ଦୁଇଟି ଘୂର୍ଣ୍ଣିବଳୟ, ଲଘୁଚାପ ଆଶଙ୍କା

Advertisment
ସମ୍ଭାବ୍ୟ ବର୍ଷା ନେଇ ଏସଆରସିଙ୍କ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି

Photo by : bcdn.newshunt.com

ଭୁବନେଶ୍ୱର : ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଏହା ଆଖପାଖ ଅଞ୍ଚଳ ଏବଂ ତେଲେଙ୍ଗନାର ଉତ୍ତର ପାର୍ଶ୍ୱ ଓ ଏହା ଆଖପାଖ ଅଞ୍ଚଳରେ ଦୁଇଟି ଘୂର୍ଣ୍ଣିବଳୟ ଥିବାରୁ ଏହା ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ଏଥରର ଦୁର୍ଗା ପୂଜା ପୂରା ଧୋଇଯିବା ସମ୍ଭାବନା ସୃଷ୍ଟି ହୋଇଛି।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଏହି ଦୁଇଟି ଘୂର୍ଣ୍ଣିବଳୟ ଏବେ ଲଘୁଚାପର ରୂପ ନେଇନଥିଲେ ହେଁ ସ୍ଥଳଭାଗ ଉପରେ ଥିବାରୁ ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଏହିପରି ପାଗ ଲାଗି ରହିବ। ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଆଦି ଜିଲ୍ଲାରେ ୪୮ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ବର୍ଷା ସହ ୪୦ରୁ ୫୦କିମି ବେଗରେ ବି ପବନ ବହିପାରେ।

ସେହିପରି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଆଦି ଜିଲ୍ଲାରେ ତୁହାକୁ ତୁହା ବର୍ଷା ସହ ଘଡ଼ଘଡ଼ି ଓ ପବନ ବହିପାରେ। ଅପରାହ୍ନରେ ଅଧିକ ଘଡ଼ଘଡ଼ି ମାରିବାର ସମ୍ଭାବନା ରହୁଛି। ତେଣୁ ଆକାଶରେ କଳାହାଣ୍ଡିଆ ମେଘ ଦେଖିଲେ ଖୋଲା ସ୍ଥାନରେ ନ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାବାଦ୍‌ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ଆକାଶ ମେଘୁଆ ରହିବା ସହ ସାମାନ୍ୟ ବର୍ଷା ହୋଇପାରେ।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜି ଭୁବନେଶ୍ୱରରେ ସର୍ବାଧିକ ୬୩.୭ମିମି ବର୍ଷା ହୋଇଥିବାବେଳେ ଢେଙ୍କାନାଳରେ ୫୫ମିମି, କଟକରେ ୪୪ମିମି, ଚାନ୍ଦବାଲି ଓ ପାରାଦୀପରେ ୧୧ମିମି, ପୁରୀରେ ୧୫ମିମି, ଅନୁଗୁଳରେ ୩ମିମି, ଗୋପାଳପୁରରେ ୨ମିମି, ତାଳଚେରରେ ୨ମିମି ବର୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe