image source-indiatoday
ବଣାଇଁଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଥାନା ଗୋବିନ୍ଦପୁର ପଞ୍ଚାୟତର ଦେଉଳହୁଡି ଗାଁରେ ଗତକାଲି ରାତିରେ ଜଣେ ଯୁବକ ତାର ବଡ଼ ଭାଇ ଓ ଭାଉଜଙ୍କ ସମେତ ପୁତୁରା ଓ ଝିଆରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି। ମଧ୍ୟରାତ୍ରିରେ ନିଜ ପରିବାରର ଏହି ୪ ଜଣଙ୍କୁ ହତ୍ୟା କରିବାପରେ ସେ ୧୫ କିଲୋମିଟର ବାଟ ଚାଲିଚାଲି ଯାଇ ପୁଲିସ ନିକଟରେ ଆତ୍ମସମର୍ପଣ ବି କରିଛି।
ଦେଉଳହୁଡିରେ କାଣ୍ଡେ ମୁଣ୍ତା (୩୦) ତାଙ୍କ ପତ୍ନୀ ସୁମି ମୁଣ୍ତା(୨୫), ନାବାଳିକା ଝିଅ ମାଲାନି ମୁଣ୍ତା (୭) ଓ ନାବାଳକ ପୁଅ ମାରା ମୁଣ୍ତା (୫)ଙ୍କ ସହିତ ରହୁଥିଲେ। ଘର ନିକଟରେ ତାଙ୍କ ସାନଭାଇ କାଳି ମୁଣ୍ତା ଅନ୍ୟ ଏକ ଘରେ ରହୁଥିଲା। କାଳିର ପତ୍ନୀ ଓ ଦୁଇ ପିଲା ତାଙ୍କ ଶ୍ବଶୁରଘର ଟିକାୟତପାଲି ଥାନାର ଚନ୍ଦ୍ରପୁର ଗାଁରେ ରହୁଥିଲେ। କାଳି ଦେଉଳହୁଡ଼ିରେ ଏକୁଟିଆ ରହି ଡ୍ରାଇଭର ଭାବେ କାମ କରିଆସୁଥିଲା। ବଡଭାଇ କାଣ୍ଡେ ଧାରସୁତ୍ରରେ କିଛି ଟଙ୍କା କାଳିଠାରୁ ଉଧାର ନେଇଥିଲେ। ଉଧାର ଟଙ୍କାକୁ ଠିକଣା ସମୟରେ ପରିଶୋଧ କରା ନଯିବାରୁ କାଳି ଅସନ୍ତୁଷ୍ଟ ଥିଲା। ଏହା ସହିତ ଦୁଇଭାଇଙ୍କ ମଧ୍ୟରେ ଜମିବାଡିକୁ କେନ୍ଦ୍ରକରି ପୂର୍ବରୁ ଶତୃତା ମଧ୍ୟ ରହିଥିଲା। ସେଥିପାଇଁ ଦୁଇ ଭାଇଙ୍କ ଭିତରେ ପୂର୍ବରୁ କଳି ଝଗଡ଼ା ଲାଗି ରହିଥିଲା। ଗତକାଲି ରାତିରେ କାଳି ମଦ୍ୟପାନ କରି ଘରକୁ ଫେରିବାପରେ ଉଧାର ଟଙ୍କା ଓ ଜମିବାଡି ଭାଗବଣ୍ଟା ପାଇଁ ବଡ଼ଭାଇଙ୍କ ସହିତ ଯୁକ୍ତିତର୍କ କରିଥିଲା। ତେବେ ତାପରେ ଉଭୟ ନିଜ ନିଜ ଘରେ ଶୋଇଥିଲେ। କିନ୍ତୁ ରାତି ପ୍ରାୟ ୧୧ଟା ସମୟରେ ଏହି ଘଟଣାରେ ରକ୍ତଚାଉଳ ଚୋବାଉଥିବା କାଳି ଘରୁ ଏକ ଟାଙ୍ଗିଆ ଆଣି ପ୍ରଥମେ ବଡଭାଇ କାଣ୍ଡେଙ୍କ ଉପରେ ଆକ୍ରମଣ କରିଥିଲା। କାଣ୍ଡେ ଜୀବନ ବଞ୍ଚାଇବାକୁ ଘରୁ ବାହାରକୁ ଦୌଡି ପଳାଉଥିବା ବେଳେ କାଳି ତାଙ୍କୁ ଗୋଡ଼େଇ ଗୋଡ଼େଇ ବେକ, ଛାତି ଓ ମୁଣ୍ତରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଏହି ସମୟରେ କାଣ୍ଡେଙ୍କ ପତ୍ନୀ ସୁମି ବିରୋଧ କରିବାରୁ ତାଙ୍କୁ ମଧ୍ୟ ହତ୍ୟା କରିଥିଲା। ସେତିକିରେ ରକ୍ତମୁଖା କାଳିର କ୍ରୋଧ ଥଣ୍ଡା ହୋଇ ନଥିଲା, ସେ କାଣ୍ଡେଙ୍କ ନାବାଳିକା ଝିଅ ମାଲାନି ଓ ନାବାଳକ ପୁଅ ମାରାକୁ ମଧ୍ୟ ଟାଙ୍ଗିଆରେ ହାଣି ନୃଶଂସଭାବେ ହତ୍ୟା କରିଥିଲା।
ତେବେ ସେମାନଙ୍କର ଘର ଦୁଇଟି ଗାଁର ଏକ ନିଛାଟିଆ ସ୍ଥାନରେ ହୋଇଥିବାରୁ ଏହି ହତ୍ୟାକାଣ୍ତ ବିଷୟରେ ଗ୍ରାମବାସୀ କିମ୍ବା ପଡୋଶୀ କେହି ଜାଣିପାରି ନଥିଲେ। ହତ୍ୟା କରିବା ପରେ ହତ୍ୟାକାରୀ କାଳି ରାତିସାରା ୧୫ କିମି ରାସ୍ତା ଚାଲି ଚାଲି ଯାଇ ସକାଳ ୭ଟାରେ ବଣାଇଁ ଥାନାରେ ଆତ୍ମସମର୍ପଣ କରି ହତ୍ୟାକାଣ୍ତ ସଂପର୍କରେ ସୂଚନା ଦେଇଥିଲା। ଖବର ପାଇ ବଣାଇଁ ଥାନାର ଏଏସ୍ଆଇ ବ୍ରଜକିଶୋର ଦାଶ ଓ ବି କେ ନାୟକ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡ ୪ଟି ଶବକୁ ଜବତ କରିଥିଲେ। ପରେ କାଳିର ଶ୍ବଶୁରଘର ଚନ୍ଦ୍ରପୁରକୁ ପୁଲିସ ଯାଇ ପରିବାରକୁ
ଆଣି ପଚାରା ଉଚରା ଜାରି ରଖିଛି। ସେହିପରି ରାଉରକେଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅବକାଶ ରାଉତରାରୟ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଏ ବିଷୟରେ ହତ୍ୟାକାରୀ କାଳିକୁ ପଚାରିବାରୁ ସେ କହିଛି ଯେ ପିଲା ଦିନରୁ କୁଆଡ଼େ ତାକୁ କେହି ଘରେ ଭଲ ପାଉନଥିବା ସହିତ ହତାଦର କରିଆସୁଥିଲେ। ସେଥିପାଇଁ ସେ ନିଜେ ବିବାହ କରିବା ପରେ ନିଜ ପତ୍ନୀ ଓ ପିଲାମାନଙ୍କୁ ନିଜ ଘରେ ନରଖି ଶ୍ବଶୁର ଘରେ ରଖିଆସୁଥିଲା। ପ୍ରତିଶୋଧ ପରାୟଣ ହୋଇ ସେ ଏହି ହତ୍ୟା ଘଟାଇଥିବା କହିଛି।
Follow Us