ଟାର୍ଗେଟ କରୁଛନ୍ତି ଗଂଜେଇ ମାଫିଆ; ଦାମୀ ମୋବାଇଲ ଓ ବାଇକ୍‌ ପାଇଁ ଫସୁଛନ୍ତି ବେକାର ଯୁବକଯୁବତୀ

Advertisment
ଟାର୍ଗେଟ କରୁଛନ୍ତି ଗଂଜେଇ ମାଫିଆ; ଦାମୀ ମୋବାଇଲ ଓ ବାଇକ୍‌ ପାଇଁ ଫସୁଛନ୍ତି ବେକାର ଯୁବକଯୁବତୀ

ରାୟଗଡା (ପ୍ରେମେନ୍ଦ୍ର ପରିଚ୍ଛା): ଗଂଜେଇ ମାଫିଆଙ୍କ ଏବେ ନୂଆ ଟାର୍ଗେଟ ବେକାର ଯୁବକଯୁବତୀ। ପାଠ ପଢି ବେକାର ହୋଇ ରହିଥିବା ଯୁବକଯୁବତୀ ହେଉ କିମ୍ବା ଅଧାରୁ ପାଠ ଛାଡି ବେକାର ହୋଇ ବୁଲୁଥିବା ଯୁବକଯୁବତୀ। ଏମାନଙ୍କୁ ସହଜରେ ନିଜର ଜାଲରେ ଫସେଇ ଗଂଜେଇ ଚାଲାଣ କରିବାରେ ସଫଳ ହେଉଛନ୍ତି। ଅଧିକା ଟଂକାର ପ୍ରଲୋଭନ ଦେଖାଇ ଯୁବକମାନଙ୍କୁ ନର୍କକୁ ଠେଲି ଦେଉଛନ୍ତି ଏହି ମାଫିଆମାନେ। ବେକାର ଯୁବକଯୁବତୀମାନେ ମଧ୍ୟ ହାତରେ ଦାମୀ ମୋବାଇଲ ଧରିବା ଏବଂ ଦାମୀ ବାଇକ କିଣିବା ସଉକରେ ଗଂଜେଇ ଚାଲାଣ କରିବାକୁ ରାଜି ହେଉଥିବା ଏକ ସଦ୍ୟତମ ଘଟଣାକ୍ରମରେ ଜଣାପଡିଛି।

କୋରାପୁଟ ଜିଲ୍ଲାର ସୁନାବେଡା ଅଂଚଳର ସଂତୋଷ ବଡନାୟକ ଏକ ପବ୍ଲିକ ସ୍କୁଲରେ ୯ମ ଶ୍ରେଣୀରେ ପାଠ ପଢି ଛାଡିଦେଇଛନ୍ତି। ଏବେ ତାଂକୁ ୨୧ ବର୍ଷ ହେବ। ସ୍ଥାନୀୟ ଜଣେ ଗଂଜେଇ ମାଫିଆ ତାକୁ ୧୦ରୁ ୧୨ ହଜାର ଟଂକା ଦେବାକୁ ପ୍ରଲୋଭନ ଦେଖାଇ ଏକ ଗଂଜେଇ ବ୍ୟାଗକୁ ମୁନିଗୁଡା ପର୍ଯ୍ୟନ୍ତ ପହଞ୍ଚାଇବାକୁ କହିଥିଲା। ସଂତୋଷ ପ୍ରଥମେ ଅରାଜି ହୋଇଥିଲେ ମଧ୍ୟ ଦାମୀ ବାଇକ କିଣିବାର ସ୍ବପ୍ନ ରହିଥିବାରୁ ଏହା ହିଁ ଏକ ମାଧ୍ୟମ ଯେଉଁଥିରେ ସେ ଅଧିକା ଟଂକା ରୋଜଗାର କରିବା ସହ ଖୁବଶୀଘ୍ର ବାଇକ କିଣିପାରିବ। ସୁନାବେଡାରୁ ଏକ ଫ୍ୟାମିଲି ବ୍ୟାଗରେ ଗଂଜେଇ ଲଦି ଏକ ବସରେ ରାୟଗଡା ଆସିଥିଲା। ରାୟଗଡା ଷ୍ଟେସନରୁ ସେ ମୁନିଗୁଡା ପର୍ଯ୍ୟନ୍ତ ପହଞ୍ଚାଇଲେ ତାକୁ ୧୨ ହଜାର ଟଂକା ମିଳିବ।

ତେବେ ବ୍ୟାଗ ପହଞ୍ଚାଇବାରେ କୌଣସି ବଡ କାମ ନଥିଲେ ମଧ୍ୟ ସେଥିରେ ଗଂଜେଇ ରଖାଯାଇଥିବାରୁ ଏହା ଥିବା ବିପଦପୂର୍ଣ୍ଣ। ତେବେ ସଂତୋଷ ଏହା ଜାଣି ମଧ୍ୟ ସେ ଏହି ବିପଦପୂର୍ଣ୍ଣ କାମକୁ ହାତକୁ ନେଇଥିଲା। ସେ ରାୟଗଡା ଷ୍ଟେସନରେ ଗଂଜେଇ ଲଦା ବ୍ୟାଗକୁ ରଖିବାକୁ ଯାଉଥିବା ବେଳେ ସେଠାରେ ଅବକାରୀ ବିଭାଗ ତରଫରୁ କରାଯାଉଥିବା ପାଟ୍ରୋଲିଂ ସମୟରେ ଧରାପଡିଥିଲେ। ବ୍ୟାଙ୍ଗରେ ପ୍ରାୟ ୨୪ କିଲୋ ଗଂଜେଇ ରହିଥିଲା। ଏହି ବ୍ୟାଗକୁ ମୁନିଗୁଡା ପର୍ୟ୍ୟନ୍ତ ପହଞ୍ଚାଇବାର ଦାୟିତ୍ବ ସଂତୋଷର ରହିଥିଲା। ସେଠାରୁ ହୁଏତ ଆଉ ଜଣେ ଏହି ବ୍ୟାଗକୁ ଅନ୍ୟତ୍ର ନେଇଥାନ୍ତା। ଏହା କେବଳ ରାୟଗଡା ଜିଲ୍ଲାରେ ସୀମିତ ନୁହେଁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବେକାର ଯୁବକଯୁବତୀଙ୍କୁ ଗଂଜେଇ ମାଫିଆମାନେ ସହଜରେ ଟାର୍ଗେଟ କରିପାରୁଥିବାରୁ ବହୁ ଯୁବକ ଏଭଳି କାନ୍ଧରେ ବ୍ୟାଗ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ଯାଉଥିବା ନଜିର ରହିଛି।

ମାଲକାନଗିରି ଜିଲ୍ଲାରୁ ପ୍ରାୟତଃ ବହୁ ଯୁବକଯୁବତୀ ଏହି ଧନ୍ଦାରେ ଏବେ ଲିପ୍ତ ରହିଛନ୍ତି। ଏବେ କୋରାପୁଟରୁ ମଧ୍ୟ ଯୁବକଯୁବତୀ ଏଥିରେ ସାମିଲ ହୋଇ କମ୍ ଦିନରେ ଅଧିକା ଟଂକା ରୋଜଗାର କରିବାର ରାସ୍ତାକୁ ଆପଣେଇ ଜେଲରେ ସଢୁଛନ୍ତି। ଏହି ଧାନ୍ଦାରୁ ଯୁବକଯୁବତୀଙ୍କୁ ମୁକୁଳାଇବା ପାଇଁ ସରକାର ଏବଂ ପ୍ରଶାସନ ତରଫରୁ ସଚେତନ କରାଇବା ଆବଶ୍ୟକ ହୋଇପଡୁଥିବା କୁହାଯାଇଛି। ଲୋଭରେ ପଡି ଯୁବକଯୁବତୀ ଯେକୌଣସି କାମ କରିବାକୁ ପଛାଉ ନାହାନ୍ତି। ସେହି କାମ ଯେତେ କଠିନ ଏବଂ ବିପଦପୂର୍ଣ୍ଣ ରହିଥିଲେ ମଧ୍ୟ କାମ କରିବାକୁ ପଛାଉ ନାହାନ୍ତି। ଏହି ଘଟଣା ପରେ ଗଂଜେଇ ମାଫିଆଙ୍କ ପର୍ଦାଫାସ ହୋଇଛି। ସଂତୋଷ କିପରି ଏମାନଙ୍କର ଜାଲରେ ଫସିଲା ତାହା ବଖାଣିଥିଲା। ସବୁ ଜାଣି ମଧ୍ୟ ବାଇକ ଲୋଭରେ ସେ ଏହି କାମ କରିଥିବା ସ୍ବୀକାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe