ଅସୁରକ୍ଷିତ ପର୍ଯ୍ୟଟନସ୍ଥଳୀ ଗୁଣ୍ଡିଚାଘାଗି ଜଳପ୍ରପାତରେ ଭାସିଗଲେ ଯୁବକ

କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟ ଗୁଣ୍ଡିଚାଘାଗି ଜଳପ୍ରପାତରେ ଆଜି ପୁଣି ଜଣେ ଯୁବକ ଭାସିଯାଇ ନିଖୋଜ ‌ହୋଇଯାଇଛନ୍ତି। ନିଖୋଜ ଯୁବକ କେନ୍ଦୁଝର ହରିଚନ୍ଦନପୁର ଥାନା ବଡ଼ଶିଆଡ଼ିମାଳ...

Untitled-13

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟ ଗୁଣ୍ଡିଚାଘାଗି ଜଳପ୍ରପାତରେ ଆଜି ପୁଣି ଜଣେ ଯୁବକ ଭାସିଯାଇ ନିଖୋଜ ‌ହୋଇଯାଇଛନ୍ତି। ନିଖୋଜ ଯୁବକ କେନ୍ଦୁଝର ହରିଚନ୍ଦନପୁର ଥାନା ବଡ଼ଶିଆଡ଼ିମାଳ ଦଲକିସାହିର ଲୋକନାଥ ମହାନ୍ତଙ୍କ ପୁଅ ସତ୍ୟପ୍ରକାଶ ମହାନ୍ତ (୨୫)। ସେ ଜଣେ ଆମ୍ବୁଲାନ୍ସ ଡ୍ରାଇଭର। ଗାଁ ପାଖ ଗୁଣ୍ଡିଚାଘାଗି ଜଳପ୍ରପାତରେ ଗାଧୋଇବା ସହ ବୁଲାବୁଲି କରି ମା’ ତାରିଣୀଙ୍କ ଦର୍ଶନ ନିମନ୍ତେ ସେ ଆଜି ସକାଳେ ସାଙ୍ଗମାନଙ୍କୁ ଡାକି ଆଣିଥିଲେ। ତଦନୁଯାୟୀ ଗତକାଲି ରାତିରେ ସାଙ୍ଗମାନେ ପାରାଦୀପରୁ ବାହାରିଥିଲେ। ଗାଁ ପାଖ ଜଳପ୍ରପାତ ହୋଇଥିବାରୁ ଗାଧୋଇବାକୁ ସତ୍ୟପ୍ରକାଶ ପ୍ରଥମେ ପାଣିକୁ ଓହ୍ଲାଇଥିଲେ। ଦେଖୁ ଦେଖୁ ପାଣି ପାଖ ପାହାଚରେ ବସିଥିବା ସାଙ୍ଗ ଦୁଷ୍ମନ୍ତ ମହାପାତ୍ର ଓ ଅନ୍ୟମାନଙ୍କ ଆଖି ଆଗରେ ସେ ଅଥଳ ଜଳରାଶିରେ ବୁଡ଼ିଯାଇଥିଲେ। ଘଟଣାଟି ଏତେ ଆକସ୍ମିକ ଥିଲା ଯେ କେହି ଉଦ୍ଧାର କରିବାକୁ ମଧ୍ୟ ସମୟ ପାଇ ନଥିଲେ। ଖବର ପାଇ ଘଟଗାଁ ଅଗ୍ନିଶମ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ହେଁ ସନ୍ଧ୍ୟା ପର୍ଯ୍ୟନ୍ତ ସତ୍ୟପ୍ରକାଶଙ୍କର କୌଣସି ପତ୍ତା ମିଳିନଥିଲା। ଗାଁର ସାହିପଡ଼ିଶା, ପରିବାର ଲୋକ ସବୁପ୍ରକାର କଳକୌଶଳ ଲଗାଇ ଖୋଜିଥିଲେ ମଧ୍ୟ ତାଙ୍କୁ ପାଇନାହାନ୍ତି।

ଗତ ମାସ ୭ ତାରିଖରେ ବାଲେଶ୍ୱର ସୋର ଥାନା ବର୍ତ୍ତନା ଗାଁର ଯୁବକ ଭବେଶ ବେହେରା ଜଳପ୍ରପାତରେ ଭାସିଯାଇଥିଲେ। ଦୁଇ ଦୁଇଥର ରାସ୍ତାରୋକ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରତିବାଦ ହେବା ପରେ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ତଥାପି ଭବେଶଙ୍କର ଏଯାଏଁ ସନ୍ଧାନ ମିଳିନାହିଁ। ଏହା ସତ୍ତ୍ବେ ଏଠାରେ କୌଣସି ସତର୍କତାମୂଳକ ପଦକ୍ଷେପ ନିଆଯାଇ ନାହିଁ। ନା ସୁରକ୍ଷା ବାଡ଼ ଅଛି ନା କିଛି ସତର୍କ ସୂଚନା ଲଗାଯାଇଛି। ଗୁଣ୍ଡିଚାଘାଗି ଜଳପ୍ରପାତର ଉନ୍ନୟନ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ଅଥଚ ଏହାକୁ ଦୁର୍ଘଟଣାମୁକ୍ତ ଅଞ୍ଚଳ କରିବା ପାଇଁ ପର୍ଯ୍ୟଟନ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଉ ନଥିବାରୁ ପର୍ଯ୍ୟଟକ ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଛି।  

ଉଲ୍ଲେଖନୀୟ ଯେ ଜଳପ୍ରପାତର ଉପରଭାଗରେ ବିସ୍ତୃତ ଜାଗା ଆବୁଡ଼ାଖାବୁଡ଼ା ଦନ୍ତୁରିତ ପଥରଶଯ୍ୟା ରହିଛି। ଏହି ପଥରଶଯ୍ୟାରେ ମୁଷଳ ନଦୀ ପ୍ରବାହିତ ହୋଇ ଉପରୁ ଲମ୍ଫ ଦେଉଛି। ବିଶେଷକରି ବର୍ଷାଦିନରେ ଏହି ଜାଗା ଅତ୍ୟନ୍ତ ବିପଜ୍ଜନକ ରହିଥାଏ। ଏ ସଂକ୍ରାନ୍ତରେ ଘଟଗାଁ ପୂର୍ତ୍ତ ଓ ଗୃହ ନିର୍ମାଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସତର୍କ ସୂଚନା ଲଗାଇବା ଦିଗରେ ପଦକ୍ଷେପ ନେବେ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe