ଅନୁଗୁଳ: ବାଇୟା କରିଛି ରିଲ୍ସ ନିଶା ।ଯୁବପିଢିଙ୍କୁ ଏବେ ରିଲ୍ସର ନିଶା ଏତେ ପାଗଳ କରିଛି ଯେ ଜୀବନକୁ ବାଜିରେ ଲଗାଇବାକୁ ବି କେବେ କେବେ ପଛାଉନଥିବା ଦେଖିବାକୁ ମିଳେ । କେବେ ରିଲ୍ସ କରିବା ଚକ୍କରରେ ପିଲା ଟ୍ରେନ୍ ଟ୍ରାକରେ ଶୋଇଯାଉଥିବା ଦେଖିବାକୁ ମିଳୁଥିବା ବେଳେ କେବେ ପାଣିକୁ ଡେଉଁଥିବା ଦେଖିବାକୁ ମିଳୁଛି । ଭିୟୁ, ଲାଇକ୍, କମେଣ୍ଟ ନିଶାରେ ଏବେ ଯୁବପିଢି ପଡିଥିବା ବେଳେ ଏହି ରିଲ୍ସ ସେମାନଙ୍କୁ ପାଗଳ କରିଛି । ଯାହାର ଆଉ ଏକ ଉଦାହରଣ ଆସିଛି ଅନୁଗୁଳରୁ । ଯେଉଁଠି ଜଣେ ଯୁବକଙ୍କୁ ସାପ କାମୁଡିବା ପରେ ବି ସେ ରିଲ୍ସ କରୁଥିବା ଦେଖିବାକୁ ମିଳିଛି ।
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ଯୁବକଙ୍କୁ ନାଗ ଚୋଟ ମାରିବା ପରେ ସେ ଉକ୍ତ ସାପକୁ ଧରି ଭିଡିଓ କରୁଛନ୍ତି । ଯେଉଁ ହାତକୁ ସାପଟି କାମୁଡିଛି ସେହି ହାତକୁ ସେ ଗାମୁଛାରେ ବାନ୍ଧି ଅନ୍ୟ ହାତରେ ଉକ୍ତ ନାଗ ସାପକୁ ଧରି ଭିଡିଓ କରୁଛନ୍ତି । ସାପ କାମୁଡା ପରେ ଯଦିଓ ତାଙ୍କୁ ସଙ୍ଗେସଙ୍ଗେ ମେଡିକାଲ ଯିବା କଥା ମାତ୍ର ସେ ଆଗେ ସେ କାମକୁ ପଛରେ ପକାଇ ପ୍ରଥମେ ଭିଡିଓ କରିବାରେ ମାତିଛନ୍ତି । ଭିଡିଓଟି ଅନ୍ୟ ଜଣେ କରୁଥିବା ବେଳେ ସାପ କାମୁଡିବା କଥା ଯୁବକ ଜଣଙ୍କ ବଖାଣୁଛନ୍ତି । କହିବା ବେଳେ ସେ ଅଣନିଶ୍ବାସୀ ହୋଇଯାଉଥିବା ଜଣାପଡୁଛି । ହୁଏତ ବିଷ ଦେହରେ ଚରିଯିବା ଫଳରେ ତାଙ୍କ ତଣ୍ଟି ଶୁଖିଯାଉଥିବା ଅନୁମାନ କରି ହେଉଛି । ମାତ୍ର ସେ ସେସବୁକୁ ବେଖାତିର କରି ରିଲ୍ସ କରୁଛନ୍ତି ।
ତେବେ ସୂଚନା ମୁତାବକ, ଛେଣ୍ଡିପଦା ନିଶା ଥାନା କାଳିଆକଟା ଅଞ୍ଚଳର ବଳଭଦ୍ର ଭୋଇଙ୍କ ପୁଅ ବୁବୁଲ ଭୋଇ(୨୫)ଙ୍କୁ ଆଜି ଅପରାହ୍ନରେ ଏକ ନାଗ ସାପ କମୁଡ଼ି ଦେଇଥିଲା । ୪ ଫୁଟ୍ ଲମ୍ବର ନାଗ ସାପଟି ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲା । ସାପଟି ଧାନବସ୍ତା ତଳେ ରହି ଗର୍ଜନ କରୁଥିବା ଦେଖି ବବୁଲ୍ ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ତେବେ ଅସାବଧାନତା ପାଇଁ ସାପ ବବୁଲଙ୍କ ଡାହାଣ ହାତକୁ ଚୋଟ ପକାଇଥିଲା ।
ଅଧିକ ପଢନ୍ତୁ-
ସାପ ଧରୁ ଧରୁ ଚୋଟ ପକେଇଲା ନାଗ... ହାତରେ ଗାମୁଛା ବାନ୍ଧି ସିଧା ସାପକୁ ଧରି ମେଡିକାଲରେ ହାଜର ଯୁବକ
ପରେ ସ୍ଥାନୀୟ ଏକ ଡାକ୍ତରଖାନାରେ ସେ ପହଞ୍ଚିଥିଲେ । କିନ୍ତୁ ନାଗ କାମୁଡ଼ା ପାଇଁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ପାଇଁ କୁହାଯାଇଥିଲା । କାମୁଡ଼ିଥିବା ନାଗକୁ ନେଇ ବବୁଲ ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ସାପକୁ ଦେଖି ଡାକ୍ତରଖାନା କର୍ମଚାରୀମାନେ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ହୋଇଥିଲେ। ସେପଟେ ଖବରପାଇ ସର୍ପମିତ୍ର ଆଦିତ୍ୟ ବେହେରା ଡାକ୍ତରଖାନାରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତ ବବୁଲଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି।