ନିର୍ବାଚନରେ ଭାଷା ମୁଖ୍ୟ ପ୍ରସଙ୍ଗ ହେଲେ ସଂଗ୍ରାମ ସଫଳ ହେବ

Advertisment

ଭାଷା ଆନ୍ଦୋଳନ ପକ୍ଷରୁ ମୁଖପତ୍ରର ଶୁଭ ଉନ୍ମୋଚନ

ଭାଷା ଆନ୍ଦୋଳନ ପକ୍ଷରୁ ମୁଖପତ୍ରର ଶୁଭ ଉନ୍ମୋଚନ

ନିର୍ବାଚନରେ ଭାଷା ମୁଖ୍ୟ ପ୍ରସଙ୍ଗ ହେଲେ ସଂଗ୍ରାମ ସଫଳ ହେବ

ଭୁବନେଶ୍ୱର : ଭାଷା ଆନ୍ଦୋଳନ ପକ୍ଷରୁ ଗୁରୁବାର ହୋଟେଲ କେଶରୀରେ ଏହାର ମୁଖପତ୍ରର ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଗତ ୫ଶହରୁ ଅଧିକ ଦିନ ପର୍ଯ୍ୟନ୍ତ ଚାଲିଥିବା କଳା ପତାକା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଫଟୋଚିତ୍ର ପ୍ରକାଶ ପାଇଛି।

ଆଜିର ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଲେ, ଭାଷା ଆନ୍ଦୋଳନ ଆଜିର ସମୟରେ ଏକ ଅଭିନବ ଆନ୍ଦୋଳନ। ତେବେ ଏହା ଆଜି ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟ ପ୍ରସଙ୍ଗ ହୋଇପାରି ନାହିଁ। ଆସନ୍ତା ନିର୍ବାଚନରେ ଯଦି ଭାଷା ୧ନଂ ପ୍ରସଙ୍ଗ ହୁଏ ତେବେ ଏହି ସଂଗ୍ରାମ ସଫଳ ହୋଇପାରିବ। ଦଳ କିମ୍ବା ନେତା ନୁହେଁ ପ୍ରସଙ୍ଗକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ପଡ଼ିବ। କୌଣସି ଆନ୍ଦୋଳନ ସଫଳ କରିବାକୁ ହେଲେ ଏଥିରେ ଅଧିକରୁ ଅଧିକ ସଂଖ୍ୟକ ମହିଳାଙ୍କୁ ସାମିଲ କରିବାକୁ ପଡ଼ିବ। ଏହାସହ ଭାଷା ଆନ୍ଦୋଳନର କିଏ ଶତ୍ରୁ ତାହାକୁ ମଧ୍ୟ ଚିହ୍ନଟ କରିବା ଜରୁରୀ। କଳା ପତାକାର ସାଂକେତିକ ଅଭିଯାନ ଜାରି ରହିବା ସହିତ ଏହାର ବିକଳ୍ପ ବ୍ୟବସ୍ଥା ଉପରେ ଚିନ୍ତା କରିବାକୁ ପଡ଼ିବ। ଯେଉଁ ବ୍ୟକ୍ତିମାନେ ଆସନ୍ତା ନିର୍ବାଚନରେ ଭାଷାକୁ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଦେଖିବାକୁ ଚାହୁଁଛନ୍ତି ସେମାନଙ୍କ ଦସ୍ତଖତ ସମ୍ବଳିତ ଫଟୋ ‘ସମ୍ବାଦ’ରେ ପ୍ରକାଶ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟତମ ଅତିଥି ଗଜାନନ ମିଶ୍ର କହିଲେ, ଓଡ଼ିଶାର ପଡ଼ୋଶୀ ରାଜ୍ୟରେ ଦପ୍ତର ଓ ଆଇନ ଅଦାଲତ କାର୍ଯ୍ୟରେ ଆଞ୍ଚଳିତ ଭାଷାରେ ଚାଲୁଥିବା ବେଳେ ଓଡ଼ିଶାରେ ଏଭଳି ବ୍ୟବସ୍ଥା ନାହିଁ। ସମ୍ବିଧାନର ଅଷ୍ଟମ ସୂଚୀରେ ଇଂରାଜୀ ଭାଷା ସଂପର୍କରେ କୌଣସି ଉଲ୍ଲେଖ ନାହିଁ। ଓଡ଼ିଆ ଭାଷାରେ ସମସ୍ତ କାର୍ଯ୍ୟ କରିବା ପାଇଁ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଛି। ମାତ୍ର ତାହା ଆଜି ପର୍ଯ୍ୟନ୍ତ ଫଳପ୍ର୍ରଦ ହୋଇପାରି ନାହିଁ। ଭାଷା ଉଲ୍ଲଂଘନକାରୀଙ୍କ ବିରୋଧରେ ଦଣ୍ଡବିଧାନ ବ୍ୟବସ୍ଥା କରାଯିବା ଜରୁରୀ ବୋଲି ଶ୍ରୀ ମିଶ୍ର କହିଥିଲେ।

ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଭାଷା ଆନ୍ଦୋଳନ ପାଇଁ ଚାଲିଥିବା ଅଭିଯାନରେ ଯେଉଁ ସମସ୍ୟା ଦେଖାଦେଉଛି ତାହା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଭାଷା ଆନ୍ଦୋଳନ ପକ୍ଷରୁ ପତ୍ରିକାର ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୌରୁଷର ସଂପାଦକ ଅସିତ ମହାନ୍ତି, ଗିରିଜା ଶଙ୍କର ଶର୍ମା, ବଂଶୀଧର କର, ଶିଶିର ଭଟ୍ଟମିଶ୍ର, ଅର୍ଧେନ୍ଦୁ ଦାସ, ଦେବେନ୍ଦ୍ର ପୃଷ୍ଟି, ଅନୀଲ ମିଶ୍ର, ଜାନକୀଶ ବଡ଼ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଆନ୍ଦୋଳନର ଆବାହକ ପବିତ୍ର ମହାରଥା କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe