ସମସ୍ତ ୮୫୧ ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷିତ: ବିଜେଡିକୁ ସର୍ବାଧିକ ୭୬୫

ସମସ୍ତ ୮୫୧ ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷିତ: ବିଜେଡିକୁ ସର୍ବାଧିକ ୭୬୫

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ ହୋଇଥିବା ସମସ୍ତ ୮୫୧ ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷଣା ହୋଇଛି। ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ୭୬୫ଟି ଜୋନରେ ବିଜୟୀ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ତେବେ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ତୃଣମୂଳସ୍ତରରେ ଭୋଟରଙ୍କୁ ଆକୃଷ୍ଟ କରିବାରେ  ସଂପୂର୍ଣ୍ଣ ବିଫଳ ହୋଇଛନ୍ତି କହିଲେ ଅତ୍ୟୁକ୍ତ ହେବନାହିଁ। କାରଣ କେନ୍ଦ୍ରରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି  ୪୨ଟି ଜୋନ‌ରେ ବିଜୟୀ ହୋଇ ପାରିଛି। ସେହିଭଳି ଦେଶର ସର୍ବପୁରାତନ ଜାତୀୟ ରାଜନୈତିକ ଦଳ କଂ‌ଗ୍ରେସ ମାତ୍ର ୩୭ଟି ଆସନରେ ସନ୍ତୁଷ୍ଟ ରହିଛି।  ସ୍ବାଧୀନ ପ୍ରାର୍ଥୀ ୩ଟି ଓ ଅନ୍ୟାନ୍ୟ ଦଳ ୪ଟି ଜୋନରେ ବିଜୟୀ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ୪୭୩ଟି ଜୋନରେ ବିଜୟ ଲାଭ କରିଥିବା ବେଳେ ବିଜେପି ୨୯୭ ଏବଂ କଂଗ୍ରେସ ୬୦ ଜୋନରେ ବିଜୟୀ ହୋଇଥିଲେ। ଏଣୁ ଚଳିତ ନିର୍ବାଚନରେ ସବୁଠାରୁ ବଡ଼ କ୍ଷତି ସହିଛି ବିଜେପି। ଗତ ଥର ଠାରୁ ବିଜେପି ୨୫୫ ଜୋନ କମ୍ ପାଇଛି। ଏ ସବୁ ଜୋନ୍ ବିଜେଡି ହାତକୁ ଚାଲିଯାଇଛି। ସେହିଭଳି କଂଗ୍ରେସ ଗତ ଥର ୬୦ ଜୋନ୍ ପାଇଥିବା ବେଳେ ଏଥର ପାଇଛି ୩୭। କଂଗ୍ରେସର ପାଖାପାଖି ଅଧା ଜୋନ୍ ଛଡ଼ାଇ ନେଇଛି ବିଜେଡି। ୨୦୧୨ ପଞ୍ଚାୟତ ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ଯଥାକ୍ରମ‌େ ୬୫୪, ୩୬ ଓ ୧୨୮ ଜୋନ୍ ହାସଲ କରିଥିଲେ। ଏଣୁ ବିଜୁ ଜନତା ଦଳର ପ୍ରଦର୍ଶନ ଆଗରେ ଏହି ଦୁଇ ଦଳର ପ୍ରଦର୍ଶନ ଫିକା ପଡ଼ିଯାଇଛି। କଂଗ୍ରେସର ପ୍ରଦର୍ଶନ ଭଲ ହେବ ନାହିଁ ବୋଲି ପୂର୍ବରୁ ରାଜନୈତିକ ପଣ୍ଡିତମାନେ ଆକଳନ କରିଥିଲେ। କିନ୍ତୁ ବିଜେପିର ଏପରି ଦୂରାବସ୍ଥା ହେବ ବୋଲି ଜଣା ନଥିଲା।

ଚୂଡ଼ାନ୍ତ ଫଳାଫଳ ଅନୁସ‌ାରେ ଅନୁଗୁଳରେ ବିଜେଡି ୨୭, ବିଜେପି ୧, ବାଲେଶ୍ୱରରେ ବିଜେଡି ୩୯, ବିଜେପି ୪, କଂଗ୍ରେସ ୨, ବରଗଡ଼ରେ ବିଜେଡି ୨୬, ବିଜେପି ୭, ଭଦ୍ରକରେ ବିଜେଡି ୨୮, ବଲାଙ୍ଗୀରରୁ ବିଜେଡି ୨୬, ବିଜେପି ୪ , କଂଗ୍ରେସ ୪, ବୌଦ୍ଧ ଜିଲ୍ଲାରେ ବିଜେଡି ୭, ବିଜେପି ୨, କଟକରେ ବିଜେଡି ୪୫, ବିଜେପି ୧, ଦେବଗଡ଼ରେ ବିଜେଡି ୭ ଢେଙ୍କାନାଳରେ ବିଜେଡି ୨୬, ବିଜେପି ୧, ଗଜପତିରୁ ବିଜେଡି ୧୧, ବିଜେପି ୧, କଂଗ୍ରେସ ୨  ଗଞ୍ଜାମରେ ବିଜେଡି ୬୭, ବିଜେପି ୨ ଜଗତସିଂହପୁରରେ ବିଜେଡି ୨୫, କଂଗ୍ରେସ ୧, ଯାଜପୁରରେ ବିଜେଡି ୩୯, ଝାରସୁଗୁଡ଼ାରୁ ବିଜେଡି ୯, କଳାହାଣ୍ଡିରେ ବିଜେଡି ୩୩, ବିଜେପି ୨, କଂଗ୍ରେସ ୧, କନ୍ଧମାଳରେ ବିଜେଡି ୧୩, ବିଜେପି ୨, କଂଗ୍ରେସ ୩, କେନ୍ଦ୍ରାପଡ଼ାରେ ବିଜେଡି ୩୧, ବିଜେପି ୧, କେଉଁଝରରେ ବିଜେଡି ୩୩, ବିଜେପି ୩, ଖୋର୍ଦ୍ଧାରେ ବିଜେଡି ୨୮, ବିଜେପି ୨,  କୋରାପୁଟରୁ ବିଜେଡି ୧୬, କଂଗ୍ରେସ ୧୨ ଓ ସ୍ବାଧୀନ ୧ଟି,  ମାଲକାନଗିରିରେ ବିଜେଡି ୧୨, କଂଗ୍ରେସ ୩, ମୟୁରଭଞ୍ଜରେ ବିଜେଡି ୫୩, ଜେଏମଏମ୍ ୩ , ନବରଙ୍ଗପୁରରେ ବିଜେଡି ୨୪, କଂଗ୍ରେସ ୧, ସ୍ବାଧୀନ ୧, ନୟାଗଡ଼ରେ ବିଜେଡି ୨୨, ବିଜେପି ୧, ସ୍ବାଧୀନ ୧,  ନୂଆପଡ଼ାରେ ବିଜେଡି ୧୨, ବିଜେପି ୧, କଂଗ୍ରେସ ୧, ପୁରୀରେ ବିଜେଡି ୩୦, ବିଜେପି ୩,  ରାୟଗଡ଼ାରେ ବିଜେଡି ୧୬, କଂଗ୍ରେସ ୬, ସମ୍ୱଲପୁରରେ ବିଜେଡି ୧୬, ବିଜେପି ୨, ସୋନପୁରରେ ବିଜେଡି ୧୧, ବିଜେପି ୧ , କଂଗ୍ରେସ ୧, ସୁନ୍ଦରଗଡ଼ରେ ବିଜେଡି ୩୩, ବିଜେପି ୧ ଓ ସିପିଆଇ ୧ଟି ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe