ଗୋଷ୍ଠୀ ସଂଘର୍ଷରୁ ସାହିଦାଣ୍ଡ ରକ୍ତରଞ୍ଜିତ: ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟା

Advertisment

ଜଣେ ଗୁରୁତର, ହତ୍ୟାକାରୀର ଘରକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକ, ରାସ୍ତା ଅବ‌ରୋଧ, ୩ ଅଟକ

ଜଣେ ଗୁରୁତର, ହତ୍ୟାକାରୀର ଘରକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକ, ରାସ୍ତା ଅବ‌ରୋଧ, ୩ ଅଟକ

ଗୋଷ୍ଠୀ ସଂଘର୍ଷରୁ ସାହିଦାଣ୍ଡ ରକ୍ତରଞ୍ଜିତ: ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟା

ବେଗୁନିଆପଡ଼ା : ଗଞ୍ଜାମ ଜିଲ୍ଲା କୋଦଳା ସହର ଖଦାଳସାହିରେ ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ରବିବାର ଉଗ୍ର ରୂପ ନେଇଛି। ବିଚ୍‌ରାସ୍ତାରେ ଜଣେ ଯୁବକଙ୍କୁ ପ୍ରତିପକ୍ଷ ଗୋଷ୍ଠୀ ଖଣ୍ଡାରେ ହାଣିବା ସହିତ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିଛନ୍ତି। ଆକ୍ରମଣରେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକଜଣକ ହେଲେ, କୋଦଳା ଖଦାଳସାହିର କାଳିଆ ଦାସ (୪୦) ଓ ଗୁରୁତରଜଣକ ହେଲେ ସାଗର ଦାସ (୩୦)। ଏହି ଘଟଣା ପରେ ସାହିରେ ବଡ଼ଧରଣର ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ଓ ମୃତକଙ୍କ ସମ୍ପର୍କୀୟ ମାନେ ମିଶି ହତ୍ୟାକାରୀର ଘରରକୁ ପୋଡ଼ି ଦେବା ସହ ଏକଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ।

କାଳିଆ ରବିବାର ସକାଳୁ କୌଣସି କାମରେ ଘରୁ ବାଇକ୍ ଯୋଗେ ନିଜ ସାଙ୍ଗ ସାଗର ସହ ମରାଠି ସାହିକୁ ଯାଇଥିଲେ। ସେଠାରୁ ଫେରୁଥିବା ସମୟରେ ପୂର୍ତ୍ତ ଡାକବଙ୍ଗଳା ନିକଟରେ ଆଗରୁ ଲୁଚିରହିଥିବା କିଛି ଯୁବକ ହଠାତ୍ ଉଭୟଙ୍କୁ ସଂଘବଦ୍ଧ ଭାବେ ସଶସ୍ତ୍ର ଆକ୍ରମଣ କରିଥିଲେ। ହେଲେ ସାଗର ଦୌଡ଼ି ପଳାଇବାକୁ ସକ୍ଷମ ହୋଇଥିଲେ। ଖଣ୍ଡାରେ କାଳିଆଙ୍କ ମୁଣ୍ଡକୁ ଚୋଟ ପକାଇବା ସହ ପଥର ଛେଚି ହତ୍ୟା କରିବା ପରେ ସମସ୍ତେ ଚମ୍ପଟ୍ ମାରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କାଳିଆଙ୍କ ଶବ ପଡ଼ି ରହିଥିଲା।

ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା। ସେପଟେ ଉତ୍ତ୍ୟକ୍ତ ‌‌ଗ୍ରାମବାସୀ ଓ ମୃତକଙ୍କ ସଂପର୍କୀୟ ମାନେ ଆକ୍ରମଣକାରୀର ଘରକୁ ଭାଙ୍ଗିବା ସହ ନିଆଁ ଲଗାଇଦେଇଥିଲେ। କୋଦଳା ଦମକଳବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ତଥାପି ଉତ୍ତ୍ୟକ୍ତ ଅଞ୍ଚଳବାସୀ ତୁରନ୍ତ ଅଭିଯୁକ୍ତକୁ ଗିରଫ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ କୋଦଳା କୋର୍ଟ ରାସ୍ତାକୁ ଟାୟାର୍ ଜାଳି ଏକ ଘଣ୍ଟା କାଳ ଅବରୋଧ କରିଥିଲେ।

ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ସହ କୋଦଳା, ଖଲ୍ଲିକୋଟ, କବିସୂର୍ଯ୍ୟନଗର ଓ ପୋଲସରା ଥାନାଧିକାରୀ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରାଯିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ତେବେ ଏଯାଏ କୌଣସି ମାମଲା ରୁଜୁ ହୋଇ ନଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି। ୩ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନାନୁସାରେ ହତ୍ୟାକାରୀ ଓ ମୃତକଙ୍କ ପରିବାର ମଧ୍ୟରେ କୌଣସି ଏକ ହତ୍ୟା ଘଟଣାକୁ ନେଇ ଦୀର୍ଘବର୍ଷ ଧରି ବିବାଦ ଲାଗି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe