ନିଜ ପଞ୍ଚାୟତରେ କ୍ରୀଡ଼ାମନ୍ତ୍ରୀ ହଟହଟା

Advertisment

ବନ୍ଦ ଘରେ ୧ ଘଣ୍ଟା ଅଟକ, ରାତି ୧୧ରେ ଉଦ୍ଧାର କଲା ପୁଲିସ

ବନ୍ଦ ଘରେ ୧ ଘଣ୍ଟା ଅଟକ, ରାତି ୧୧ରେ ଉଦ୍ଧାର କଲା ପୁଲିସ

ନିଜ ପଞ୍ଚାୟତରେ କ୍ରୀଡ଼ାମନ୍ତ୍ରୀ  ହଟହଟା

ଅସ୍ତରଙ୍ଗ : କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଅସ୍ତରଙ୍ଗ ବ୍ଲକ୍‌ ଅନ୍ତର୍ଗତ ନିଜ ପଞ୍ଚାୟତ ନଗରରେ ଲୋକଙ୍କ ବିରୋଧର ସମ୍ମୁଖୀନ ହେବାସହ ହଟହଟା ହୋଇଛନ୍ତି। ପଞ୍ଚାୟତର ୧୬ ନମ୍ବର ୱାର୍ଡରେ ଜଣକ ଘରେ ପ୍ରାୟ ଏକ ଘଣ୍ଟା କାଳ ଲୋକଙ୍କ ନଜରବନ୍ଦୀରେ ରହିବାପରେ ଅସ୍ତରଙ୍ଗ ପୁଲିସ ଖବର ପାଇ ତାଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁଯାୟୀ, ମନ୍ତ୍ରୀ ଶ୍ରୀ ବେହେରା ଗତକାଲି ରାତିରେ ନଗର ପଞ୍ଚାୟତର ଝିଞ୍ଜିରାଇ ମନ୍ଦିରରେ ଏକ ବୈଠକ କରୁଥିଲେ। ସେଠାରେ ଉପସ୍ଥିତ କେତେକ ଯୁବକ ନିଜ ଅଞ୍ଚଳର ସମସ୍ୟା ବିଷୟରେ ତାଙ୍କୁ ନାନା ପ୍ରଶ୍ନ ପଚାରିଥିଲେ। ବୈଠକରେ ଆଲୋଚନା ଓ ଲୋକେ ପ୍ରଶ୍ନ କରିବା ବେଳେ କେତେକ ଯୁବକ ଏହାର ଭିଜୁଆଲ୍ ରେକର୍ଡିଂ କରୁଥିବାରୁ ତାହକୁ ମନ୍ତ୍ରୀ ବିରୋଧ କରି ସେଠାରୁ ଉଠି ଚାଲି ଯାଇଥିଲେ। ପରେ ରାତି ପ୍ରାୟ ୧୦ଟା ୪୫ରେ ୧୬ ନମ୍ବର ୱାର୍ଡରେ ଜଣେ ବ୍ୟକ୍ତିଙ୍କ ଘରକୁ ଯିବାବେଳେ ତାଙ୍କୁ ଲୋକେ ଘେରି ଯାଇଥିଲେ। ତେବେ ଲୋକଙ୍କ ପ୍ରଶ୍ନର ଜବାବ ନ ରଖି ଘରେ ପଶି ଭିତରପଟୁ କବାଟ ବନ୍ଦ କରି ଦେବାରୁ ଉତ୍ତେଜନା ବଢ଼ିଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳରୁ ଅଧିକ ସଂଖ୍ୟାରେ ଲୋକେ ପହଞ୍ଚି ହୋହଲ୍ଲା ଆରମ୍ଭ କରି ଦେଇଥିଲେ। ବାହାରେ ପ୍ରବଳ ଲୋକ ହୋହଲ୍ଲା କରୁଥିଲା ବେଳେ ମନ୍ତ୍ରୀ ବାହାରକୁ ବାହାରି ନିଜ ପଞ୍ଚାୟତର ଲୋକଙ୍କୁ ସାମ୍ନା କରି ପାରି ନ ଥିଲେ। ପ୍ରାୟ ୧ ଘଣ୍ଟା ବନ୍ଦ ଘରେ ଅଟକ ରହିବା ପରେ ଅସ୍ତରଙ୍ଗ ଓ କାକଟପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ରାତି ପ୍ରାୟ ୧୧ଟାରେ ମନ୍ତ୍ରୀଙ୍କୁ ସେଠାରୁ ଉଦ୍ଧାର କରାଯାଇଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe