ସୁନାବେଡ଼ା ଅଭୟାରଣ୍ୟରେ ଲାଲ୍‌ ତାଣ୍ଡବ: ଯୁବକଙ୍କୁ ଗୁଳିକରି ହତ୍ୟା

Advertisment

ଭୟରେ ଘଟଣାସ୍ଥଳକୁ ଗଲାନି ପୁଲିସ, ମହାପ୍ରୟାଣ ଗାଡ଼ିରେ ଶବ ଆସିଲା

ଭୟରେ ଘଟଣାସ୍ଥଳକୁ ଗଲାନି ପୁଲିସ, ମହାପ୍ରୟାଣ ଗାଡ଼ିରେ ଶବ ଆସିଲା

ସୁନାବେଡ଼ା ଅଭୟାରଣ୍ୟରେ ଲାଲ୍‌ ତାଣ୍ଡବ: ଯୁବକଙ୍କୁ ଗୁଳିକରି ହତ୍ୟା

ଦୁଃଖରେ ଭାଙ୍ଗିପଡ଼ିଛନ୍ତି ମୃତ ଅନନ୍ତରାମଙ୍କ ପରିବାର

କୋମନା : ଆଫ୍‌ଗାନିସ୍ତାନରେ ତାଲିବାନୀଙ୍କ ନିର୍ମମ ହତ୍ୟା କାହାରିକୁ ଅଛପା ନାହିଁ। ସମ୍ପୂର୍ଣ୍ଣ ଭାବେ ସେହିଭଳି ନହେଲେ ମଧ୍ୟ ଏହାର କିଛିକାଂଶରେ ମାଓମାଦୀମାନେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି। ଘରୁ ଉଠାଇନେବା ପ‌ରେ ପ୍ରଥମେ ଗୋଡ଼ହାତ ବାନ୍ଧିଦେଇ ଗୁଳି କରିଛନ୍ତି। ଏହାପରେ, ମୃତଦେହକୁ ଗାଁ ମୁଣ୍ଡରେ ଫିଙ୍ଗି ଦେଇଛନ୍ତି। ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀମାନେ ଏହିଭଳି ତାଣ୍ଡବ ରଚିଥିବା ବେଳେ ମୃତ ଯୁବକ ହେଉଛନ୍ତି ଛତିଶଗଡ଼ ରାଜ୍ୟର ମୂଳବାସିନ୍ଦା ଅନନ୍ତରାମ ସୁନାବେଡ଼ା।

ସୂଚନା ଅନୁସାରେ, ଅନନ୍ତରାମ ସୁନାବେଡ଼ା ଅଭୟାରଣ୍ୟ ଅଧୀନ କୋମନା ଥାନା ଢେକୁନପାଣି ଗାଁରେ ପରିବାର ସହ ବହୁବର୍ଷ ହେଲା ରହିଆସୁଥିଲେ। ଗତକାଲି ରାତିରେ ସେ ଶୋଇଥିବାବେଳେ ୨୦-୩୦ ଜଣ ମାଓବାଦୀ ତାଙ୍କ ଘରେ ପହଞ୍ଚିଥିଲେ। ପ୍ରଥମେ ପାଣି ମାଗିଥିଲେ। ପତ୍ନୀ ଧରମୀ ଘରେ କେହିନାହାନ୍ତି କହି ପାଣି ଦେବାକୁ ମନା କରିଥିଲେ। ପରେ ମାଓବାଦୀମାନେ ଘର ପାଖରେ ଥିବା ଏକ କାଠରେ କବାଟ ଭାଙ୍ଗି ଘର ଭିତରୁ ଅନନ୍ତରାମଙ୍କୁ ନେଇ ଯାଇଥିଲେ। ଧରମୀ ସ୍ବାମୀଙ୍କୁ ଛାଡ଼ି ଦେବାକୁ ବହୁ ନେହୁରା ହୋଇଥିଲେ। ଜୀବନ ଭିକ୍ଷା ବି କରିଥିଲେ। ଏହାପରେ ମାଓବାଦୀମାନେ କିଛି କରିବୁ ନାହିଁ, କିଛି ସମୟରେ ପରେ ତାଙ୍କୁ ଆଣି ଛାଡ଼ିଦେବୁ ବୋଲି କହିଥିଲେ। ତଥାପି ଧରମୀ ବିଶ୍ବାସ ନକରି ତାଙ୍କ ପଛେ ପଛେ ଯାଇଥିଲେ। ହେଲେ, ଜଣେ ମହିଳା ମାଓବାଦୀ ଧରମୀଙ୍କୁ ଟେକି ନେଇ ଘରେ ଛାଡ଼ି ଦେଇଥିଲା। ଏବଂ, ଏହାପରେ କିଛିଦୂରକୁ ନେଇ ଗୋଡ଼ହାତ ବାନ୍ଧିଦେଇ ଗୁଳିକରି ହତ୍ୟା କରିଥିଲେ। ପରେ, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗାଁ ମୁଣ୍ଡରେ ମୃତଦେହ ଆଣି ଫିଙ୍ଗି ଦେଇଥିଲେ। ଏହାପରେ ଛତିଶଗଡ଼ ପଟକୁ ଚାଲିଯାଇଥିଲେ।

ଶୁକ୍ରବାର ଦିନ ଏହି ଘଟଣା ପ୍ରଚାର ହେବା ପରେ ଗାଁରେ ଆତଙ୍କ ଖେଳିଯାଇଥିଲା। ହେଲେ ମାଓବାଦୀ ଭୟରେ ସବୁ ଜାଣି ମଧ୍ୟ ପୁଲିସ୍ ଘଟଣାସ୍ଥଳକୁ ଯାଇ ନଥିଲା। ପୁଲିସ୍‌ ବରକୋଟରେ ଅଟକି ରହିବା ସହ ଏକ ମହାପ୍ରୟାଣ ଗାଡ଼ି ପଠାଇ ଶବକୁ ବ୍ୟବଚ୍ଛେଦ ପାଇଁ କୋମନା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବାକୁ କହିଥିଲା।

ପୁଲିସ୍ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କରାଯାଇଥିବା ପୁଲିସ୍ ସୂଚନା ଦେଇଛି। ଅନ୍ୟପକ୍ଷରେ, ମୃତଦେହ ନିକଟରେ କେତୋଟି ମାଓ ପୋଷ୍ଟର ପଡ଼ିଥିବା ଦେଖାଯାଇଛି। ଅନନ୍ତରାମ ପୁଲିସ୍ ଇନ୍‌ଫର୍ମର ଭାବେ କାମ କରୁଥିଲା। ସେ ଦୀର୍ଘଦିନ ହେଲା ଏହି କାମ କରି ଆସୁଥିବା ବେଳେ ପୁଲିସ୍ ପକ୍ଷରୁ ତାକୁ ମାସକୁ ୮ ହଜାର ଟଙ୍କା ଦିଆଯାଉଥିଲା। ମାଓବାଦୀଙ୍କ ଗତିବିଧି ଉପରେ ସେ ପୁଲିସ୍‌କୁ ସୂଚନା ଦେଉଥିବାରୁ ତାକୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି।

ଅନ୍ୟପକ୍ଷରେ, ଅନନ୍ତଙ୍କ ମୃତ୍ୟୁ ପରେ ପତ୍ନୀ ଧରମୀ ସହ ୬ ଝିଅ ଚମ୍ପି, ତୁଳସୀ, ସବିତା, ସୁଶୀଳା, କ୍ଷୀର, ଅଞ୍ଜନା ବେସାହାରା ହୋଇ ଯାଇଛନ୍ତି। ବିଭିନ୍ନ କାମ କରି ଅନନ୍ତରାମ ପରିବାର ପ୍ରତିପୋଷଣ କରୁଥିବା ବେଳେ ବର୍ତ୍ତମାନ ତାଙ୍କ ମୃତ୍ୟୁ ପରେ ପରିବାର କିପରି ଚଳିବ ସେନେଇ , ପତ୍ନୀ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ କିଛିଦିନର ନିରବତା ପରେ ସୁନାବେଡ଼ା ଅଭୟାରଣ୍ୟରେ ଲାଲ୍‌ବାହିନୀ ନିଜର ଉପସ୍ଥିତି ଜାହିର୍‌ କରିଛନ୍ତି। ଏହି ଘଟଣା ପରେ ଗାଁରେ ଆତଙ୍କ ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe