ଧନକଉଡ଼ା ବିଇଓଙ୍କ ବିରୋଧରେ ପୁଣି ଅଭିଯୋଗ, ସ୍କୁଲ ବ୍ୟାଗ ଯୋଗାଣରେ ଦୁର୍ନୀତି

ଧନକଉଡ଼ା ବିଇଓଙ୍କ ବିରୋଧରେ ପୁଣି ଅଭିଯୋଗ, ସ୍କୁଲ ବ୍ୟାଗ ଯୋଗାଣରେ ଦୁର୍ନୀତି

Zee News

ସମ୍ବଲପୁର: ଧନକଉଡ଼ା ବିଇଓଙ୍କ ବିରୋଧରେ ପୁଣି ଏକ ଅଭିଯୋଗ ଆସିଛି। ଏବେ ଛାତ୍ରଛାତ୍ରୀମାନଙ୍କୁ ବ୍ୟାଗ୍ ଯୋଗାଇବା ଦୁର୍ନୀତି ସାମ୍‌ନାକୁ ଆସିଛି। ଧନକଉଡ଼ା ପ୍ରାଥମିକ ଶିକ୍ଷକ ସଂଘ ଏ ସଂକ୍ରାନ୍ତରେ ଅଭିଯୋଗ ଆଣିଛି।
ରାଜ୍ୟ ସରକାରଙ୍କ ଏଲ୍‌ଆର୍‌ପି ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ବ୍ୟାଗ୍ ଯୋଗାଇ ଦିଆଯାଇଥାଏ। ଛାତ୍ରଛାତ୍ରୀମାନଙ୍କୁ ଜଣକ ପିଛା ୧୨୯ ଟଙ୍କା ଲେଖାଏଁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି। ଧନକଉଡ଼ା ବିଇଓଙ୍କ କାର୍ଯ୍ୟାଳୟରୁ ଏ ବାବଦକୁ ବ୍ଲକ୍‌ର ସମସ୍ତ ସ୍କୁଲକୁ ପ୍ରଧାନଶିକ୍ଷକଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ଟଙ୍କା ପଠାଯାଇଛି।

ଉକ୍ତ ଟଙ୍କାକୁ ପୁଣି ପ୍ରଧାନଶିକ୍ଷକମାନଙ୍କଠାରୁ ଚେକ୍‌ ଆକାରରେ ସଂଗ୍ରହ କରିବାକୁ ସିଆର୍‌ସିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଉପରେ ଧନକଉଡ଼ା ବ୍ଲକ୍‌ ପ୍ରାଥମିକ ଶିକ୍ଷକ ୟୁନିୟନ୍ ଆପତ୍ତି ଉଠାଇଛି। ବ୍ଲକ୍‌ ପ୍ରାଥମିକ ଶିକ୍ଷକ ୟୁନିୟନ୍‌ର ସଭାପତି ଯୁଧିଷ୍ଠିର ମାଝୀଙ୍କୁ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ, ବିଇଓ ଏଲ୍‌ଆର୍‌ପି ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ପାଇଁ ଆସିଥିବା ବ୍ୟାଗ୍‌ ବାବଦ ଟଙ୍କା ସ୍କୁଲର ଆକାଉଣ୍ଟ ଦେବା କଥା। ସ୍କୁଲର ସ୍ଥାୟୀ ଆକାଉଣ୍ଟ, ଏମ୍‌ଡିଏମ୍‌ ଆକାଉଣ୍ଟ ଓ ଏସ୍‌ଏସ୍ଏ ଆକାଉଣ୍ଟ ଭଳି ତିନି ବ୍ୟାଙ୍କ ଆକାଉଣ୍ଟ ରହିଛି। ସରକାରୀ ଅର୍ଥ ହୋଇଥିବାରୁ ଏହି ୩ଟି ଆକାଉଣ୍ଟ ମଧ୍ୟରୁ କୌଣସି ଏକ ଆକାଉଣ୍ଟକୁ ଟଙ୍କା ପଠାଯିବା କଥା। କିନ୍ତୁ, ପ୍ରଧାନ ଶିକ୍ଷକମାନଙ୍କ ବ୍ୟକ୍ତିଗତ ଆକାଉଣ୍ଟଙ୍କୁ ଟଙ୍କା ପଠାଇ ଏବେ ଚେକ୍ ଆକାରରେ ଟଙ୍କା ଦେବାକୁ ବାଧ୍ୟ କରୁଛନ୍ତି। ଏଭଳି କାମ ଜରିଆରେ ‌ବିଇଓ ଦୁର୍ନୀତି କରିବା ପାଇଁ ପ୍ରବର୍ତ୍ତାଉଛନ୍ତି ବୋଲି ସେ ଅଭିଯାଗ ଆଣିଛନ୍ତି।

ଧନକଉଡ଼ା ବିଇଓଙ୍କ କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ଚାଲିଛି। ସେସବୁର ତଦନ୍ତ ହେବା ନିହାତି ଆବଶ୍ୟକ ବୋଲି ଶ୍ରୀ ମାଝୀ ଏହି ପ୍ରେସ୍ ବିବୃତିରେ କହିଛନ୍ତି। ଏ ସଂକ୍ରାନ୍ତରେ ବିଇଓ ସୁରେନ୍ଦ୍ର ସାହୁଙ୍କୁ ପଚାରିବାରୁ ସେ କହିଲେ, ବ୍ୟାଗ୍ ବାବଦ ଟଙ୍କା ପିଲାମାନଙ୍କୁ ୧୨୯ ଟଙ୍କା ହିସାବରେ ଦିଆଯାଇଥାଏ କିମ୍ବା ସ୍କୁଲ ପକ୍ଷରୁ କ‌ୌଣସି ସଂସ୍ଥା ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ବ୍ୟାଗ୍‌ ଯୋଗାଇ ଦିଆଯାଇପାରବ। ତେବେ, ଟଙ୍କା କଦାପି ବ୍ୟକ୍ତିଗତ ଆକାଉଣ୍ଟକୁ ଯିବା କଥା ନୁହେଁ। ଏସ୍‌ଏମ୍‌ସି ଓ ପ୍ରଧାନଶିକ୍ଷକଙ୍କ ମିଳିତ ଆକାଉଣ୍ଟକୁ ଯୋଗାଇ ଦିଆଯିବା କଥା। କିନ୍ତୁ, କେମିତି ଟଙ୍କା ପଠାଇଯାଇଛି, ଏବେ ତାଙ୍କର ମନେ ନାହିଁ। ଆସନ୍ତ‌ାକାଲି ବୁଝାବୁଝି କରିବା ପରେ କହିପାରିବେ ବୋଲି ସେ କହିଥିଲେ। ତେବେ, ବିଇଓ କଦାପି ଏକାକୀ ଟଙ୍କା ପଠାଇ ନାହାନ୍ତି। ବିଇଓ ଏବଂ ବିଆର୍‌ସି ତଥା ଏବିଇଓଙ୍କ ମିଳିତ ଦସ୍ତଖତରେ ଏହି ଅର୍ଥ ପଠାଯାଇଥିବ ବୋଲି ଶ୍ରୀ ସାହୁ କହିଛନ୍ତି।

ଏପଟେ ଅନୁସନ୍ଧାନରୁ ଜଣାଯାଇଛି ଯେ ବିଇଓ କାର୍ଯ୍ୟାଳୟ ପକ୍ଷରୁ ବ୍ୟାଗ୍ ଯୋଗାଇବା ପାଇଁ ବାସନ୍ତୀ ବ୍ୟାଗ୍‌ ଆଣ୍ଡ ବ୍ୟାଲଟ୍‌ ହାଉସ୍‌ ନାମକ ଏକ ସଂସ୍ଥା ସହିତ ଯୋଗାଯୋଗ କରାଯାଇଛି। ଇତିମଧ୍ୟରେ ଏହି ବ୍ଲକ୍‌ର ୯ଟି କ୍ଲଷ୍ଟରକୁ ବ୍ୟାଗ୍ ଯୋଗାଇ ଦିଆସରିଥିବା ବେଳେ ବାକି ୧୩ଟି କ୍ଲଷ୍ଟରକୁ ଯୋଗାଇ ଦିଆଯିବା ବାକି ରହିଛି। ଏହି ୧୩ଟି କ୍ଲଷ୍ଟରକୁ ପ୍ରଧାନଶିକ୍ଷକମାନଙ୍କଠାରୁ ଚେକ୍‌ ଆକାରରେ ଟଙ୍କା ସଂଗ୍ରହ ସିଆର୍‌ସିସିମାନଙ୍କୁ ଦିଆଯାଇଛି। ଏହା ପଛରେ ‘କମିସନି କାରବାର’ ଥିବା କହାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଏବଂ ଏହାର ଧନକଉଡ଼ା ବ୍ଲକ୍‌ ଶାଖା ପକ୍ଷରୁ ଗତ ମାସ ଧନକଉଡ଼ା ବିଇଓଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ଶିକ୍ଷକଙ୍କୁ ବିଳମ୍ବରେ ଦରମା, ବାର୍ଷିକ ଇନ୍‌କ୍ରିମେଣ୍ଟ ବାବଦ ଅର୍ଥ ଠିକ୍ ସମୟରେ ମଂଜୁର କରାନଯିବା, ଗଡ଼ମୁଣ୍ଡା ୟୁପି ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବ‌େ କାର୍ଯ୍ୟ କରୁଥିବା ସହକାରୀ ଶିକ୍ଷକ ବିଭୀଷଣ ବାଗଙ୍କ ପରିବାରବର୍ଗଙ୍କୁ ‘ପରିବାର ପେନ୍‌ସନ୍‌’ ତଥା ଅନ୍ୟ ମୃତ୍ୟୁକାଳୀନ ସହାୟତା ଏପର୍ଯ୍ୟନ୍ତ ଦିଆନଯିବା, ବିଭିନ୍ନ ଅଭିଯୋଗ ନେଇ ଯାଉଥିବା ଶିକ୍ଷକମାନଙ୍କ ସମସ୍ୟାର ସମାଧାନ କରାନଯାଇ ପାଲଟା ହଇରାଣ କରାଯାଉଥିବା ଭଳି ସଂଗିନ ଅଭିଯୋଗ ଅଣାଯାଇଥିଲା। ହେଲେ, ଏହି ଅଭିଯୋଗର ତାଲିକା ଏବେ ଲମ୍ବି ଲମ୍ବି ଚାଲିଛି। ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରାଯିବା ପରେ ବି ଏପର୍ଯ୍ୟନ୍ତ ତ ‌କୌଣସି ଫଳାଫଳ ବର୍ତ୍ତମାନ ସୁଦ୍ଧା ମିଳି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe