ସୀମା ଟପିଲା ବାଲି ମାଫିଆଙ୍କ ବର୍ବରତା : ଯୁବକଙ୍କୁ ଜେସିବି ଚଢ଼ାଇ ମାରିଦେଲେ

Advertisment

ମୃତ ଯୁବକ ଅବସରପ୍ରାପ୍ତ ସେନା କର୍ମଚାରୀ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ

ମୃତ ଯୁବକ ଅବସରପ୍ରାପ୍ତ ସେନା କର୍ମଚାରୀ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ

ସୀମା ଟପିଲା ବାଲି ମାଫିଆଙ୍କ ବର୍ବରତା : ଯୁବକଙ୍କୁ ଜେସିବି ଚଢ଼ାଇ ମାରିଦେଲେ

ରାସଗୋବିନ୍ଦପୁର/ମାଣିଦା : ବାଲି ମାଫିଆଙ୍କୁ ବିରୋଧ କରିବାରୁ ଆଜି ଜଣେ ଯୁବକଙ୍କୁ ମୃତ୍ୟୁର ଶିକାର ହେବାକୁ ପଡ଼ିଛି। ମୃତ ଯୁବକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ ଅଧୀନ ରାମଚନ୍ଦ୍ରପୁର ଗ୍ରାମର ମଣ୍ଟୁ ତରାଇ (୩୨)। ସେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ । ମାଫିଆମାନେ ଜେସିବି ଚଢ଼ାଇ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଏହା ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରି ଏହି ଅମାନୁଷିକ ଘଟଣାର ପ୍ରତିବାଦ କରିଛନ୍ତି।

ଜିଲ୍ଲା ଅନ୍ତର୍ଗତ ରାସାଗୋବିନ୍ଦପୁର ଥାନା ଓ ତହସିଲ୍ କାର୍ଯ୍ୟାଳୟ ଠାରୁ ମାତ୍ର ୧ କିମି ଦୂର ରାମଚନ୍ଦ୍ରପୁର ଠାରେ ରହିଛି ବାଲିଘାଟ। ଏହି ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ନେଇ ରାମଚନ୍ଦ୍ରପୁର ଗ୍ରାମବାସୀ ବହୁଦିନରୁ ଅଭି‌ଯୋଗ କରି ଆସୁଥିଲେ। ହେଲେ ପ୍ରଶାସନ ଏହାକୁ କର୍ଣ୍ଣପାତ କରୁ ନଥିଲା। ହେଲେ, ମାଫିଆଙ୍କ ଧମକକୁ ଖାତିର୍‌ ନକରି ସେନା ବିଭାଗରେ ଚାକିରି କରି ସ୍ବେଚ୍ଛାକୃତ ଅବସର ନେଇଥିବା ଯବାନ୍ ପିଣ୍ଟୁ ତରାଇ ଗତକାଲି ରାତିରେ ବାଲିଗାଡ଼ି ଅଟକାଇବାକୁ ଘରୁ ବାହାରି ଯାଇଥିଲେ। ଜମ୍ଭୀରା ନଦୀରୁ ବାଲି ଉଠାଇ ଗାଁ ମଝିରେ ଯେଉଁଠି ମାଫିଆମାନେ ବାଲିଡିପୋ କରିଥିଲେ, ସେଠାକୁ ଯାଇଥିଲେ ପିଣ୍ଟୁ। ତେବେ ବହୁ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ବିଳମ୍ବ ହେବାରୁ ଘରଲୋକେ ଓ ଗ୍ରାମବାସୀ ତାଙ୍କ ସନ୍ଧାନ ନେବାକୁ ଯାଇ ବାଲିଡିପୋ ନିକଟରେ ପିଣ୍ଟୁଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିଥିଲେ।

ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିଲା। ଗ୍ରାମବାସୀ ଶବ ରଖି ଆଜି ସକାଳେ ବାରିପଦା-ଅମର୍ଦାରୋଡ୍‌ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ବାଲିଖାଦାନ ମାଲିକ ମନୋଜ ଘୋଷ, ସହଯୋଗୀ କୁନା କାସ୍ତଭ ଓରଫ୍ ଅଶ୍ବନୀ କାସ୍ତଭ ଓ ସମ୍ପୃକ୍ତ ଜେସିବି ଡ୍ରାଇଭରଙ୍କ ଗିରଫ୍ ଦାବି, ରାମଚନ୍ଦ୍ରପୁର ବାଲିଖାଦାନକୁ ତୁରନ୍ତ ବନ୍ଦ କରିବା, ଅସାଧୁ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବିରେ ଲୋକେ ଧାରଣା ଦେଇଥିଲେ। ଘଟଣାସ୍ଥଳରେ ମୃତକଙ୍କ ପରିବାରକୁ ରେଡ୍‌କ୍ରସ୍‌ ପକ୍ଷରୁ ୧୦ ହଜାର ଟଙ୍କାର ସହାୟତା ଦିଆଯିବା ସହ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe