ଧାନ କିଣା ପାଇଁ ୫୦% ଚାଷୀଙ୍କ ପଞ୍ଜୀକରଣ: ହାତରେ ଆଉ ଗୋଟିଏ ଦିନ

Advertisment

ଅବଧି ନ ବଢ଼ିଲେ ଖରିଫ୍‌ ଧାନ ବିକ୍ରିରୁ ବଞ୍ଚିତ ହେବେ ଚାଷୀ

ଅବଧି ନ ବଢ଼ିଲେ ଖରିଫ୍‌ ଧାନ ବିକ୍ରିରୁ ବଞ୍ଚିତ ହେବେ ଚାଷୀ

ଧାନ କିଣା ପାଇଁ ୫୦% ଚାଷୀଙ୍କ ପଞ୍ଜୀକରଣ: ହାତରେ ଆଉ ଗୋଟିଏ ଦିନ

ବରଗଡ଼: ସରକାରୀ ବ୍ୟବସ୍ଥା ‌ଯେତେ ପରିବର୍ତ୍ତନ ହେଲେ ବି ଚା‌ଷୀଙ୍କ ଦୁଃଖ ପ୍ରଶମିତ ହେଉନାହିଁ। ଆଗାମୀ ଖରିଫ୍‌ ଧାନକିଣା ଚାଷୀଙ୍କୁ ଧୋକା ଦେବ। ବର୍ତ୍ତମାନର ସ୍ଥିତି ଏହି ଆଶଙ୍କାକୁ ବଢ଼ାଇ ଦେଇଛି। ଖରିଫ୍‌ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଆସନ୍ତା ୧୬ ତାରିଖ ଶେଷ ହେବ। କିନ୍ତୁ ବରଗଡ଼ ଜିଲ୍ଲାର ମାତ୍ର ୬୯,୨୩୯ ଜଣ ଚାଷୀ ଏଯାଏ ପଞ୍ଜୀକରଣ କରିଛନ୍ତି। ପ୍ୟାକ୍ସ ମାଧ୍ୟମରେ ପଞ୍ଜୀକରଣ ହେଉଥିବାରୁ ଏବଂ ଆଗକୁ ରବିବାର ଓ ସ୍ବାଧୀନତା ଦିବସ ପାଇଁ ଛୁଟି ଥିବାରୁ ଚାଷୀଙ୍କ ହାତରେ କେବଳ ୧୪ ତାରିଖ ରହିଛି।

ଗତ ଖରିଫ୍‌ରେ ଜିଲ୍ଲାର ୧.୪୦ ଲକ୍ଷ ଚାଷୀ ପଞ୍ଜୀକରଣ କରିଥିଲେ। ଅର୍ଥାତ୍‌ ଏଥର ଅତିକମ୍‌ରେ ସେତିକି ଚାଷୀ ନିଶ୍ଚିତ ପଞ୍ଜିକୃତ ହେବା କଥା। ଏହି ଆଧାରରେ, ଜିଲ୍ଲାର ୭୦ହଜାରରୁ ଅଧିକ ଚାଷୀ ଗୋଟିଏ ଦିନରେ କିଭଳି ପଞ୍ଜୀକରଣ କରିବେ, ତାକୁ ନେଇ ନାନା ଆଶଙ୍କା ମୁଣ୍ଡ ଟେକିଛି। ୱେବ୍‌ସାଇଟ୍‌ ଧିମା ଥିବାରୁ ୧୪ ତାରିଖ ୫ ରୁ ୬ ହଜାର ଚାଷୀ ହିଁ ପଞ୍ଜୀକରଣ କରିପାରିବେ ବୋଲି ଆକଳନ କରାଯାଉଛି। ଯଦି ଅବଧି ବଢ଼ା ନଯାଏ, ତେବେ ଏତେ ସଂଖ୍ୟକ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେବା ନିଶ୍ଚିତ। କାରଣ ପଞ୍ଜୀକରଣ ନ ହେଲେ ତାଙ୍କୁ ଟୋକନ୍‌ ବି ମିଳିବ ନାହିଁ।

ବରଗଡ଼ ଜିଲ୍ଲା ଉଭୟ ଖରିଫ୍‌ ଏବଂ ରବି ଋତୁରେ ରାଜ୍ୟର ୨୨ ପ୍ରତିଶତ ଧାନ ଯୋଗାଇଥାଏ। ଜିଲ୍ଲାରେ ୨.୫୦ ଲକ୍ଷ ହେକ୍ଟର ଜମିରେ ଖରିଫ୍‌ ଚାଷ ହୋଇଥାଏ। କିନ୍ତୁ ଯେତିକି ଉତ୍ପାଦନ ହେଉଛି, କମ୍‌ ଧାନ କିଣାଯାଉଛି। ବିଧାନସଭାରେ ଆଲୋଚନା ବେଳେ ଗତବର୍ଷ ବରଗଡ଼ ଜିଲ୍ଲାର ଖରିଫ୍‌ ଧାନ ଉତ୍ପାଦନକୁ ନେଇ ପ୍ରଶ୍ନ ଉଠିଥିଲା। ଏଠାରୁ ୧୪୦ ଲକ୍ଷ କ୍ବିଣ୍ଟାଲ ଧାନ ଉତ୍ପାଦନ ହେଉଥିବା ଉତ୍ତର ଆସିଥିଲା। ତେବେ ଜିଲ୍ଲାକୁ ମାତ୍ର ୭୬ଲକ୍ଷ କ୍ବିଣ୍ଟାଲ ଧାନ କିଣା ଟାର୍ଗେଟ ଆସିଥିଲା। ଯଦି ବମ୍ପର ଉତ୍ପାଦନ କରି ୧.୪୦ ଲକ୍ଷ ଚାଷୀଙ୍କୁ ଏତିକି ଧାନ ଉଠିଲା, ତେବେ କମ୍‌ ପଞ୍ଜୀକରଣ ହେଲେ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିବା ନିଶ୍ଚିତ। କାରଣ ଏହି ଅନୁପାତରେ ପାଖାପାଖି ୮୦ ଲକ୍ଷ କ୍ବିଣ୍ଟାଲ ଧାନ ବଳି ଯିବ। ତେଣୁ ପଞ୍ଜୀକରଣ ଅବଧି ତୁରନ୍ତ ବଢ଼ାଇବାକୁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe