କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ବିଧାୟକଙ୍କୁ ଅଣଦେଖା

ଦଳୀୟ ନେତାଙ୍କୁ ନେଇ କଲେ ସରକାରୀ କାର୍ଯ୍ୟକ୍ରମ, ଚେତାବନୀ ଦେଇ ଚୁପ୍‌ ରହିଲେ ବିଧାୟକ

କେନ୍ଦ୍ରୀୟ ‌ଯୋଜନା କାର୍ଯ୍ୟକାରୀ ନେଇ ରାଜ୍ୟ ସହଯୋଗ କରୁନି: ରେଳ ରାଷ୍ଟ୍ରମନ୍ତ୍ରୀ

ନୟାଗଡ଼ : ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶନିବାର ଦିନ କେନ୍ଦ୍ରମନ୍ତ୍ରୀ ଦର୍ଶନା ଜରଦୋଶ ଏକ ସରକାରୀ ସମୀକ୍ଷା ବୈଠକ କରିଥିଲେ। ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ପ୍ରମୁଖ ଅଧିକାରୀ ଏହି ବୈଠକରେ ସାମିଲ ହୋଇଥିବା ବେଳେ, ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁଙ୍କୁ ବୈଠକକୁ ନିମନ୍ତ୍ରଣ କରାଯାଇନଥିଲା। ଅପରପକ୍ଷେ ପରାଜିତ ବିଜେପି ବିଧାୟିକା ପ୍ରାର୍ଥିନୀ ଇରାନୀ ରାୟଙ୍କଠାରୁ ନେଇ ପରାଜିତ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ସରକାରୀ ବୈଠକରେ ଦଳୀୟ ନେତାଙ୍କ ଉପସ୍ଥିତି ନେଇ ଚର୍ଚ୍ଚା ଜୋର୍‌ଧରିଛି। ଏନେଇ ଖୋଦ୍‌ ମନ୍ତ୍ରୀଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିବା ବେଳେ, ବୈଠକରେ କିଏ ଉପସ୍ଥିତ ରହିବେ , ନରହିବେ ତାହା ଜିଲ୍ଲାପାଳ ସ୍ଥିର କରିଛନ୍ତି ବୋଲି ସଫେଇ ଦେଇଥିଲେ। ଏନେଇ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କୁ ପଚାରିବାରୁ କେନ୍ଦ୍ରମନ୍ତ୍ରୀ ଯେଉଁମାନଙ୍କୁ କହିଥିଲେ, ସେମାନଙ୍କୁ ବୈଠକକୁ ଡକାଯାଇଥିଲା ବୋଲି କହିଛନ୍ତି।

ତେବେ ଏଭଳି ଘଟଣା ପ୍ରଥମ ନୁହେଁ, ଗତବର୍ଷ ଜୁଲାଇ ମାସ‌ରେ କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟମନ୍ତ୍ରୀ ଜନ୍ ବାର୍ଲା , କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସ୍ବାଧ୍ବୀ ନିରଞ୍ଜନା ଜ୍ୟୋତି ନୟାଗଡ଼ ଜିଲ୍ଲାଗସ୍ତରେ ଆସିଥିଲେ। ଏହି ମନ୍ତ୍ରୀଦ୍ବୟ ରଣପୁର ଓ ଦଶପଲ୍ଲା ବ୍ଲକ୍‌ରେ ସମୀକ୍ଷା ବୈଠକ କରିଥିଲେ। ହେଲେ ସ୍ଥାନୀୟ ବିଧାୟକଙ୍କ ବଦଳରେ ବି‌ଜେପିର ପରାଜିତ ବିଧାୟକ ପ୍ରାର୍ଥିଙ୍କୁ ନେଇ ଜିଲ୍ଲାପାଳ, ବିଡିଓଙ୍କ ଉପସ୍ଥିତିରେ ସରକାରୀ ବୈଠକ କରିଥିଲେ। ଏହାକୁ ନେଇ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ସେତେବେଳେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ୨୦୨୨ ମସିହା ଜୁଲାଇ ୩୧ରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଆଗାମୀ ଦିନରେ ନୟ‌ାଗଡ଼ ଜିଲ୍ଲାରେ ଏଭଳି ଘଟିଲେ କେନ୍ଦ୍ରମନ୍ତ୍ରୀଙ୍କୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଥି‌ଲେ। ହେଲେ ଆଜି ‌ ‌ସେଭଳି କୌଣସି ବିରୋଧ କିମ୍ବା ପ୍ରତିବାଦ ଦେଖିବାକୁ ମିଳିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe