stock.adobe.com
କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡ଼ା ପଞ୍ଚାୟତ ମହୁଲମୁଣ୍ଡା ଗ୍ରାମ ନିକଟରେ ଥିବା ଏକ ଧାନ ଖଳାରେ ଜଣେ ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ମୃତକ ଜଣକ ମହୁଲମୁଣ୍ଡା ଗ୍ରାମର ଦୟାନିଧି ଦୁଣ୍ଡକିଆ ବୋଲି ଜଣାପଡ଼ିଛି। ସେ ଦୀର୍ଘ ବର୍ଷ ହେଲା ଚିଲିଗୁଡ଼ା ଗ୍ରାମରେ ରହୁଥିବା ବେଳେ ତାଙ୍କ ପୈତୃକ ଗ୍ରାମ ମହୁଲମୁଣ୍ଡା ହୋଇଥିବା ଜଣାପଡିଛି। ସୋମବାର ଦୟାନିଧି ଦୁଣ୍ଡକିଆଙ୍କ ଜମିରେ ଧାନ କଟା ଚାଲିଥିବା ବେଳେ ସେ ଚାଷଜମିକୁ ଆସିଥିଲେ। ସନ୍ଧ୍ୟାରେ ହତ୍ୟାକାଣ୍ଡ ଘଟିଥିବା​ ପୁଲିସ୍ ସୁଚନା ଦେଇଛି।
ହତ୍ୟାକାଣ୍ଡର କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଘଟଣାସ୍ଥଳରେ କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରାଙ୍କ ସହ ପୁଲିସ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ ମୃତକଙ୍କ ପତ୍ନୀ ସାଧନୀ ଦୁଣ୍ଡକିଆ ତାଙ୍କ ସ୍ୱାମୀଙ୍କୁ ସମ୍ପର୍କୀୟ କାକା ପୁଅ ଦେବରାଜ ଦୁଣ୍ଡକିଆ ଓ ବଡ଼ ବାପା ପୁଅ ରୂପଧର ଦୁଣ୍ଡକିଆ ଜମି ବିବାଦକୁ ନେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଏନେଇ ପୁଲିସ୍ ତଦନ୍ତ ଜାରି ରଖିଥିବା ବେଳେ ମଙ୍ଗଳବାର ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ କରିବ ବୋଲି ସୂଚନା ମିଳିଛି। ତେବେ ଆବଶ୍ୟକ ତଦନ୍ତ ପରେ ହତ୍ୟାକାଣ୍ଡ ପଛର ସତ୍ୟତା ଜଣାପଡ଼ିବ ବୋଲି କୋକସରା ପୁଲିସ୍ ସୂଚନା ଦେଇଛି।
Follow Us