କୋଇଲା ଖଣିରେ ନିଶ୍ଚିହ୍ନ ହୋଇଗଲା ଡୁଲିଙ୍ଗା, ଲୀନହେବା ଅପେକ୍ଷାରେ ଆହୁରି ୧୨୫ ଗାଁ

Advertisment
କୋଇଲା ଖଣିରେ ନିଶ୍ଚିହ୍ନ ହୋଇଗଲା ଡୁଲିଙ୍ଗା, ଲୀନହେବା ଅପେକ୍ଷାରେ ଆହୁରି ୧୨୫ ଗାଁ

google.com

ସୁନ୍ଦରଗଡ଼,(ଡମ୍ବରୁଧର ନାୟକ): ସେଦିନ ଚାଳଛପରର ମାଟିକୁଡ଼ିଆର ଚାଖଣ୍ଡେ ପିଣ୍ଡାରେ ବସି ଟୋଲର ଚୋପା ଛଡ଼ାଉଥିଲେ ପ୍ରେମଶିଳା। ମାଟିକାନ୍ଥରେ ଝଟକୁଥିଲା ଗ୍ରାମ୍ୟକଳାର ନିଦର୍ଶନ, ତାଙ୍କ ହାତଅଙ୍କା ରେଖାଚିତ୍ର। କହୁଥିଲେ, ଟୋଲମଞ୍ଜିକୁ ଶୁଖାଇ ପାରମ୍ପରିକ ତେଲଘଣା(ପେଡ଼ିବା କାଠଚକି)ରେ ପେଡ଼ି ତେଲ ବାହାର କରିବେ। କେବଳ ଟୋଲ ନୁହେଁ, ଦ୍ବାରମୁହଁରେ କିଛି ଶାଳମଞ୍ଜି ବି ଶୁଖୁଥିଲା। ଏହି ମହୁଲ, ଟୋଲ, ଶାଳ ହିଁ ଯୁଗ ଯୁଗ ଧରି ସେମାନଙ୍କୁ ଜୀବନ ଓ ଜୀବିକା ଦେଇ ଆସୁଥିବା କହୁଥିଲେ ପ୍ରେମଶିଳା ସେଦିନ। ଆଜି ସେ ମାଟି କୁଡ଼ିଆ ନାହିଁ, ଘରଅଗଣା‌ରେ କାହିଁ କେଉଁକାଳରୁ ପିଢ଼ି ପିଢ଼ିର ସରଳଜୀବନକୁ ହାତଧରି ବାଟକଢ଼ାଇ ନେଉଥିବା ବିଶାଳ ମହୁଲ, ଶାଳଗଛର କୌଣସି ଚିହ୍ନବର୍ଣ୍ଣ ନାହିଁ। ପ୍ରେମଶିଳାଙ୍କ ଭିଟାମାଟି ଓ ତା’ରି ଉପରେ ଠିଆ ବାପଅଜା ଅମଳର କୁଡ଼ିଆ ସହ ସବୁକିଛି ମାଟି‌ରେ ମିଶିଯାଇଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍‌ ଏନ୍‌ଟିପିସି କୋଇଲା ଖଣି ପ୍ରକଳ୍ପର ଗାଁ ଡୁଲିଙ୍ଗାର ଶେଷମୁଣ୍ଡରେ ଥିଲା ପ୍ରେମଶିଳାଙ୍କ କୁଡ଼ିଆ। ଯାହା ଏବେ ବିକାଶର ଖଣିରେ ଲୀନ ହୋଇଯାଇଛି।
କେବଳ ଏକା ପ୍ରେମଶିଳାଙ୍କ କୁଡ଼ିଆ ନୁହେଁ; ଡୁଲିଙ୍ଗାର ପ୍ରାୟ ୨ ଶହ ପରିବାରର ପିତୃପୁରୁଷ ବନାଇଥିବା ଘର, ବାରି, ମାଟି ଉପରେ ଛାଡ଼ି ଯାଇଥିବା ସେମାନଙ୍କ ଯୁଗଯୁଗର ପଦଚିହ୍ନ, କୂଅ, ଚଉଁରା ସହ ଗାଁ ଦେବୀପୀଠ, ମନ୍ଦିର, ମଣ୍ଡପ, ଖଡ଼ିଛୁଆଁ ପାଠର ବିଦ୍ୟାଳୟ, ଅଙ୍ଗନବାଡ଼ି ସବୁ ନିଶ୍ଚିହ୍ନ। ଏକଦା ମିଠା କୋଳାହଳରେ ଫାଟି ପଡ଼ୁଥିବା ଗାଁ ଲଭିଛି ଅକାଳମୃତ୍ୟୁ। ଆଉ ଏବେ ଗାଁ ଛାତିକୁ ବିଦାରି ମହଣ ମହଣ କଳା କୋଇଲା ଓଟାରି ନିଆଯାଉଛି। ଯେଉଁଠି ଜୀବନର ମିଠା କଳରବ ଶୁଭୁଥିଲା, ଏବେ ସେଠି ମାଳ ମାଳ ଟ୍ରକ୍‌, ଜେସିବିର ଘର୍ଘରନାଦ।

publive-image google.com

ଲୋକଙ୍କ କହିବା ଅନୁସାରେ, ରାଜା‌ରାଜୁଡ଼ା ଅମଳରେ ୧୮୫୦ ବେଳକୁ ଗିରିପାହାଡ଼ ତଳେ ଗୌନ୍ତିଆ ପୂର୍ଣ୍ଣାନନ୍ଦ ପଧାନଙ୍କ ପୂର୍ବଜ ଏଠାରେ ଖୁଟ୍‌ କାଟି ଗାଁ ବସାଇଥିଲେ। ଗାଁ ଚାରିଆଡ଼େ ପାହାଡ଼, ଜଙ୍ଗଲ, ଝରଣା। ଗିରି ପାହାଡ଼କୁ ଲାଗି ଶିଶୋପାହାଡ଼, ସାତପରଲିଆ ପାହାଡ଼, ପରରିଖୋଲ ପାହାଡ଼, କୁସୁମଗିରି ପାହାଡ଼। ଜଙ୍ଗଲି ଫଳମୂଳ ସହ ଝରଣା ପାଣିରେ ଗାଁର ଜୀବନ ପଲ୍ଲବିତ ହୋଇଥିଲା। ଲୋକେ ଜଙ୍ଗଲ କାଟି ତିଆରି କରିଥିଲେ ଚାଷଜମି। ଜଙ୍ଗଲ ଓ ଜମିରେ ଡୁଲିଙ୍ଗାର ଜୀବନଧାରା ଆଗକୁ ବଢ଼ିଥିଲା। ଯାନିଯାତ୍ରା, ନୃତ୍ୟଗୀତର ମହକରେ ପୂରି ଉଠୁଥିଲା ଗାଁ। କିନ୍ତୁ ଛଳଛଳ ଜୀବନକୁ ଧରି ରଖିଥିବା ମାଟିତଳେ ଯେ କଳାମୃତ୍ୟୁଟେ ଆଁ କରି ଛକି ରହିଛି, ଯିଏ ଏକାଥରକେ ପୂରା ଗାଁକୁ ଗିଳି ପକାଇବ ସେ କଥା‌ ଗାଁର କେହି ଜାଣି ନଥିଲେ। ୨୦୦୬ରେ ସରକାରୀ ବାବୁମାନେ ଆସି କହିଲେ ଏଠି କୋଇଲା ଅଛି। ତମେ ସବୁ ଗାଁ ଛାଡ଼ିବାକୁ ପଡ଼ିବ। ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। ବିରୋଧ ହୋଇଥିଲା।

publive-image google.com

ହେଲେ ବିକାଶର ଦ୍ବାହି ଓ ଭଲଘର, ଚାକିରି, କ୍ଷତିପୂରଣର ଲୋଭ ଦେଖାଇ ଲୋକଙ୍କୁ ବୁଝା‌ଇ ଦେଇଥିଲା ପ୍ରଶାସନ। ପ୍ରାଥମିକ ଭାବେ ଜାତୀୟ ତାପଜ ବିଦ୍ୟୁତ୍‌ ନିଗମ(ଏନ୍‌ଟିପିସି)ର ୮ ଶହ ମେଗାୱାଟ୍‌ ବିଶିଷ୍ଟ ଦର୍ଲିପାଲି ପ୍ରକଳ୍ପକୁ ଇନ୍ଧନ ଯୋଗାଇବା ପାଇଁ କୋଇଲା ମନ୍ତ୍ରାଳୟ ଦ୍ବାରା ୨୦୦୬ ଜାନୁଆରି ୨୫ରେ ଡୁଲିଙ୍ଗା କ୍ଷେତ୍ରର କୋଲ୍‌ ବ୍ଲକ୍ ଆବଣ୍ଟିତ କରାଯାଇଥିଲା। କିନ୍ତୁ, ପରେ କୋଲ୍ ବ୍ଲକ୍ ଆବଣ୍ଟନରେ ଅନିୟମିତତା ହୋଇଥିବା କାରଣରୁ ସର୍ବୋଚ୍ଚ ନ୍ୟାୟାଳୟ ୨୦୧୪ ସେପ୍ଟେମ୍ବର ୨୪ରେ ତାକୁ ଖାରଜ କରି ଦେଇଥିଲେ। ପରବର୍ତ୍ତୀ ସମୟରେ ୨୦୧୫ ମାର୍ଚ୍ଚ ୩୦ ତାରିଖରେ ଏନ୍‌ଟିପିସିକୁ ପୁଣି ଡୁଲିଙ୍ଗା କୋଲ୍ ବ୍ଲକ୍ ମିଳିଥିଲା। ୧୫୨ ମିଲିୟନ ଟନ୍ ଗଚ୍ଛିତ କୋଇଲା ଖନନ, ଉତ୍ତୋଳନ ଓ ପରିବହନ ପାଇଁ ୨୪ ବର୍ଷ ସମୟ ନେଇଥିବା ଏନ୍‌ଟିପିସିର ଏହି ପ୍ରକଳ୍ପରେ ୪ଟି ଗାଁ ବେଲଡିହି, ଡୁଲିଙ୍ଗା, ମଝାପଡ଼ା ଓ ଖପରିକଛାରର ୫୦୮ ପରିବାର ବିସ୍ଥାପିତ ଓ ପ୍ରଭାବିତ ହୋଇଛନ୍ତି। ଏହାମଧ୍ୟରେ କୋଇଲା ଖଣିର ଆଁରେ ମଝାପଡ଼ା ଓ ଡୁଲିଙ୍ଗା ଗାଁ ଲୀନ ହୋଇଯାଇଛି। ଆଗକୁ ବେଲଡିହି ଓ ଖପରିକଛାରର ପାଳି। ବିକାଶର କୋଇଲା ଖଣିରେ ହେମଗିର ବ୍ଲକ୍‌ର ଏମିତି ୧୨୫ ଗାଁ ନିଶ୍ଚିହ୍ନ ହୋଇଯିବ। ଭୂଗୋଳପୋଥିରୁ ଲିଭିଯିବ ଶହ ଶହ ବର୍ଷର ସରଳ ଜୀବନକାହାଣୀ, ସୁନ୍ଦର ଇତିହାସକୁ ଛାତିରେ ସାଇତି କାହିଁ କେତେବାଟ ଚାଲି ଆସିଥିବା ଗାଁଗୁଡ଼ିକର ନାଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe