ରାଜ୍ୟ ପାଇଁ ଆଦର୍ଶ: ହଟ୍‌ସ୍ପଟ୍‌ରେ ଦୁଇ ଲହର୍‌ରେ ଜିରୋ ସଂକ୍ରମିତ ସଫେଇ କର୍ମଚାରୀ

Advertisment

୨୪ ଘଣ୍ଟିଆ ସେବା, ସ୍ବଚ୍ଛତା ସହ ସତର୍କତାକୁ ବ୍ରତ କରିଥିଲେ

୨୪ ଘଣ୍ଟିଆ ସେବା, ସ୍ବଚ୍ଛତା ସହ ସତର୍କତାକୁ ବ୍ରତ କରିଥିଲେ

ରାଜ୍ୟ ପାଇଁ ଆଦର୍ଶ: ହଟ୍‌ସ୍ପଟ୍‌ରେ ଦୁଇ ଲହର୍‌ରେ ଜିରୋ ସଂକ୍ରମିତ ସଫେଇ କର୍ମଚାରୀ

ବ୍ରହ୍ମପୁର : କରୋନା ପ୍ରଭାବରେ ପ୍ରଥମ ଓ ଦ୍ବିତୀୟ ଲହର୍‌ରେ ଡହ ଡହ ଜଳୁଥିଲା ସାରା ଗଞ୍ଜାମ ଓ ବ୍ରହ୍ମପୁର ମହାନଗର। ରାଜ୍ୟର ୧ ନମ୍ବର ହଟ୍‌ସ୍ପଟ୍‌ ପାଲଟିଥିଲା, ସବୁଠାରୁ ଅଧିକ ମୁଣ୍ଡ ନେଇଥିଲା କରୋନା। କରୋନା ମହାମାରୀର କ୍ରୁର ପ୍ରଭାବ ବ୍ରହ୍ମପୁର ସହରରେ ଏମିତି କୌଣସି ସାହି ଗଳି ନାହିଁ, ନିସ୍ତାର ପାଇଥିଲା। ପ୍ରଥମ ଲହର୍‌ ଅପେକ୍ଷା ଦ୍ବିତୀୟ ଲହର୍‌ ଅଧିକ ଆତଙ୍କ ଖେଳାଇ ଥିଲା। ପ୍ରତି ସାହି ଗଳିରୁ ହଜାର ହଜାର କୋଭିଡ୍‌ ପଜିଟିଭ୍ ଚିହ୍ନଟ ହେଉଥିଲେ। ସ୍ଥିତି ଏପରି ହୋଇଥିଲା, ସହରବାସୀ ପଦାକୁ ଗୋଡ଼ କାଢ଼ିବା ପାଇଁ ମଧ୍ୟ ଭୟ କରୁଥିଲେ। ଏଭଳି ଜଟିଳ ପରିସ୍ଥିତିରେ କିନ୍ତୁ ସଂଜ ଗଡ଼ିବା ପୂର୍ବରୁ ନିଜକୁ ପ୍ରସ୍ତୁତ କରି କର୍ମକ୍ଷେତ୍ରକୁ ବାହାରି ପଡ଼ୁଥିଲେ ସଫେଇ କର୍ମଚାରୀମାନେ।

ରାସ୍ତାଘାଟ, ସାହି ଗଳିରୁ ଅଳିଆ ଆବର୍ଜନା ସଫା କରିବାରେ ଅନବରତ ୧୬ ମାସ ହେଲା ଲାଗିଛନ୍ତି। ଏପରିକି ଗୃହ ସଂଗରୋଧରେ ଥିବା ବ୍ୟକ୍ତିଙ୍କ ଘର ସମ୍ମୁଖରୁ ମଧ୍ୟ ଅଳିଆ ଗୋଟାଇ ସ୍ଥାନାନ୍ତର କରିବାକୁ ପଛଘୁଞ୍ଚା ଦେଇ ନଥିଲେ। ଏପରି ସ୍ଥଳେ ପାଦେ ପାଦେ ପ୍ରତ୍ୟେକ ସଫେଇ କର୍ମଚାରୀଙ୍କ ଜୀବନ ବିପଦାପନ୍ନ ଥିଲେ ମଧ୍ୟ କର୍ମ, ସେବା, ସ୍ବଚ୍ଛତା ସହ ସତର୍କତାକୁ ସେମାନେ ବ୍ରତ ଭାବେ ଗ୍ରହଣ କରି ନେଇଥିଲେ। ବସ୍ତି ଅଞ୍ଚଳରେ ରହୁଥିବା‌ ଅଧିକାଂଶ ସଫେଇ କର୍ମଚାରୀଙ୍କ କ୍ଷେତ୍ରରେ ସଂକ୍ରମିତ ହେବାର ସମ୍ଭାବନା ଅଧିକ ଥିଲା। ହେଲେ କେତେ ସଫେଇ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ, ସେ ଖବର ସଂଗ୍ରହ କରିବା ବେଳକୁ ଅବିଶ୍ବନୀୟ ତଥ୍ୟ ସାମ୍ନାକୁ ଆସିଛି। ‌କରୋନା ସାରା ସହରରେ କାୟା ବିସ୍ତାର କରିଥିଲେ ମଧ୍ୟ ଜଣେ ମଧ୍ୟ ସଫେଇ କର୍ମଚାରୀ କରୋନାରେ ସଂକ୍ରମିତ ହୋଇ ନଥିବା ଜଣାପଡ଼ିଛି।

ବ୍ରହ୍ମପୁର ମ୍ୟୁନସିପାଲଟି ମେହେନ୍ତର ଓ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ଥିବା ବିଏମ୍‌ସିର ପୂର୍ବତନ କର୍ପୋରେଟର୍ ଅନିଲ୍ କୁମାର ନାୟକଙ୍କ ସୂଚନା ମୁତାବକ କରୋନାର ଦୁଇ ଲହର୍‌ରେ ଜଣେ ହେଲେ ବି ସଫେଇ କର୍ମଚାରୀ ସଂକ୍ରମିତ ହୋଇ ନାହାନ୍ତି। ଆଗଧାଡ଼ିର କରୋନା ଯୋଦ୍ଧାମାନଙ୍କ ପାଇଁ ପ୍ରଥମେ ସ୍ବତନ୍ତ୍ର ଟିକାଦାନ ବ୍ୟବସ୍ଥା ହୋଇଥିବା ବେଳେ ଏହି ସଫେଇ କର୍ମଚାରୀଙ୍କ କଥା କେହି ଚିନ୍ତା କରି ନଥିଲେ। ଏବେ କିଛି କର୍ମଚାରୀ ନିଜସ୍ବ ଉଦ୍ୟମରେ ଟିକା ନେଉଛନ୍ତି। ‌ଈଶ୍ବରଙ୍କ ଆଶୀର୍ବାଦ ପାଇଁ ଏହା ସମ୍ଭବ ହୋଇଛି। ଅନ୍ୟପକ୍ଷେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ ମାତ୍ର ଜଣେ ମହିଳା ‌ସଫେଇ କର୍ମଚାରୀଙ୍କ ନିକଟରେ କୋଭିଡ୍‌ ଲକ୍ଷଣ ଦେଖା ଯାଇଥିଲା। ସେ ଗୃହ ସଂଗରୋଧରେ ରହି ସୁସ୍ଥ ହୋଇଥିଲେ।

ସୂଚନା ମୁତାବକ, ବ୍ରହ୍ମପୁର ମହାନଗର ନିଗମର ୪୦ଟି ୱାର୍ଡ଼ର ସଫେଇ କାମରେ ୩୦୨ଜଣ ସରକାରୀ ଓ ୯୮୩ଜଣ ଠିକା କର୍ମଚାରୀ ନିୟୋଜିତ ହୋଇଛନ୍ତି। ରାସ୍ତାଘାଟରେ ଝାଡ଼ୁ ମାରିବା, ଅଳିଆ, ଆବର୍ଜନା ସଂଗ୍ରହ କରି ଡମ୍ପିଂୟାର୍ଡ଼ରେ ପକାଇବା, ଏପରିକି ନାଳ ସଫା କରିବା କାମରେ ଏହି କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି। ଗତ ବର୍ଷ ସହରରେ କରୋନାର ପ୍ରଥମ ଲହର୍‌ ଆରମ୍ଭ ହୋଇଯାଇଥିବା ବେଳେ ଏହି କର୍ମଚାରୀମାନେ ବିନା ମାସ୍କ ଏବଂ ଗ୍ଲୋବ୍‌ସରେ ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଥିବା ନଜର୍‌କୁ ଆସିଥିଲା। ଏନେଇ ସମ୍ବାଦ ପରିବେଷଣ ପରେ ସଫେଇ କର୍ମଚାରୀଙ୍କ ସୁରକ୍ଷା ନେଇ ସ୍ଥାନୀୟ ପ୍ରଶାସନ ତତ୍ପର ହୋଇଥିଲା। ସମସ୍ତ କର୍ମଚାରୀଙ୍କୁ ମାସ୍କ ଏବଂ ଗ୍ଲୋବ୍‌ସ ବଣ୍ଟାଯିବା ସହ ସେମାନଙ୍କୁ ସଚେତନ କରାଯାଇଥିଲା। ‌ତେବେ ପ୍ରଥମ ଲହର୍‌ରେ ଜଣେ ହେଲେବି ସଫେଇ କର୍ମଚାରୀ ‌ସଂକ୍ରମିତ ହୋଇନଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସରୁ ପୁଣି ସହରରେ କୋଭିଡ୍‌ର ଦ୍ବିତୀୟ ଲହର୍‌ ଆରମ୍ଭ ହୋଇ ଏବେ ଧୀରେଧୀରେ ଏହା ପ୍ରଶମିତ ହେବାରେ ଲାଗିଛି। ଏହି ଅବଧିରେ ମଧ୍ୟ ସଫେଇ କର୍ମଚାରୀମାନେ ମଧ୍ୟ ନିଜକୁ ସରକ୍ଷିତ ରଖିବାରେ ସକ୍ଷମ ହୋଇଛନ୍ତି।

ଏ ସମ୍ପର୍କରେ ଏଣ୍ଡୋକ୍ରାଇନୋଲୋଜିଷ୍ଟ୍‌ ଡା. ସୁନୀଲ୍ କୋଟାଙ୍କୁ ପଚାରିବାରୁ ସେ କହିଥିଲେ, ନିୟମିତ ବ୍ୟାୟାମ କରୁଥିବା ଏବଂ ମୋଟା ନଥିବା ବ୍ୟକ୍ତିଙ୍କୁ କରୋନା ବେଶି ପ୍ରଭାବିତ କରିପାରିନି। ଅଧିକାଂଶ ସଫେଇ କର୍ମଚାରୀଙ୍କ କ୍ଷେତ୍ରରେ ଶରୀରର ମାତ୍ରାଧିକ ଓଜନ ଦେଖିବାକୁ ମିଳେନି। ଅନ୍ୟପକ୍ଷେ ଯେଉଁମାନେ କଠିନ ପରିଶ୍ରମ କରିବା ସହ ଖରା, ବର୍ରେଷ, ଶୀତ ଭଳି ବର୍ଷ ସାରା ପ୍ରତିକୂଳ ପରିସ୍ଥିତିରେ କାମ କରନ୍ତି, ସେମାନଙ୍କ ଶରୀରରେ ଭିଟାମିନ୍-ଡିର ପରିମାଣ ଅଧିକ ରହିଥାଏ। ଫଳରେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଅଧିକ ଥାଏ। ସେହିପରି ସର୍ବଦା ଦୂଷିତ ପରିବେଶ ସଂସ୍ପର୍ଶରେ ଆସୁଥିବାରୁ ସେଠାରେ ନିଜକୁ ସୁରକ୍ଷିତ ରଖିଲା ଭଳି ରୋଗ ପ୍ରତିରୋଧକ ଶକ୍ତି ସଫେଇ କର୍ମଚାରୀଙ୍କ ଶରୀରରେ ଆପେ ଆପେ ବୃଦ୍ଧି ପାଇଥାଏ। ହୋଇପାରେ ଏହି କାରଣରୁ ସେମାନେ କୋଭିଡ୍ ସଂକ୍ରମଣରୁ ରକ୍ଷା ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe