। କାନରେ ଇୟର୍‌ ଫୋନ୍‌ ଲଗାଇ ମୋବାଇଲରୁ ଗୀତ ଶୁଣିବା ଜଣେ ଯୁବତୀଙ୍କ ପାଇଁ କାଳ ହୋଇଛି। ଅନ୍ୟମନସ୍କ ହୋଇ ଯୁବତୀ ଜଣକ ରେଳଧାରଣା ପାର ହେବା ସମୟରେ ଟ୍ରେନ୍ ଆସିବା କଥା ଜାଣି ପାରି ନଥିଲେ। ଫଳରେ ଟ୍ରେନ୍ ଧକ୍କାରେ ଯୁବତୀଙ୍କ ଅକାଳ ମୃତ୍ୟୁ ହୋଇଛି। ମୃତ ଯୁବତୀ ଜଣକ ସାନମଟକବାଡ଼ି ଗାଁର କୁମାରୀ ଗାଣ୍ଟା (୨୫) ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, କୁମାରୀ ଗାଣ୍ଟା ଗତକାଲି ସନ୍ଧ୍ୟାରେ ନିକଟସ୍ଥ ଲଟାଗୁଡ଼ା ଗ୍ରାମକୁ କୌଣସି କାମରେ ଯାଇଥିଲେ। ଚାଲି ଚାଲି ନିଜ ଗାଁକୁ ଫେରିବା ସମୟରେ ସେ ଇୟର ଫୋନ୍‌ ଲଗାଇ ମୋବାଇଲରୁ ଗୀତ ଶୁଣୁଥିଲେ। ଏହାରି ମଧ୍ୟରେ ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ରେଳଧାରଣା ପଡ଼ିଥିଲା। ଉଭୟ କାନରେ ଇୟର୍‌ ଫୋନ୍‌ ଲାଗିଥିବାରୁ ଦ୍ରୁତଗତିରେ ଆସୁଥିବା ଟ୍ରେନ୍ ସଂପର୍କରେ ସେ ଆଦୌ କିଛି ଜାଣିପାରି ନଥିଲେ। ତେଣୁ ଅନ୍ୟମନସ୍କ ହୋଇ ରେଳଧାରଣା ପାର ହେବା ସମୟରେ ଗୋଟିଏ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃ୍ତ୍ୟୁ ହୋଇଯାଇଥିଲା। ଆଜି ସକାଳେ ସ୍ଥାନୀୟ ଲୋକ ଯୁବତୀଙ୍କ କ୍ଷତାକ୍ତ ଶବ ରେଳଧାରଣାରେ ଠାବ କରିଥିଲେ। ଏ ନେଇ ଖବର ପାଇ ରେଳବାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ରେଳବାଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe