patrika
ଭଞ୍ଜନଗର : ଗଞ୍ଜାମ-କନ୍ଧମାଳ ସୀମାନ୍ତ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଇନ୍ଦ୍ରଗଡ଼ ପଞ୍ଚାୟତ ଦୁବା ଗ୍ରାମର ଜଣେ ଯୁବକ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଭାଲୁ କବଳରୁ ବର୍ତ୍ତିବା ପାଇଁ ସେ ଜୀବନ ବିକଳରେ ଏକ ଗଛରେ ଚଢ଼ିଯାଇଥିଲେ। ହେଲେ, ୩ ଭାଲୁ ତାଙ୍କୁ ଗୋଡ଼କୁ ଧରି ଟାଣିଆଣିବା ସହିତ ବିଦାରି ପକାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ଆହତ ଯୁବକ ହେଲେ, ଦୁବା ଗ୍ରାମର ଦଣ୍ଡପାଣି ପ୍ରଧାନଙ୍କ ପୁଅ ସୁଦାମ ପ୍ରଧାନ (୩୨)। ସୁଦାମ ଗ୍ରାମ ନିକଟ ଜଙ୍ଗଲକୁ ମହୁଲ ସଂଗ୍ରହ କରିବାକୁ ଯାଇଥିଲେ। ସେ ବୁଲୁଥିବା ସମୟରେ ପାହାଡ଼ିଆ ଇଲାକାରୁ ହଠାତ୍ ୩ଟି ଭାଲୁ ତାଙ୍କ ଆଡ଼କୁ ମାଡ଼ି ଆସିଥିଲେ। ଜୀବନ ବଞ୍ଚାଇବାକୁ ଏକ ଗଛରେ ଚଢ଼ିବାକୁ ଉଦ୍ୟମ କରିଥିଲେ ସୁଦାମ। ଏହିସମୟରେ ଗୋଟିଏ ଭାଲୁ ତାଙ୍କ ଗୋଡ଼କୁ ଟାଣି ଆଣି ତଳେ ପକାଇ ଦେଇଥିଲା। ତିନିଟି ଭାଲୁ ମିଶି ତାଙ୍କୁ ରାମ୍ପି ବିଦାରି କ୍ଷତବିକ୍ଷତ କରି ପକାଇଥିଲେ। କଷ୍ଟେମଷ୍ଟେ ସୁଦାମ ଭାଲୁଙ୍କ ସହ ସଂଘର୍ଷ କରି ସେମାନଙ୍କ କବଳରୁ ମୁକୁଳି ଗଛରେ ଚଢ଼ିଯାଇଥିଲେ। ଭାଲୁମାନେ ଜାଗା ଛାଡ଼ି ଯିବାପରେ ଯାଇ ସେ ଗଁାକୁ ଫେରିଥିଲେ।
୩ ଭାଲୁ ସୁଦାମଙ୍କ ଗୋଡ଼, ପାଦ ଓ ହାତ ସମେତ ଶରୀରର ବିଭିନ୍ନ ଭାଗକୁ ବିଦାରି କ୍ଷତାକ୍ତ କରି ଦେଇଛନ୍ତି। ଚିକିତ୍ସା ପାଇଁ ସୁଦାମଙ୍କୁ ପ୍ରଥମେ ଭଞ୍ଜନଗର ଡାକ୍ତରଖାନା ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
Follow Us