ଥାନା ହାଜତରେ ଯୁବକଙ୍କ ମୃତ୍ୟୁ: ମୃତ୍ୟୁକୁ ନେଇ ସନ୍ଦେହ, ପୁଲିସ କହୁଛି ଆତ୍ମହତ୍ୟା

ପୁଲିସ ଛାଉଣିରେ ଯୋଡ଼ା ଥାନା

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ହାଜତରେ ଜଣେ ଦୁଷ୍କର୍ମ ଅଭିଯୁକ୍ତର ମଙ୍ଗଳବାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ବିରିକଳା ଗ୍ରାମର ଦୀନେଶ ନାଏକ(୨୩)। ଦୀନେଶ ଆତ୍ମହତ୍ୟା କରିଛି ବୋଲି ପୁଲିସ କହୁଛି। ତେବେ ସେ ହାଜତ ଭିତରେ କିପରି ଆତ୍ମହତ୍ୟା କଲେ, ସେ ନେଇ ପୁଲିସ କୌଣସି ସ୍ପଷ୍ଟ ସୂଚନା ଦେଉନଥିବାରୁ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପୁଲିସ ସୂଚନା ଅନୁଯାୟୀ, ଏକ ନାବାଳିକା ଦୁଷ୍କର୍ମ ମାମଲା ନମ୍ବର ୧୪୧/୨୦୨୪ରେ ପୁଲିସ ରବିବାର ଦୀନେଶଙ୍କୁ ତାଙ୍କ ଘରୁ ଉଠାଇ ଆଣି ନିଜ ହେପାଜତରେ ରଖିଥିଲା। ତେବେ ଦୀନେଶ ଥାନା ‌ହାଜତରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ମଙ୍ଗଳବାର ଅପରାହ୍ନ ୩ଟାବେଳେ ଯୋଡ଼ା ଟାଟାଷ୍ଟିଲ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାତି ପ୍ରାୟ ୧୨ଟାବେଳେ ବଡ଼ବିଲ ଡାକ୍ତରଖାନା ପଠାଇଥିଲା।
ହାଜତ ମୃତ୍ୟୁ ପରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ଯୋଡ଼ା ଥାନା ଓ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଉଭୟ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଏ ସମ୍ପର୍କରେ ବଡ଼ବିଲ ଏସ୍‌ଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ କହିଛନ୍ତି, ଏସ୍‌ପିଙ୍କ ନିର୍ଦେଶକ୍ରମେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ମୃତ ଦୀନେଶ ପରିବାର ପକ୍ଷରୁ କେହି ମୁହଁ ଖୋଲୁ ନଥିବାରୁ ଘଟଣା ଅଧିକ ରହସ୍ୟମୟ ହୋଇ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe