ନିଜ ଭୟ ଓ ଲୋକଙ୍କ ସନ୍ଦେହ ହେଲା କାଳ : ସଙ୍ଗରୋଧ କକ୍ଷରେ ଯୁବକଙ୍କ ଆତ୍ମହତ୍ୟା

Advertisment

ଫେବ୍ରୁଆରିରେ ହିମାଚଳ ପ୍ରଦେଶରୁ ଫେରିଥିଲେ

ଫେବ୍ରୁଆରିରେ ହିମାଚଳ ପ୍ରଦେଶରୁ ଫେରିଥିଲେ

ଲକ୍‌ଡାଉନ୍‌ ଯନ୍ତ୍ରଣା: ରୋଜଗାର ବନ୍ଦ, ଋଣ ବୋଝ ନେଇଗଲା ଜୀବନ

Roya News

ରାଉରକେଲା/ଗୁରୁଣ୍ଡିଆ : ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆରେ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ହେଲେ ଆନନ୍ଦ ମାସି ଲାକ୍ରା (୩୦) l ତାଙ୍କ ଘର ଗୁରୁଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଗାଁ ମତଲଗଡ ବସ୍ତି‌ରେ l ଗୁରୁଣ୍ଡିଆ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ସଙ୍ଗରୋଧ କେନ୍ଦ୍ର ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ଓ ଚିକିତ୍ସା କରୁଥିବା ଡାକ୍ତରଙ୍କ ବୟାନକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ମୁତାବକ, ଆନନ୍ଦଙ୍କ ପରିବାରରେ ତାଙ୍କର ବିଧବା ମା’ ଅଛନ୍ତି। ଗତ ୨୦୧୯ ଅଗଷ୍ଟ ମାସରେ ସେ ହିମାଚଳ ପ୍ରଦେଶକୁ କାମ କରିବାକୁ ଯାଇଥିଲେ। ସେଠାରେ ୬ ମାସ କରିବା ପରେ ଗତ ଫେବ୍ରୁଆରି ୧୨ ତାରିଖରେ ଘରକୁ ଫେରିଥିଲେ। ତିନି ଦିନ ତଳେ ତାଙ୍କୁ ଥଣ୍ଡା, କାଶ ହୋଇଥିଲା। ଭଲ ନ ହେବାରୁ ଗତକାଲି ସେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଗୁରୁଣ୍ଡିଆ ପ୍ରାଥମିକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ଯାତ୍ରା ଇତିହାସ ବାବଦରେ ପଚାରିଥିଲେ। ଆନନ୍ଦ ଗତ ଫେବ୍ରୁଆରି ମାସରେ ହିମାଚଳ ପ୍ରଦେଶରୁ ଘରକୁ ଫେରିଥିବା କଥା କହିଥିଲେ। ଏହା ପରେ ଡାକ୍ତର ତାଙ୍କୁ ଗୁରୁଣ୍ଡିଆ ପଞ୍ଚାୟତ ସମିତି ଉଚ୍ଚବିଦ୍ୟାଳୟରେ ଥିବା ସଙ୍ଗରୋଧ କକ୍ଷକୁ ଯିବାକୁ କହିଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆନନ୍ଦ ସଙ୍ଗରୋଧ କେନ୍ଦ୍ରକୁ ଯାଇଥିଲେ। ଉକ୍ତ ସଙ୍ଗରୋଧ କେନ୍ଦ୍ରରେ ଅନ୍ୟ ୧୮ ଜଣଙ୍କୁ ରଖାଯାଇଥିଲା। ଯେହେତୁ ଆନନ୍ଦଙ୍କୁ କରୋନା ସନ୍ଦିଗ୍ଧ ଭାବେ ବିବେଚନା କରାଯାଇଥିଲା, ତେଣୁ ତାଙ୍କୁ ଏକ ସ୍ବତନ୍ତ୍ର କକ୍ଷରେ ରଖାଯାଇଥିଲା। ସଂଧ୍ୟାରେ ଆନନ୍ଦ ଘରୁ ତାଙ୍କ ପୋଷାକ ଆଣିଦେବାକୁ ତାଙ୍କ ବଡ଼ବାପାଙ୍କୁ କହିଥିଲେ। ରାତିରେ ତାଙ୍କ ବଡ଼ବାପା ପୋଷାକ ଆଣି ଦେଇଥିଲେ। ତେବେ ସଙ୍ଗରୋଧ କେନ୍ଦ୍ରରେ ସମସ୍ତେ ଶୋଇପଡ଼ିବା ପରେ ବିଳମ୍ବିତ ରାତିରେ ଆନନ୍ଦ ବିଦ୍ୟାଳୟ ନିକଟରେ ଥିବା ଏକ ଶାଗୁଆନ ଗଛରେ ନିଜ ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କରିଥିଲେ।

ଆଜି ସକାଳେ ଆନନ୍ଦଙ୍କ ଝୁଲନ୍ତା ଶବ ଦେଖି ସଙ୍ଗରୋଧ କେନ୍ଦ୍ରରେ ଥିବା ଲୋକମାନେ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଗୁରୁଣ୍ଡିଆ ଥାନା ଅଧିକାରୀ, ତହସିଲଦାର ପାସ୍କାଲ କିରୋ, ସରପଞ୍ଚ ପ୍ରଭାକର ମୁଣ୍ଡା ଓ ବ୍ଲକ ଉପାଧ୍ୟକ୍ଷ ପାତ୍ରାସ ଏକ୍କା ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଯୁବକଙ୍କ ଶବ ବ୍ୟବଚ୍ଛେଦ କରାଯିବା ସହିତ ପରୀକ୍ଷା ପାଇଁ ପଠାହେବା ଲାଗି ସ୍ବାବ୍ ରାଉରକେଲା ଅଣାଯାଇଛି। ସେପଟେ ରେଡକ୍ରସ ପକ୍ଷରୁ ତାଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସ୍ଥାନୀୟ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କ ପରିବାର ସମସ୍ତ ସଦସ୍ୟଙ୍କୁ ଗୁରୁଣ୍ଡିଆ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ଚର୍ଚ୍ଚା ହେଉଛି ଯେ ରାଜ୍ୟ ବାହାରୁ ଆସିଥିବାରୁ ଓ ଥଣ୍ଡା କାଶ ହେବାରୁ ତାଙ୍କୁ ଲୋକେ ସନ୍ଦେହ ଦୃଷ୍ଟିରେ ଦେଖିବା ଏବଂ ତାଙ୍କୁ ସତରେ କରୋନା ହେବାର ଭୟ କାରଣରୁ ସେ ଅପମାନ, ଦୁଃଖ ଓ ହତାଶାରେ ସେ ଏପରି ଚରମ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe