କମ୍ପାନି ଯୋଗାଇଛନ୍ତି ନିମ୍ନମାନର ବ୍ଲିଚିଂ ପାଉଡର

Advertisment

ଚିନ୍ତାରେ ରାଜ୍ୟ ଔଷଧ ନିଗମ

ଚିନ୍ତାରେ ରାଜ୍ୟ ଔଷଧ ନିଗମ

କମ୍ପାନି ଯୋଗାଇଛନ୍ତି ନିମ୍ନମାନର ବ୍ଲିଚିଂ ପାଉଡର

ଭୁବନେଶ୍ୱର : ରାଜ୍ୟ ଔଷଧ ନିଗମ ପକ୍ଷରୁ ନିକଟରେ ଟେଣ୍ଡର କରାଯାଇଥିବା ବ୍ଲିଚିଂ ପାଉଡର ନିମ୍ନ ମାନର ଥିବା ଜଣାପଡ଼ିଛି। ନିଗମକୁ ବ୍ଲିଚିଂ ପାଉଡର ଯୋଗାଇଥିବା କମ୍ପାନିର ୪/୫ଟି ବ୍ୟାଚ୍‌ ବ୍ଲିଚିଂ ପାଉଡର ନିମ୍ନ ମାନର ବା ଏନ୍‌ଏସ୍‌କ୍ୟୁ ଥିବା ସୂଚନା ମିଳିଛି। ବର୍ଷା ଋତୁ ସମୟରେ ଓ ନିଗମ ପାଖରେ ଆବଶ୍ୟକ ସଂଖ୍ୟକ ଅଭାବ ଥିବା ସମୟରେ ଏଭଳି ରିପୋର୍ଟ ଆସିବା ନିଗମ କର୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। ତେବେ ନିଗମ ଦ୍ୱାରା ହୋଇଥିବା ପରୀକ୍ଷାର ରିପୋର୍ଟ ଆସିବା ପୂର୍ବରୁ ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟ ଏହାକୁ ଏନ୍‌ଏସ୍‌କ୍ୟୁ ଦର୍ଶାଇଛି। ଯାହାକୁ ଔଷଧ ନିଗମର ଅନେକ ଅଧିକାରୀ ସହଜରେ ଗ୍ରହଣ କରିପାରି ନାହାନ୍ତି।

ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ହସ୍ପିଟାଲକୁ ବ୍ଲିଚିଂ ପାଉଡର ଯୋଗାଇବା ପାଇଁ ରାଜ୍ୟ ଔଷଧ ନିଗମ ପକ୍ଷରୁ ଟେଣ୍ଡର ଆହ୍ଵାନ କରାଯାଇଥିଲା। ଏଥିପାଇଁ ଏକ ଜାତୀୟସ୍ତରର କମ୍ପାନି ଆବେଦନ କରିବା ସହିତ ବ୍ଲିଚିଂ ପାଉଡର ଯୋଗାଇଥିଲା। ପ୍ରବଳ ବର୍ଷାକୁ ଆଶଙ୍କା କରି ନିଗମ କର୍ତୃପକ୍ଷ ଏହି ଟେଣ୍ଡର ଆହ୍ଵାନ କରିଥିଲେ। ବ୍ଲିଚିଂ ପାଉଡର ଆସିବା ପରେ ନିଗମ ପକ୍ଷରୁ ଏହାର ଗୁଣବତ୍ତା ପରୀକ୍ଷା କରିବା ପାଇଁ ଏକ ଏନ୍‌ଏବିଏଲ ପରୀକ୍ଷାଗାରକୁ ପଠାଯାଇଥିଲା। ଏହି ସମୟରେ ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏହି ବ୍ଲିଚିଂ ପାଉଡରର ଗୁଣବତ୍ତାର ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଥିଲା। କିଛିଦିନ ତଳେ ଏହି ବ୍ଲିଚିଂ ପାଉଡର ନିମ୍ନମାନର ଥିବା ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ବ୍ଲିଚିଂରେ ମଏଶ୍ଚର ବା ଆର୍ଦ୍ରତାର ମାତ୍ରା ଅଧିକ ଥିବା ଦର୍ଶାଯାଇଥିଲା। ଯାହାଫଳରେ ଏନ୍‌ଏସ୍‌କ୍ୟୁ ଥିବା ବ୍ଲିଚିଂ ପାଉଡରର ୪/୫ଟି ବ୍ୟାଚ୍‌କୁ ଫେରାଇ ନେବାକୁ କମ୍ପାନି କର୍ତୃପକ୍ଷଙ୍କୁ କୁହାଯାଇଥିଲା। ତେବେ ପରିବହନ ଖର୍ଚ ପାଇଁ ଏତେ ସଂଖ୍ୟକ ବ୍ଲିଚିଂ ପାଉଡରକୁ ଫେରାଇ ନେବା ପାଇଁ କମ୍ପାନି କର୍ତୃପକ୍ଷ ଅରାଜି ହୋଇଥିଲେ। ଫଳରେ ଏକାଧିକ କ୍ୱିଣ୍ଟାଲ ବ୍ଲିଚିଂର ଷ୍ଟକ୍‌ ଔଷଧ ନିଗମରେ ପଡ଼ି ରହିଥିବା ଜଣାପଡ଼ିଛି।

ରାଜ୍ୟ ଔଷଧ ନିଗମର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଔଷଧ ନିଗମ ନିକଟରେ ଆବଶ୍ୟକ ପରିମାରଣ ବ୍ଲିଚିଂ ପାଉଡର ନ ଥିବା ଓ ରାଜ୍ୟରେ ବନ୍ୟା ଆଶଙ୍କାକୁ ନଜରରେ ରଖି ଏହି ବ୍ଲିଚିଂ ପାଉଡର ପାଇଁ ଟେଣ୍ଡର ଆହ୍ଵାନ କରାଯାଇଥିଲା। ଏଥିପାଇଁ ଏକ ଜାତୀୟସ୍ତରୀୟ କମ୍ପାନି ଏହି ବ୍ଲିଚିଂ ପାଉଡର ଯୋଗାଇଥିଲା। ତେବେ ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟ ପକ୍ଷରୁ କେତେକ ବ୍ୟାଚ୍‌ ବ୍ଲିଚିଂ ପାଉଡର ନିମ୍ନମାନର ଥିବା ଦର୍ଶାଯାଇଥିଲା। ଏଥିରେ କ୍ଲୋରିନ୍‌ର ପରିମାଣ ୩୩ପ୍ରତିଶତ ରହିଥିବା ବେଳେ ଆର୍ଦ୍ରତାର ମାତ୍ରା ଅଧିକ ଥିବା କୁହାଯାଇଥିଲା। କ୍ଲୋରିନ୍‌ର ପରିମାଣ ଠିକ୍‌ ଥିବାବେଳେ କେବଳ ଆର୍ଦ୍ରତା ଅଧିକ ଥିବା ଆଧାରରେ କମ୍ପାନି କର୍ତୃପକ୍ଷଙ୍କୁ ଏନ୍‌ଏସ୍‌କ୍ୟୁ ଥିବା ବ୍ୟାଚ୍‌ର ବ୍ଲିଚିଂକୁ ଫେରାଇ ନେବାକୁ ଚିଠି ଦିଆଯାଇଥିଲା। ଏବେ କମ୍ପାନି ପକ୍ଷରୁ ନୂଆ ବ୍ୟାଚ୍‌ର ବ୍ଲିଚିଂ ଦିଆଯାଇଛି। ନିଗମ ପକ୍ଷରୁ ପୁଣିଥରେ ଏହାକୁ ପରୀକ୍ଷା ପାଇଁ ପଠାଯାଇଛି। ତେବେ ଏହାର ରିପୋର୍ଟ ଏ ପର୍ଯ୍ୟନ୍ତ ଆସି ନ ଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ତେବେ ରାଜ୍ୟ ଔଷଧ ନିଗମ ଅଧୀନରେ ଏନ୍‌ଏସ୍‌କ୍ୟୁ ଔଷଧର ତାଲିକା କୌଣସି ନୂଆ ନୁହେଁ। ନିଗମ ଆରମ୍ଭ ହେବା ପରଠାରୁ ବିଭିନ୍ନ ପର୍ଯ୍ୟାୟରେ ୧୧ଟି କମ୍ପାନିକୁ କଳା ତାଲିକାଭୁକ୍ତ କରାଯାଇଛି। ଯେଉଁ କମ୍ପାନିଗୁଡ଼ିକର ୨ଟି ଉତ୍ପାଦ ଏନ୍‌ଏସ୍‌କ୍ୟୁ ସ୍ପଷ୍ଟ ହୋଇଥାଏ ସେହି କମ୍ପାନିକୁ କଳା ତାଲିକାଭୁକ୍ତ କରାଯାଉଛି। ତେବେ ଜରୁରୀ ସମୟରେ ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟ ପକ୍ଷରୁ ଔଷଧ ନିଗମକୁ ଯୋଗାଣ ହୋଇଥିବା ବ୍ଲିଚିଂ ପାଉଡର ଏନ୍‌ଏସକ୍ୟୁ ଜଣାପଡ଼ିବା ଅନେକଙ୍କୁ ଚିନ୍ତାରେ ପକାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe