ଆସିଲା ବର୍ଷାଋତୁ, ବଢ଼ିଲା ଆଦିବାସୀ ପରିବାରଙ୍କ ଦୁର୍ଦ୍ଦଶା

Advertisment

ଦଶପଲ୍ଲା ମାନଚିତ୍ରରୁ ଶ୍ରୀହୀନ ହେବାକୁ ବସିଲାଣି ଅନେକ ଗ୍ରାମ, ଏବେ ବି ଅପହଞ୍ଚ ମୌଳିକ ସୁବିଧା

ଦଶପଲ୍ଲା ମାନଚିତ୍ରରୁ ଶ୍ରୀହୀନ ହେବାକୁ ବସିଲାଣି ଅନେକ ଗ୍ରାମ, ଏବେ ବି ଅପହଞ୍ଚ ମୌଳିକ ସୁବିଧା

ଆସିଲା ବର୍ଷାଋତୁ, ବଢ଼ିଲା ଆଦିବାସୀ ପରିବାରଙ୍କ ଦୁର୍ଦ୍ଦଶା

ଦଶପଲ୍ଲା : ବର୍ଷାଋତୁ ଆସିଲେ ଆଦିବାସୀ ପରିବାରଙ୍କ ବଢ଼ୁଛି ଦୁର୍ଦ୍ଦଶା। ୩ଟି ନାଳ ଡେଇଁ ୭ କିମି ବାଟ ଆସିଲେ ମିଳୁଛି ଭତ୍ତା ଓ ରାସନ। ଜରୁରୀକାଳିନ ସ୍ଥିତିରେ ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇ ପଡ଼ୁଥିବା ବେଳେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବ୍ୟବସ୍ଥା ଠପ୍ ହୋଇପଡ଼ୁଛି। ଏଭଳି ବର୍ଷବର୍ଷ ଧରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ଦଶପଲ୍ଲା ବ୍ଲକ୍‌ର ସୀମାନ୍ତ ତଥା ନୂଆଗାଁ ପଞ୍ଚାୟତର ଆଦିବାସୀ ଗାଁ ଟୁଇପଦର, ପୁଟୁଙ୍ଗୀ, ବଡ଼ସିକରପଙ୍ଗା, ଶିରିଷାବାଡ଼ି, ଗେଣ୍ଡେଗେଣ୍ତା ଏବଂ ଧୁନ୍ଦୁଗାଡ଼ିଆ ଭଳି ୧୦ ରୁ ୧୨ ଟି ଗ୍ରାମର ଆଦିବାସୀ ପରିବାର।

publive-image

ଘଞ୍ଚ ଜଙ୍ଗଲ ସାଙ୍ଗକୁ ଚାରିପାଖରେ ଘେରି ରହିଛି ପାହାଡ଼। ଗାଁର ପଶ୍ଚିମ ପାର୍ଶ୍ବରେ ଥିବା ଭାଲିଆଡିହି ପାହାଡ଼ ନୟାଗଡ ଜିଲ୍ଲାର ସୀମାନ୍ତ ହୋଇଥିବା ବେଳେ ଅନ୍ୟପାର୍ଶ୍ବକୁ ଗଞାମ ଜିଲ୍ଲାର ସୀମାନ୍ତ ଲାଗିରହିଛି। ଦଶପଲ୍ଲା ସଦର ମହକୁମାଠାରୁ ଏସବୁ ଗ୍ରାମ ପ୍ରାୟ ୬୦ ରୁ ୬୫ କିମି ଦୂର ହୋଇଥିବା ବେଳେ ଗଞ୍ଜାମର ଦୂରତା ହେଉଛି ମାତ୍ର ୧୦ ରୁ ୧୫ କିମି। ଦେଶ ସ୍ବାଧୀନ ହେବାର ୭ ଦଶନ୍ଧୀ ପରେ ଏଯାଏଁ ଏସବୁ ଗାଁକୁ ପ୍ରଶାସନିକ ଅଧିକାରୀ କିମ୍ବା କୌଣସି ରାଜନେତାଙ୍କ ପାଦ ପଡ଼ିନି। ମୈାଳିକ ସୁବିଧା ସୁଯୋଗରୁ ଏସବୁ ଗ୍ରାମବାସୀ ବଞ୍ଚିତ ହୋଇ ରହିଛନ୍ତି। କେବଳ ଭତ୍ତା ଓ ରାସନ ପାଇଁ ବହୁ କଷ୍ଟରେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ ପଡୁଥିବା ବେଳେ ଅନ୍ୟ ସବୁ ଯୋଜନା ଏସମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ଗ୍ରାମର ଅବସ୍ଥିତି ଉପରେ ନଜର ପକାଇଲେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା କାହାପାଇଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏସବୁ ଗ୍ରାମ ମଧ୍ୟରେ ପୁଟୁଙ୍ଗିରେ ୧୨ ଟି ପରିବାର, ବଡସିକରପଙ୍ଗାରେ ୧୬, ଶିରିଷାବାଡ଼ିରେ ୧୫, ଧୁନ୍ଦୁଗାଡିଆରେ ୧୪ଟି ପରିବାର, ଗେଣ୍ଡେଗେଣ୍ତାରେ ୪ଟି ପରିବାର ସମେତ ଆଖପାଖ ଗ୍ରାମରେ ଅନେକ ଆଦିବାସୀ ପରିବାର ବସବାସ କରିଥାନ୍ତି। ଧାନ, ମକା, ମାଣ୍ତିଆ ଚାଷ ଏମାନଙ୍କର ମୁଖ୍ୟ ବେଉସା ହୋଇଥିବା ବେଳେ ବିଭିନ୍ନ ଋତୁରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଏମାନେ ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ନାଳ ଏମାନଙ୍କ ଯାତାୟାତରେ ପ୍ରତିବନ୍ଧକ ସୃଷ୍ଟି କରିଛି। ବର୍ଷାଦିନ ଆସିଲେ କଳସା ଏବଂ ଠୁକେଇ ନାଳ ଭଳି ୩ଟି ବଡବଡ ନାଳରେ ଖରସ୍ରୋତା ପାଣି ପ୍ରବାହିତ ହୋଇଥାଏ। ଯାହା ଫଳରେ ବର୍ଷା ୪ ମାସ ଏମାନେ ଗୃହବନ୍ଦୀ ଭାବେ ଜୀବନ ବିତାଇଥାନ୍ତି। ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇ ପଡୁଛି। ଜରୁରୀକାଳୀନ ସ୍ଥିତିରେ ଗୁରୁତର ରୋଗୀ କିମ୍ବା ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଆଣିବା ଅସମ୍ଭବ ହୋଇ ପଡୁଥିବା ବେଳେ ଭଗବାନଙ୍କ ଭରସାରେ ଏମାନେ ରହିଥାନ୍ତି।

publive-image

ସେହିଭଳି ବିଭିନ୍ନ ଗ୍ରାମରେ ପାନୀୟଜଳର ଘୋର ସମସ୍ୟା ଲାଗି ରହିଛି। ଧୁନ୍ଦୁଗାଡିଆ ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଏହା ବନ୍ଦ ହୋଇଯିବାରୁ ପ୍ରାୟ ୫ କିମି ଦୂର କାଣିପୋଖରୀକୁ ଛାତ୍ରଛାତ୍ରୀ ପାଠପଢ଼ି ଆସିବା ପାଇଁ ଆସିଥାନ୍ତି। ଅନେକ ଗ୍ରାମରେ ବିଜୁଳି ଆଲୋକ ଏବେ ବି ଅପହଞ୍ଚ ହୋଇରହିଛି। ଯେଉଁ ଗ୍ରାମକୁ ବିଦ୍ୟୁତ୍ ଆଲୋକ ଯାଇଛି ତାହା କେତେବେଳେ ଜଳୁଛି ତ ପୁଣି କେତେବେଳେ ନାହିଁ। ଏସବୁ ପରିବାର ପାଇଁ ପକ୍କାଘର ଖଣ୍ଡେ ସାତସପନ ପାଲଟିଛି। ଯଦି କାହାରିକୁ ଆବାସ ଯୋଜନାରେ ଘର ମିଳୁଛି ରାସ୍ତା ନଥିବା ହେତୁ ଘର କରିବା ପାଇଁ ଏମାନେ ଅନିଚ୍ଛା ପ୍ରକାଶ କରିଥାନ୍ତି। ପ୍ରଶାସନିକ ଅଧିକାରୀ କି ରାଜନେତାଙ୍କ ବୈମାତୃକ ମନୋଭାବ ପାଇଁ ଉପେକ୍ଷିତ ହେଉଥିବା ବହୁ ପରିବାର ବାଧ୍ୟ ହୋଇ ପଡୋଶୀ ଗଞ୍ଜାମ ଜିଲ୍ଲା ଉପରେ ନିର୍ଭର କରୁଛନ୍ତି। ଶିରିଷାବାଡି, ପୁଟୁଙ୍ଗି ଏବଂ ବଡ଼ସିକରପଙ୍ଗା ପ୍ରଭୃତି ଗ୍ରାମର ଅନେକ ପରିବାର ଏବେ ଗଞ୍ଜାମ ଜିଲ୍ଲା ବାସିନ୍ଦା ହୋଇଥିବା ବେଳେ ଏସବୁ ଗାଁ ଆଗାମୀ ଦିନରେ ଦଶପଲ୍ଲା ମାନଚିତ୍ରରୁ ଶ୍ରୀହିନ ହେବାକୁ ବସିଲାଣି। ପ୍ରଶାସନିକ ଅବହେଳା ପାଇଁ ଏସବୁ ପରିବାର ଅବହେଳିତ ହୋଇ ରହୁଥିବା ବେଳେ ଆଗାମୀ ଦିନରେ ବାଧ୍ୟ ହୋଇ ଗଞ୍ଜାମ ଜିଲ୍ଲାକୁ ଚାଲିଯିବାକୁ ସ୍ଥିର କରିଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe