ଆର୍‌ଏସ୍‌ପିରେ ୧୨ ଘଣ୍ଟାରେ ଦୁଇଟି ଦୁର୍ଘଟଣା : ଡମ୍ପର ଧକ୍କାରେ ଯୁବ କର୍ମଚାରୀ ମୃତ

ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ଗୋଟିଏ ଦିନରେ ୬ଟି ରେକର୍ଡ

ରାଉରକେଲା : ରାଉରକେଲା ଇସ୍ପାତ କାରଖାନାରେ ୧୨ ଘଣ୍ଟାରେ ଦୁଇଟି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଡମ୍ପର ଧକ୍କା ଦେବାରୁ ଗତକାଲି ରାତିରେ ଏକ ଠିକା ସଂସ୍ଥାର ଜଣେ ଯୁବ କର୍ମଚାରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଆଜି ପୂର୍ବାହ୍ନରେ ମଧ୍ୟ ଜଣେ ଠିକା ଶ୍ରମିକ ଦୁର୍ଘଟଣାର ଶିକାର ହୋଇ ଗୋଟିଏ ଗୋଡ଼ ହରାଇଛନ୍ତି।

ଆର୍‌ଏସ୍‌ପିରେ କାର୍ଯ୍ୟରତ ଏନ୍‌ଏସ୍‌ପିସିଏଲ୍‌ର ଏକ ଠିକା ସଂସ୍ଥା ୟୁନିଷ୍ଟାର୍‌ ଏଣ୍ଟର୍‌ପ୍ରାଇଜେସ୍‌ ଦ୍ବାରା ନିଯୁକ୍ତ ବାଲେଶ୍ବରର ଚନ୍ଦନ ମହାପାତ୍ର (୩୧) କାରଖାନାର ସିଭିଲ ଇଂଜିନିଅରିଂ ବିଭାଗରେ କାମ କରୁଥିଲେ। ଗତକାଲି ସନ୍ଧ୍ୟାରେ ଚନ୍ଦନ କାମ ସାରି ଘରକୁ ବାଇକ୍‌ରେ ଫେରୁଥିବା ବେଳେ ଏକ ଡମ୍ପର ତାଙ୍କୁ ଧକ୍କା ଦେଇଥିଲା। ଇସ୍ପାତ ଜେନେରାଲ ହସ୍‌ପିଟାଲ୍‌ (ଆଇଜିଏଚ୍‌)ରେ ଚିକିତ୍ସାଧୀନ ଅବସ୍ଥାରେ ରାତିରେ ଚନ୍ଦନଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ପତ୍ନୀଙ୍କୁ ଅନୁକମ୍ପା ନିଯୁକ୍ତି ପ୍ରଦାନ କରିବାକୁ ଆର୍‌ଏସ୍‌ପି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଆଜି ପୂର୍ବାହ୍ନରେ ବ୍ୟବଚ୍ଛେଦ ପରେ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଛି।

ଚନ୍ଦନଙ୍କ ମୃତ୍ୟୁକୁ ୧୨ ଘଣ୍ଟା ନ ପୂରୁଣୁ ଆର୍‌ଏସ୍‌ପି ଭିତରେ ଆଉ ଜଣେ ଠିକା ଶ୍ରମିକ ସତ୍ୟାନନ୍ଦ ତନ୍ତୀ (୩୩) ଦୁର୍ଘଟଣାର ଶିକାର ହୋଇଛନ୍ତି। ଠିକା ସଂସ୍ଥା ପୁନିଆ ଏଣ୍ଟର୍‌ପ୍ରାଇଜେସ୍‌ ଦ୍ବାରା ନିଯୁକ୍ତ ସତ୍ୟାନନ୍ଦ କାରଖାନାର ଓବିବିପି ବିଭାଗ‌ ବ୍ୟାରେଲ ନଂ-୪ରେ ସେ କାମ କରୁଥିଲେ। ଆଜି ପୂର୍ବାହ୍ନ ପାଖାପାଖି ୧୦.୩୦ରେ ସତ୍ୟାନନ୍ଦ କାମ କରୁଥିବାବେଳେ ମିକ୍ସର ମେସିନ ଭିତରକୁ ତାଙ୍କ ଗୋଡ଼ ପଶିଯାଇଥିଲା। ଫଳରେ ଗୋଡ଼ଟି ସଂପୂର୍ଣ୍ଣ ଭାବେ ଛିଣ୍ଡି ଯାଇଥିଲା। ଗୁରୁତର ସତ୍ୟାନନ୍ଦଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି। ସେ ବର୍ତ୍ତମାନ ଆଇସିୟୁରେ ଚିକତ୍ସାଧୀନ ଅଛନ୍ତି। ଦୁର୍ଘଟଣାକୁ ନେଇ କାରଖାନା ସିଇଓ ଦୀପକ ଚଟ୍ଟରାଜ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଉପଯୁକ୍ତ ସାହାଯ୍ୟ ଓ ସହଯୋଗ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe