ନକଲି ପୁଲିସ ଦଳରେ ଗୃହରକ୍ଷୀ! ଚାନ୍ଦା ଆଦାୟ ଅଭିଯୋଗରେ ୫ ଗିରଫ

Advertisment
ନକଲି ପୁଲିସ ଦଳରେ ଗୃହରକ୍ଷୀ! ଚାନ୍ଦା ଆଦାୟ ଅଭିଯୋଗରେ ୫ ଗିରଫ

ପାଣିକୋଇଲି: ଯାଜପୁରରେ ନକଲି ପୁଲିସ ସାଜି ଚାନ୍ଦା ଆଦାୟ କରିବା ଅଭିଯୋଗରେ ଯେଉଁ ୫ଜଣ ଗିରଫ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ଜଣେ ଗୃହରକ୍ଷୀ (ହୋମଗାର୍ଡ) ଅଛନ୍ତି। ୫ ଜଣଙ୍କୁ ପାଣିକୋଇଲି ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହୋମ୍‌ଗାର୍ଡ ଜଣକ ହେଉଛନ୍ତି, ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜାନୁଗଞ୍ଜ ଅଞ୍ଚଳର ପ୍ରଦୀପ ବେହେରା (୨୯) ଓରଫ ନିଲୁ, ବାଲେଶ୍ବର ଜିଲ୍ଲା ପୁଲିସର ଜଣେ ଗୃହରକ୍ଷୀ (ବ୍ୟାଚ ନଂ ୧୧୨)। ଅନ୍ୟ ଅଭିଯୁକ୍ତମାନେ ହେଲେ, ରେମୁଣା ଥାନା ଅନ୍ତର୍ଗତ ଅଥନ୍ତର ଗ୍ରାମର ପବିତ୍ର ଦାସ(୨୧), ସେହି ଗ୍ରାମର ଚିନ୍ମୟ ଦାସ (୨୩) ଓ ସଦର ଥାନା ତନ୍ତୀସାହି ଗ୍ରାମର ଗିରିଧାରୀ ବେହେରା ଓରଫ ମଣ୍ଟୁ ଏବଂ ଜଣେ ନାବାଳକ ଅନ୍ତର୍ଭୁକ୍ତ। ଏ ସଂକ୍ରାନ୍ତରେ ପାଣିକୋଇଲି ପୁଲିସ ଏକ ମାମଲା ୬୨/୨୪ ରୁଜୁ କରି ସଂପୃକ୍ତ ନାବାଳକ (୧୭)କୁ ଜୁଭେନାଇଲ କୋର୍ଟକୁ ପଠାଇବା ସହିତ ଅନ୍ୟ ଚାରିଜଣଙ୍କୁ କୋର୍ଟଚାଲାଣ କରିଛି। ସେମାନଙ୍କଠାରୁ ଜାଲ ପରିଚୟପତ୍ର, ତିନିହଜାର ଟଙ୍କା ଓ ବୋଲେରୋ ଜବତ ହୋଇଛି।

ଗତ ଶନିବାର ରାତିରେ ଅଭିଯୁକ୍ତମାନେ ନିଜକୁ ପୁଲିସ ଅଧିକାରୀ ଓ କର୍ମଚାରୀ ଦର୍ଶାଇ ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକ୍‌ ଓ ବସ୍‌ଗୁଡ଼ିକଠାରୁ ଚାନ୍ଦା ଆଦାୟ କରୁଥିଲେ। ୫ଜଣ ଏକ ବୋଲେରୋରେ ଷଠିପୁର ନିକଟରେ ଜଗାକାଳିଆ ବସ୍‌କୁ ଅଟକାଇ ଚାନ୍ଦା ମାଗିବା ସହିତ ଗଣ୍ତଗୋଳ କରିଥିଲେ। ​ଏନେଇ ବସ୍‌ ଚାଳକ ଲିଆକତ ଅଲ୍ଲୀ ଖାନ(୫୫) ପୁଲିସକୁ ଜଣାଇଥିଲେ। ଖବର ପାଇ ରାଜପଥ ପାଟ୍ରୋଲିଂ ପୁଲିସ ପହଞ୍ଚି ଅଭିଯୁକ୍ତମାନଙ୍କୁ କାବୁ କରିବା ସହ ବୋଲେରୋ (ଓଡି ୦୧ ଏମ ୩୫୦୦)କୁ ଥାନାକୁ ନେଇଯାଇଥିଲା। ପାଣିକୋଇଲି ଥାନାଧିକାରୀ ଲିଜାରାଣୀ ବିଶ୍ବାଳ କହିଛନ୍ତି, ‘ପ୍ରଦୀପ ବେହେରା ଜଣେ ଗୃହରକ୍ଷୀ। ସେ ଓଡ଼ିଶା ପୁଲିସରେ କନେଷ୍ଟବଳ ଥିବାର ଗୋଟିଏ ଜାଲ୍‌ ପରିଚୟପତ୍ର ତିଆରି କରି ରାଜପଥରେ ବିଳମ୍ବିତ ରାତିରେ ଲୁଟ୍‌ କରୁଥିଲା। ତା’ ନାମରେ ଏକାଧିକ ମାମଲା ରହିଛି। ସେ ନିଲମ୍ବିତ ହୋଇ ପୁଣି ଚାକିରି କରୁଥିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe