ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ଉପକୂଳରେ ନିଅଣ୍ଟିଆ ବର୍ଷା

Advertisment
ଏବର୍ଷ ରେକର୍ଡ ପରିମ‌ାଣର ଫସଲ ଅମଳ ହେବ

Flickr

ଭୁବନେଶ୍ବର : ଉପକୂଳ ଜିଲ୍ଲାମାନଙ୍କରେ ନିଅଣ୍ଟିଆ ବର୍ଷା ଏବେ ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଗତ ଜୁନ୍‌ ମାସରେ କମ୍‌ ବର୍ଷା ରେକର୍ଡ କରାଯାଇଥିଲା। ଏବେ ଜୁଲାଇର ୯ ତାରିଖ ପର୍ଯ୍ୟନ୍ତ ମଧ୍ୟ ଉପକୂଳରେ ଅଭାବୀ ବର୍ଷା ଦେଖାଦେଇଛି। ଆସନ୍ତା ୨ ସପ୍ତାହ ମଧ୍ୟ ଉପକୂଳରେ ବିଶେଷ ବର୍ଷା ସମ୍ଭାବନା ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଲେଣି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ୧ ଜୁନ୍‌ରୁ ୯ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ୩୩୧.୬ମିମି ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ୩୦୬.୯ ମିମି ହେବା କଥା। ହେଲେ ଏ ପର୍ଯ୍ୟନ୍ତ ରାଜ୍ୟରେ ୮% ଅଧିକ ବର୍ଷା ରେକର୍ଡ କରାଯାଇଛି। ଝାରସୁଗୁଡ଼ା, ମାଲକାନଗିରି, କୋରାପୁଟ, ସୁନ୍ଦରଗଡ଼, ଦେବଗଡ଼, ନୂଆପଡ଼ା ଓ ଗଜପତିରେ ୨୦% ଅତିରିକ୍ତ ବର୍ଷା ରେକର୍ଡ କରାଯାଇଛି। ୧୭ଟି ଜିଲ୍ଲାରେ ସ୍ବାଭ‌ାବିକ ବର୍ଷା ହୋଇଥିବା ବେଳେ ଉପକୂଳର ନିଅଣ୍ଟିଆ ବର୍ଷା ଚିନ୍ତାର କାରଣ ହୋଇଛି। ଉପକୂଳ ଜିଲ୍ଲା ଯଥା ଖୋର୍ଦ୍ଧା, ଯାଜପୁର, ‌କେନ୍ଦ୍ରାପଡ଼ା, ପୁରୀ, କଟକ ଓ ବାଲେଶ୍ବରରେ ୨୦% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ପୁରୀ ଓ ଖୋର୍ଧାରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ହୋଇଛି। ପୁରୀରେ ଆଜି ପର୍ଯ୍ୟନ୍ତ ୧୪୭.୪ମିମି ବର୍ଷା ହୋଇଥିବା ବେଳେ ଖୋର୍ଧା ଜିଲ୍ଲାରେ ୧୯୫.୧ମିମି ବର୍ଷା ହୋଇଛି। ଏହା ସ୍ବାଭାବିକଠାରୁ ବହୁତ କମ। ପୁରୀରେ ଏ ପର୍ଯ୍ୟନ୍ତ ୪୦% ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଖୋର୍ଧାରେ ୨୯% କମ୍‌ ବର୍ଷା ହୋଇଛି। ଆଗକୁ ମଧ୍ୟ ଉପକୂଳରେ ନିଅଣ୍ଟିଆ ବର୍ଷାର ପରିସ୍ଥିତି ଲାଗି ରହିବାର ଆଶଙ୍କା ରହିଥିବା ସୂଚନା ମିଳିଛି।

publive-image Pinterest

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ପୂର୍ବ ଆକଳନ ଅନୁଯାୟୀ ଉପକୂଳ ଜିଲ୍ଲାମାନଙ୍କରେ ନିଅଣ୍ଟିଆ ବର୍ଷା ହୋଇଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏହି ଅବସ୍ଥା ଲାଗି ରହିବ। ଫଳରେ ଚାଷ କାମ ବାଧାପ୍ରାପ୍ତ ହେବ। ସେହିପରି ତା’ ପର ସପ୍ତାହରେ ୧୭ରୁ ୨୩ତାରିଖ ପର୍ଯ୍ୟନ୍ତ ସମସ୍ତ ୧୦ଟି ଉପକୂଳ ଜିଲ୍ଲା ଯଥା, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଧା, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ବରରେ ସମୁଦାୟ ବର୍ଷା ପ୍ରାୟ ୪୦ମିମି ‌ହୋଇପାରେ, ଯାହାକି ସ୍ବାଭାବିକଠାରୁ ୫୦ ପ୍ରତିଶତ କମ୍‌। ପୁରୀ, ‌ଖୋର୍ଧା, କଟକ ଓ ଜଗତ୍‌ସିଂହପୁରରେ ସବୁଠାରୁ ଅଧିକ ନିଅଣ୍ଟିଆ ବର୍ଷା ହେବ।

ଡ. ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ୧୫ ତାରିଖ ପରେ ରାଜ୍ୟରେ ସକ୍ରିୟ ମୌସୁମୀର ସମ୍ଭାବନା କମ୍‌। ସେହିପରି ଲଘୁଚାପର ମଧ୍ୟ ସୂଚନା ମିଳୁନାହିଁ। ନିର୍ମଳ ବାୟୁମଣ୍ଡଳରେ ବର୍ଷା ହେବା ନେଇ ମେଘ ସୃଷ୍ଟି ହେବ ନାହିଁ। ଏଣୁ ବର୍ଷାର ପରିମାଣ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଶେଷ ଭାବେ କମିବ। ଜୁଲାଇ ୧ରୁ ୧୫ହେଉଛି ରାଜ୍ୟରେ ଖରିଫ ଫସଲର ପ୍ରଥମ ପ୍ରର୍ଯ୍ୟାୟ। ଏହି ସମୟରେ ବୁଣାବୁଣି ଓ ତଳି ପକା କାର୍ଯ୍ୟ ହୋଇଥାଏ। ଧାନ ରୁଆ ମଧ୍ୟ ଆରମ୍ଭ ହୋଇଯାଇଥାଏ। ବର୍ତ୍ତମାନ ଉପକୂଳର ଅନେକ ସ୍ଥାନରେ ରୋଇବା ପାଇଁ ତଳି ବଡ଼ ହୋଇଗଲାଣି ଓ ବେଉଷଣ ପାଇଁ ମଧ୍ୟ ସମୟ ଆସିଯାଇଛି। କିନ୍ତୁ ସ୍ବଳ୍ପ ବର୍ଷା ଯୋଗୁଁ ରୁଆ ବେଉସଣରେ ବାଧା ସୃଷ୍ଟି ହେଉଛି।

ଉଲ୍ଲେଖଯୋଗ୍ୟ, ଆଜି ରାଜ୍ୟକୁ ମହାରାଷ୍ଟ୍ର ଓ ଗୁଜରାଟରୁ ପଶ୍ଚିମା ପବନ ବହୁଥିବାରୁ ୧୨ରୁ ୧୪ତାରିଖ ଭିତରେ ପୂର୍ବ ଭାରତ ଓ ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ ଓ ବାୟୁମଣ୍ଡଳରେ ବିଶୃଙ୍ଖଳା ସୃଷ୍ଟି ହେବ। ଫଳରେ ରାଜ୍ୟରେ କିଛି ବର୍ଷା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe