ଯୁବ-ଛାତ୍ର ବିଜେଡି ସମାବେଶ, ରାଲିରେ ଦଶମ ଛାତ୍ର, ଜିଲ୍ଲା ଶିକ୍ଷାଧିକାରୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

Advertisment

କହିଲେ, ଛାତ୍ରମାନେ ଯୋଗ ଦେଇପାରିବେ!

କହିଲେ, ଛାତ୍ରମାନେ ଯୋଗ ଦେଇପାରିବେ!

ଯୁବ-ଛାତ୍ର ବିଜେଡି ସମାବେଶ, ରାଲିରେ ଦଶମ ଛାତ୍ର, ଜିଲ୍ଲା ଶିକ୍ଷାଧିକାରୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

Odisha Bytes

ପାରଳାଖେମୁଣ୍ଡି: ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ବିଜେଡି ଯୁବ-ଛାତ୍ର ନେତୃତ୍ବ ସମାବେଶ ଓ ରାଲିରେ ସ୍ଥାନୀୟ କିଛି ସରକାରୀ ଏବଂ ବେସରକାରୀ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଙ୍କୁ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଲାଗିରହିଛି। ତେବେ, ଛାତ୍ର, ସ୍କୁଲ୍‌ କର୍ତ୍ତୃପକ୍ଷ ଏବଂ ଏପରିକି ଜିଲ୍ଲା ଶିକ୍ଷାଧିକାରୀଙ୍କ ମତ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଦେଇଛି।
ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମ୍ ପରିସରରେ ଏହି ସମାବେଶର ଆୟୋଜନ କରାଯାଇଥିଲା। ସମାବେଶରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ୫ ଜଣ ବିଧାୟକ ବ୍ୟାମକେଶ ରାୟ, ଦେବୀରଞ୍ଜନ ତ୍ରିପାଠୀ, ଡ. ପ୍ରଣବ ବଳବନ୍ତରାୟ, ସଞ୍ଜୀବ କୁମାର ମଲ୍ଲିକ ଓ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଯୋଗ‌ଦେଇଥିଲେ। ସମାବେଶରେ ଦଶମ ଶ୍ରେଣୀ ଛାତ୍ର ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଛାତ୍ରଙ୍କୁ ପଚାରିବାରୁ ସେମାନେ ରାଲି ପାଇଁ ବିଦ୍ୟାଳୟରୁ ଅନୁମତି ନେଇ ଆସିଥିବା କହିଥିଲେ।

ଏପରିକି ଦୁଇଟି ଘରୋଇ ବସ୍‌ରେ ଛାତ୍ରଙ୍କୁ ଗଜପତି ଷ୍ଟାଡିୟମକୁ ଅଣା ଯାଇଥିବା ଦେଖିବାକୁ ମିଳିଥିଲା। ଏନେଇ ସ୍ଥାନୀୟ ଏକ ବେସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସେମାନେ ନିଜର ନାମ ଗୋପନ ରଖି କହିଥିଲେ, ଦୁଇ ଦିନ ପୂର୍ବେ ଜିଲ୍ଲା ଶିକ୍ଷାଧିକାରୀ ଛାତ୍ରାବାସର ଦଶମ ଶ୍ରେଣୀ ଛାତ୍ରଙ୍କୁ ସମାବେଶକୁ ପଠାଇବା ପାଇଁ କହିଥିଲେ। କେବଳ ସେତିକି ନୁହେଁ, ଜିଲ୍ଲା ଶିକ୍ଷାଧିକାରୀ କହିଥିଲେ, ଏହି ଛାତ୍ରମାନଙ୍କ ଯିବା ଆସିବା ଖର୍ଚ୍ଚ ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ।

ଏ ବିଷୟରେ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କୁ ପଚାରିବାରୁ ସେପରି କିଛି ଲିଖିତ ନିର୍ଦ୍ଦେଶ ଦିଆଯାଇ ନଥିବା କହିଥିଲେ। କିନ୍ତୁ ଦଶମ ଶ୍ରେଣୀ ଛାତ୍ରମାନେ ଏହି ଛାତ୍ର ସମାବେଶରେ କୌଣସି ଚାପ ନଥାଇ ଯୋଗ ଦେଇପାରିବେ ବୋଲି ସେ କହିଥିଲେ। ଏହାକୁ ନେଇ ଆଜି ଚର୍ଚ୍ଚା ଲାଗିରହିଥିବାବେଳେ ଫୋନ୍‌ କରାଯିବା ସତ୍ତ୍ବେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ସହ ଯୋଗାଯୋଗ ହୋଇପାରି ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe