image source-indiatoday
ବନ୍ତଳା : ବିଜ୍ଞାନ ଯେତେ ଆଗେଇଥିଲେ ସୁଦ୍ଧା ଅନେକ ଲୋକଙ୍କର ତଥାପି ଚମତ୍କାରୀ ଶକ୍ତି ଉପରେ ଭରସା ରହିଛି। ସାପ କାମୁଡ଼ିବା ପରେ ଜଣେ ଯୁବକଙ୍କୁ ତୁରନ୍ତ ଡାକ୍ତରଖାନାକୁ ନନେଇ ଶିବ ମନ୍ଦିରରେ ଅଧିଆ ପକାଇଲେ। ଅବସ୍ଥା ସଂକଟାପନ୍ନ ହେଲା ବେଳକୁ ଡାକ୍ତରଖାନା ନେଲେ। ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ଶତ ଚେଷ୍ଟା ସତ୍ତ୍ବେ ଡାକ୍ତର ତାଙ୍କୁ ବଞ୍ଚାଇପାରିଲେ ନାହିଁ। ଏହିଭଳି ଏକ ଦୁଃଖଦ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଗଡ଼ତରାସ ଗାଁରେ।
ସୂଚନା ଅନୁଯାୟୀ, ଗଡ଼ତରାସର ଭୋଗଲା ଗୋଚ୍ଛାୟତ(୨୪) ଗତରାତିରେ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୧୧ଟାବେଳେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ସଦସ୍ୟ ଜାଣିବା ପରେ ତାଙ୍କୁ ଗାଁ ଶିବ ମନ୍ଦିରକୁ ନେଇ ଅଧିଆ ପକାଇଥିଲେ। ଠାକୁରଙ୍କୁ ସୁମରି ଭୋଗଲା ଶୋଇ ରହିଥିଲେ। ବିଶ୍ବାସ ଥିଲା ତାଙ୍କଠାରୁ ବିଷ ଝଡ଼ିଯିବ। ଫଳ କିନ୍ତୁ ହେଲା ଓଲଟା। ପାହାନ୍ତା ବେଳକୁ ଭୋଗଲାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଲା। ପରିବାର ଲୋକେ ବାଧ୍ୟ ହୋଇ ତାଙ୍କୁ ସକାଳ ୬ଟାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଯାଇଛି। ସାପ କାମୁଡ଼ିବା ପରେ ତୁରନ୍ତ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ହୁଏତ ଯୁବକଜଣକ ବଞ୍ଚିଯାଇଥାଆନ୍ତେ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।
Follow Us