ନକଲି ସାର୍ଟିଫିକେଟରେ ୪ ପୋଷ୍ଟମାଷ୍ଟର, ଖୋଳତାଡ଼ ପରେ ସମସ୍ତେ ଫେରାର୍‌

Advertisment
ନକଲି ସାର୍ଟିଫିକେଟରେ ୪ ପୋଷ୍ଟମାଷ୍ଟର, ଖୋଳତାଡ଼ ପରେ ସମସ୍ତେ ଫେରାର୍‌

ବଲାଙ୍ଗୀର : କେବଳ ଚଳିତବର୍ଷ ନୁହଁ, ପୂର୍ବରୁ ବି ନକଲି ସାର୍ଟିଫିକେଟରେ ଅସଲି ଚାକିରି କରୁଛନ୍ତି ପିଲା। ଏବେ ନକଲି ସାର୍ଟିଫିକେଟ ଗୁମର ଖୋଲିବାପରେ ଠକେଇ କରି ଯେଉଁମାନେ ଚାକିରି ହାତେଇଥିଲେ ସେମାନେ ସବୁ ଏବେ ଫେରାର୍‌ ମାରିଲେଣି। ଗତବର୍ଷ ପୋଷ୍ଟାଲ ନିଯୁକ୍ତି ପ୍ରକ୍ରିୟାରେ ବଲାଙ୍ଗୀର ଜିଲ୍ଲାରେ ୫ ଜଣ ୟୁପି ବୋର୍ଡର ନକଲି ସାର୍ଟିଫିକେଟ ହାତେଇ ମେରିଟ ଲିଷ୍ଟ୍‌କୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ କାର୍ଯ୍ୟରେ ଯୋଗଦେଇ ଚାକିରି କରୁଥିବା ବେଳେ ଜଣେ କାର୍ଯ୍ୟରେ ଯୋଗଦେଇ ନଥିଲେ। ଆଉ ଏବେ ନକଲି ସାର୍ଟିଫିକେଟ ମାମଲା ଥାନାକୁ ପହଞ୍ଚିବା ପରେ ଚାକିରି ହାତେଇଥିବା ୪ ଜଣ ପୋଷ୍ଟମାଷ୍ଟର ଫେରାର୍‌ ହୋଇଯାଇଛନ୍ତି। ଅନ୍ୟପକ୍ଷରେ, ନକଲି ସାର୍ଟିଫିକେଟ ଯୋଗାଉଥିବା ରାକେଟରେ ସଂପୃକ୍ତ ଥିବା ସନ୍ଦେହରେ ୪ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ବିଭାଗୀୟ ସୂଚନା ଅନୁସାରେ, ଜଗନ୍ନାଥ ପୋଢ଼, ଫକିରଲାଲ ସାହୁ, ପୂଜା ମେହେର, ରଘୁନାଥ ମେହେର, କୋକିଳ ମେହେର ୨୦୨୨ ମସିହାରେ ମେରିଟ ଲିଷ୍ଟକୁ ଆସିଥିଲେ। ଗତ କିଛିମାସ ତଳେ ସେମାନେ ଚାକିରି ହାତେଇଥିଲେ। ଫକିରଲାଲ ସାହୁ କାର୍ଯ୍ୟରେ ଯୋଗଦେଇ ନଥିବା ବେଳେ ଅନ୍ୟ ୪ ଜଣଙ୍କ ପୋଷ୍ଟିଂ ହୋଇଥିଲା। କେନ୍ଦୁମୁଣ୍ଡି ପୋଷ୍ଟ ଅଫିସରେ ଜଗନ୍ନାଥ ପୋଢ଼, ମରୁଆଁ ପୋଷ୍ଟ ଅଫିସରେ କୋକିଳ ମେହେର, ପାଢ଼େଲ ପୋଷ୍ଟ ଅଫିସରେ ପୂଜା ମେହେର, ଘସିଏନ ପୋଷ୍ଟ ଅଫିସରେ ରଘୁନାଥ ମେହେର କାର୍ଯ୍ୟରତ। ଏମାନେ ସବୁ ଉତ୍ତରପ୍ରଦେଶ ବୋର୍ଡର ମହର୍ଷି ଦୟାନନ୍ଦ ଆଇସି କାଲସିଆ ସାହାଣାପୁରର ସାର୍ଟିଫିକେଟ ଓ ମାର୍କସିଟ ଦେଇଥିଲେ। ଯେଉଁଥିରେ ସବୁ ବିଷୟରେ ୯୭ରୁ ୯୮ ମାର୍କ ରହିଛି। ଓଡ଼ିଆ ହେଉ କି ଇଂରାଜୀ ସବୁରେ ୧୦୦ରୁ ୯୬, ୯୭ ମାର୍କ ରହିଛି। ଏଣୁ ଏହାକୁ ସନ୍ଦେହ କରି ବଲାଙ୍ଗୀର ଡାକମଣ୍ଡଳ ଅଧୀକ୍ଷକ ସାର୍ଟିଫିକେଟ ଯାଞ୍ଚ୍‌ ପାଇଁ ଉତ୍ତରପ୍ରଦେଶ ବୋର୍ଡ ଅଧିକାରୀଙ୍କୁ ସତ୍ୟତା ଜାଣିବାକୁ ଚିଠି କରିଥିଲେ।

ଡାକ ଅଧୀକ୍ଷକ ରାଜେନ୍ଦ୍ର ପଟ୍ଟନାୟକଙ୍କ କହିବାନୁସାରେ, ସତ୍ୟତା ଜଣାନପଡ଼ିବା ପର୍ଯ୍ୟନ୍ତ ୪ ଜଣଙ୍କ ଦରମା ବନ୍ଦ କରାଯାଇଛି। ଉତ୍ତରପ୍ରଦେଶ ବୋର୍ଡ ପ୍ରଥମେ ଚିଠି କରିବାପରେ କୌଣସି ଉତ୍ତର ଆସିନଥିଲା। ପରେ ପୁଣି ଚିଠି କରିବା ପରେ ଯାହା ଉତ୍ତର ଆସିଥିଲା ତାହା ବି ନକଲି ବୋଲି ସନ୍ଦେହ ହୋଇଥିଲା। କାରଣ ଉତ୍ତର କପିରେ ଭେରିଫାଏଡ ଓ ଜେନୁଇନ ସାଧାରଣତଃ ଲେଖା ରୁହେ। କିନ୍ତୁ, ଏଠାରେ କେବଳ ଭେରିଫାଏଡ ଲେଖା ହୋଇଥିଲା। ତାହା ପୁଣି ୫ ଜଣଙ୍କ ତଥ୍ୟ ଲୋଡ଼ିବା ପରେ ୩ ଜଣଙ୍କ ଭେରିଫାଏଡ ବୋଲି ଉତ୍ତର ଆସିଥିଲା। ଏଣୁ ଏହା ନକଲି ସନ୍ଦେହ ହେବାରୁ ଗତ ଫେବ୍ରୁଆରି ମାସରେ ଉତ୍ତରପ୍ରଦେଶ ବୋର୍ଡର ଅତିରିକ୍ତ ସଚିବଙ୍କୁ ଚିଠି କରାଯାଇଛି ବୋଲି ସେ କହିଛନ୍ତି।

ଅନ୍ୟପଟେ ବଲାଙ୍ଗୀର ଡାକମଣ୍ଡଳରେ ଚଳିତବର୍ଷ ମେରିଟ ଲିଷ୍ଟରେ ଥିବା ୩୭ ଜଣଙ୍କ ସାର୍ଟିଫିକେଟ ନକଲି ବୋଲି ଖବର ପ୍ରକାଶ ପାଇବା ପରେ ଚାକିରି କରୁଥିବା ୪ ଜଣ ପୋଷ୍ଟମାଷ୍ଟର ଛାନିଆଁ ହେଲେଣି। ଯିଏ ଯୁଆଡ଼େ ଫେରାର୍‌ ହୋଇଯାଇଛନ୍ତି। ପୋଷ୍ଟ ଅଫିସ ବି ଯାଉନାହାନ୍ତି। କାର୍ଯ୍ୟାଳୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି। କେତେଜଣ ନିଜ ପଟୁ ଇସ୍ତଫା ଦେବାକୁ ବି ବାହାରିଥିବା ଏକ ବିଶେଷସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe