Odisha Sun Times
କଟକ: ଅଦାଲତ ଅବମାନନା ମାମଲାରେ ଆଜି ହାଇକୋର୍ଟ ଗ୍ରାମ୍ୟ ଉନ୍ନୟନ ସଚିବ, ରୁରାଲ ୱାର୍କସ୍ ଇଂଜିନିୟର-ଇନ୍-ଚିଫ୍, ରୁରାଲ ୱାର୍କସ୍ (ପିଏମ୍ଜିଏସୱାଇ) ମୁଖ୍ୟ ଯନ୍ତ୍ରୀ, ଦକ୍ଷିଣାଞ୍ଚଳ ସର୍କଲ ଅଧୀକ୍ଷଣ ଯନ୍ତ୍ରୀ, ମାଲକାନଗିରି ଡିଭିଜନ୍-୨ ନିର୍ବାହୀ ଯନ୍ତ୍ରୀଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୧୯, ନଭେମ୍ବର ୧୬ରେ ହାଇକୋର୍ଟ ପ୍ରଦାନ କରିଥିବା ଅନ୍ତରୀଣ ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗ କରି ମାନସ ରଂଜନ ରାଉତଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୩୧କୁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ମାଲକାନଗିରିରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଏକ ନିର୍ଦ୍ଦିଷ୍ଟ କାମ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ନିୟମ ଉଲ୍ଲଂଘନ କରି ଜଣେ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ୨୦୧୯, ସେପ୍ଟେମ୍ବର ୧୧ରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ଏ ନେଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୯, ନଭେମ୍ବର ୧୬ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିବା ସହିତ ପୂର୍ବରୁ ପ୍ରଦାନ କରାଯାଇଥିବା କାର୍ଯ୍ୟାଦେଶ ପ୍ରସଂଗରେ ସ୍ଥିତାବାସ୍ଥା ଜାରି କରିଥିଲେ। ଏହି ଅନ୍ତରୀଣ ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗ କରି ଆବେଦନକାରୀ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରବୋଧ ଚନ୍ଦ୍ର ନାୟକ ମାମଲା ପରିଚାଳନା କରୁଛନ୍ତି।
Follow Us