ବଳରାମ ଯୋଜନାର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ: ଋଣ ପ୍ରଦାନ କାର୍ଯ୍ୟରେ ଯୋଡ଼ି ହେବେ ୩୧ଟି ରାଷ୍ଟ୍ରାୟତ୍ତ, ରାଜ୍ୟ ଓ ଘରୋଇ ବ୍ୟାଙ୍କ

Advertisment
ବଳରାମ ଯୋଜନାର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ: ଋଣ ପ୍ରଦାନ କାର୍ଯ୍ୟରେ ଯୋଡ଼ି ହେବେ ୩୧ଟି ରାଷ୍ଟ୍ରାୟତ୍ତ, ରାଜ୍ୟ ଓ ଘରୋଇ ବ୍ୟାଙ୍କ

ଖୋର୍ଦ୍ଧା: ଭୂମିହୀନ ଏଗ୍ରିକଲ୍ରିଷ୍ଟ ଲୋନ୍ ଆଣ୍ଡ ରିସୋର୍ସ ଅଗୁମେଂଟେସନ୍ (ବଳରାମ) ଯୋଜନାର ଆଜି ଜିଲ୍ଲାସ୍ତରୀୟ ସମୀକ୍ଷା ଓ ୨୦୨୩-୨୪ରେ ଏହାର କାର୍ଯ୍ୟାନ୍ୱୟନ ରଣନୀତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ଣରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ ଅଧ୍ୟକ୍ଷତା କରିଥିଲେ। ଲିଡ୍ ଡିଷ୍ଟ୍ରିଟ୍ ମ୍ୟାନେଜର ଦିଲିପ କୁମାର ଭୂୟାଁ, ନାବାର୍ଡର ସହକାରୀ ସାଧାରଣ ପରିଚାଳକ ତୃପ୍ତି ତାପସୀ, ସମବାୟ ସମିତିର ଡେପୁଟି ରେଜିଷ୍ଟାର ଅଳକାନନ୍ଦା ଜେନା, ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସିଇଓ ବାଣିଶ୍ରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶରତ କୁମାର ପରିଡ଼ା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ।

ବୈଠକରୁ ମିଳିଥିବା ସୂଚନାନୁସାରେ, ୨୦୨୨-୨୩ରେ ବଳରାମ ଯୋଜନାରେ ମିଳିତ ଦାୟିତ୍ୱ ଗୋଷ୍ଠୀ (ଜେଏଲ୍ଜି) ଗଠନରେ ବିଶେଷ ଅଗ୍ରଗତି ହୋଇପାରି ନଥିବା ନେଇ ଚିନ୍ତା ପ୍ରକଟ କରାଯାଇଥିଲା। ସେହିବର୍ଷ, ୫୨୯୬ଟି ଜେଏଲ୍ଜି ଗଠନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ କେବଳ ୧୬୩ଜଣ ଚାଷୀଙ୍କୁ ନେଇ ୩୨ଟି ଜେଏଲ୍ଜି ଗଠନ କରାଯାଇଥିଲା। ସେମାନଙ୍କୁ ବିଭିନ୍ନ ବ୍ୟାଙ୍କରୁ ୨୭ଲକ୍ଷ ୮୮ହଜାର ଟଙ୍କା ଋଣ ପ୍ରଦାନ କରାଯାଇଥିଲା । ୨୦୨୩-୨୪ରେ, ୩୬୭୮ଟି ଜେଏଲ୍ଜି ଗଠନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଗୋଷ୍ଠୀ ଗଠନ କରିବାରେ କୃଷକ ସାଥୀ, ମହିଳା ସ୍ୱୟଂ ସହାୟିକ ଗୋଷ୍ଠୀ ସହାୟତା କରିବେ । ଏଥିପାଇଁ ନାବାର୍ଡ ପକ୍ଷରୁ ବିଭିନ୍ନ ସ୍ତରରେ ୪ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଜେଏଲ୍ଜି ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରିବାକୁ ୩୧ଟି ବିଭିନ୍ନ ରାଷ୍ଟ୍ରାୟତ୍ତ, ରାଜ୍ୟ ସମବାୟ ଓ ଘରୋଇ ବ୍ୟାଙ୍କ ଅନୁବନ୍ଧିତ ହୋଇଛନ୍ତି । ସେହିଭଳି ଯୋଜନାକୁ ତୃଣମୂଳ ସ୍ତରରେ ଅଧିକ ଶକ୍ତିଶାଳୀ ଓ ସକ୍ରିୟ କରିବା ସହ ଏହାର ବ୍ୟାପକ ପ୍ରଚାରପ୍ରସାର କରିବାକୁ ଆଲୋଚନା ହୋଇଥିଲା । ଆସନ୍ତା ୩୦ ତାରିଖ ସୁଦ୍ଧା ବିଡିଓଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ବଳରାମ ପ୍ରସ୍ତୁତି ବୈଠକ, ୧ ମଇରୁ ୧୫ ମଇ ମଧ୍ୟରେ ଦିଆଯାଇଥିବା କୃଷି ଋଣ ଆଦାୟ ମେଳା ଆୟୋଜନ, ୧୬ରୁ ୩୧ ମଇ ମଧ୍ୟରେ ନବ ଗଠିତ ଜେଏଲ୍ଜିଙ୍କୁ ଋଣ ପ୍ରଦାନର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି ।

ବୈଠକକୁ ସହକାରୀ କୃଷି ନିଦେ୍ର୍ଦଶକ ସନ୍ତୋଷ କୁମାର ବିଶ୍ୱାଳ, ସହକାରୀ କୃଷି ଅଧିକାରୀ ତୁଷାରକାନ୍ତ ସାହୁ ଓ ପଲ୍ଲବୀ ସାହୁ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ବିଭିନ୍ନ ବ୍ୟାଙ୍କର ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି, ଓଡ଼ିଶା ଜୀବିକା ମିଶନ, ଉଦ୍ୟାନ ଓ ଅନ୍ୟ ସହଭାଗୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe