ବଡ଼ଭାଇ ତୀରମାଡ଼ରେ ସାନ ଗୁରୁତର, ଅସ୍ତ୍ରୋପଚାର ପରେ ଛାତିରୁ ତୀର କଢ଼ାଗଲା

Advertisment
ବଡ଼ଭାଇ ତୀରମାଡ଼ରେ ସାନ ଗୁରୁତର, ଅସ୍ତ୍ରୋପଚାର ପରେ ଛାତିରୁ ତୀର କଢ଼ାଗଲା

କଟକ/ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପଞ୍ଚାୟତ ହରିଡ଼ା ଗ୍ରାମଠାରେ ଜମିବାଡ଼ି କଳହକୁ କେନ୍ଦ୍ରକରି ଦୁଇଭାଇଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ବଡ଼ଭାଇ ତୀର ମାରି ସାନଭାଇଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି। ସୌଭାଗ୍ୟବଶତଃ ଏହି ଘାତକ ପ୍ରହାରରେ ସାନଭାଇଙ୍କ ମୃତ୍ୟୁ ଘଟି ନଥିଲେ ବି ଛାତିରେ ତୀର ଲାଖି ରହିଯାଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ବଡ଼ ଡାକ୍ତରଖାନାରେ ଦୀର୍ଘ ୩ଘଣ୍ଟାର ଜଟିଳ ଅସ୍ତ୍ରୋପଚାର ପରେ ସାନଭାଇଙ୍କୁ ନୂଆ ଜୀବନ ମିଳିପାରିଛି।

publive-image

ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପଞ୍ଚାୟତ ହରିଡ଼ା ଗ୍ରାମର କୁଅଁର ମାଝୀ ଓ ତାଙ୍କ ସାନଭାଇ ଭାଗବତ ମାଝୀଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ଅନେକ ଦିନରୁ ବିବାଦ ଲାଗି ରହିଛି। ବୁଧବାର ଅପରାହ୍ନ ପ୍ରାୟ ୫ଟା ବେଳେ ଦୁଇଭାଇଙ୍କ ମଧ୍ୟରେ ଗଣ୍ତଗୋଳ ଲାଗିବାରୁ ବଡ଼ଭାଇ କୁଅଁର ଧନୁତୀର ଆଣି ଭାଗବତଙ୍କୁ ତୀରରେ ଆକ୍ରମଣ କରିଥିଲେ। ତୀରଟି ଭାଗବତଙ୍କ ବାମପଟ ଛାତିରେ ପଶି ରହିଯାଇଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ତୀର କାଢ଼ିବା ସମ୍ଭବ ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ପଠାଇ ଦିଆଯାଇଥିଲା। ଆଶୁଚିକିତ୍ସା ବିଭାଗରେ ପହଞ୍ଚିବା ପରେ ଭାଗବତଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା। ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଅନ୍ୟାନ୍ୟ ପରୀକ୍ଷା କରାଯାଇଥିଲା। ଆଜି ସକାଳ ୯ଟାରେ କାର୍ଡିଓଥୋରାସିକ୍‌ ଓଟିରେ ଭର୍ତ୍ତି କରାଯାଇ ଅସ୍ତ୍ରୋପଚାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପାଖାପାଖି ୩ଘଣ୍ଟାର ଅସ୍ତ୍ରୋପଚାର ପରେ ତୀରଟିକୁ ସଫଳତାର ସହ ତାଙ୍କ ଛାତିରୁ କଢ଼ାଯାଇଥିଲା। ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କାର୍ଡିଓଥୋରାସିକ୍‌ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ସାରଦା ପ୍ରସନ୍ନ ସାହୁ, ଡାକ୍ତର ଚିତ୍ତର˚ଜନ ଛାଟୋଇ, ଡାକ୍ତର ନାରାୟଣ ଆଚାର୍ଯ୍ୟ ଓ ଷ୍ଟାଫନର୍ସ ମହାଶ୍ବେତା ପ୍ରମୁଖ ଏହି ଅସ୍ତ୍ରୋପଚାରରେ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe