ମମିତାଙ୍କ ପାଇଁ ଦିଲ୍ଲୀ ଯା‌ଏ ଲଢ଼ିବ ଯୁବ କଂଗ୍ରେସ

୬ରେ ରାଜଭବନ ସମ୍ମୁଖରେ ଧାରଣା, ୧୧ ରେ ଯନ୍ତରମନ୍ତରରେ ବିକ୍ଷୋଭ, ରାଷ୍ଟ୍ରପତିଙ୍କୁ ଭେଟି ଦାବିପତ୍ର

ମମିତାଙ୍କ ପାଇଁ ଦିଲ୍ଲୀ ଯା‌ଏ ଲଢ଼ିବ ଯୁବ କଂଗ୍ରେସ

ଭୁବନେଶ୍ୱର : ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ପୀଡ଼ିତ ପରିବାରକୁ ନ୍ୟାୟ ଦେବା ପାଇଁ ଯୁବ କଂଗ୍ରେସ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ କରିବ। ଏଥିପାଇଁ ଯୁବ କଂଗ୍ରେସ ସଜବାଜ ହୋଇଛି। ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ସହ ଗିରଫ ଦାବି ନେଇ ରାଜଭବନରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଚେତାବନୀ ଦେଇଛି। ଆସନ୍ତା ୬ ଓ ୭ ତାରିଖ ଦୁଇଦିନ ଧରି ଯୁବ କଂଗ୍ରେସ ରାଜଭବନ ସମ୍ମୁଖରେ ଅହରାତ୍ର ଧାରଣା ଦେବ। ୮ତାରିଖରେ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯିବ। ଯଦି ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯାଏ, ୯ ତାରିଖ ଦିନ ଦିଲ୍ଲୀ ଅଭିମୁଖେ ଯାତ୍ରା କରାଯିବ। ସେହିପରି ୧୦ ତାରିଖରେ ଦିଲ୍ଲୀସ୍ଥିତ ଆବାସିକ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରାଯିବ। ୧୧ତାରିଖରେ ଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସେଥିରେ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତିଙ୍କ ସମେତ ବହୁ ରାଷ୍ଟ୍ରୀୟ ନେତୃମଣ୍ଡଳୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ରାଷ୍ଟ୍ରପତିଙ୍କୁ ଭେଟି ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଓ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ନିମନ୍ତେ ଦାବି ଉପସ୍ଥାପନା କରାଯିବ। ଆଜି ହୋଟେଲ୍‌ ଶୀତଲଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ଏହି ସୂଚନା ଦେଇଛନ୍ତି।

ଯୁବ କଂଗ୍ରେସ୍ ପକ୍ଷରୁ କୁହାଯାଇଛି ଯେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସହ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଘନିଷ୍ଠ ସମ୍ପର୍କ ଥିବାରୁ ଅଭିଯୁକ୍ତକୁ ପୁଲିସ ପ୍ରଥମେ ଜାଣିଶୁଣି ଖସାଇ ଦେଇଥିଲା। ଫଳରେ ଅଭିଯୁକ୍ତ ଘଟଣାର ଅନେକ ପ୍ରମାଣ ନଷ୍ଟ କରିବାରେ ସକ୍ଷମ ହୋଇଛି। ଏ ଭିତରେ ହତ୍ୟା ମାମଲାର ଅନେକ ସାକ୍ଷୀଙ୍କୁ ପ୍ରଭାବିତ ମଧ୍ୟ କରାଯାଇଛି। ଖାଲି ସେତିକି ନୁହେଁ, ମମିତାଙ୍କ ପରିବାର ଲୋକେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ସାରା ରାଜ୍ୟ ଉଠୁଥିବା ପଡ଼ୁଥିବା ବେଳେ ମନ୍ତ୍ରୀ ଆତ୍ମଗୋପନ କରିଥି‌ଲେ। ଘଟଣାର ୨୧ ଦିନ ପରେ ମୁହଁ ଖୋଲି ନିଜକୁ ନିର୍ଦ୍ଦୋଷ ବୋଲି ସଫେଇ ଦେଉଛନ୍ତି। ଯଦି କୌଣସି ସମ୍ପୃକ୍ତି ନଥିଲା, ପ୍ରଥମ ଦିନରୁ କାହିଁକି ଗଣମାଧ୍ୟମରେ ନିଜର ମତ ରଖୁନଥିଲେ? ସାକ୍ଷ୍ୟ ପ୍ରମାଣକୁ ନଷ୍ଟ କରି ୨୧ଦିନ ପରେ ମୁହଁ ଖୋଲୁଛନ୍ତି। ଏହା ରାଜ୍ୟ ସରକାର ଓ ପୁଲିସ ପ୍ରଶାସନର ବିଫଳତାକୁ ପଦାରେ ପକାଇଛି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ମହମ୍ମଦ ଅଲିମ, ସମ୍ପାଦକ ବୀରେନ ଦଳେଇ, ଜ୍ଞାନରଞ୍ଜନ ରାଉତ, ସ୍ମୃତିରଞ୍ଜନ ମନ୍ତ୍ରୀ, ଆର୍ଯ୍ୟବୀର ଲେଙ୍କା ଓ ଅମ୍ରିତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe