ବଲାଙ୍ଗୀର: ସୋମବାର ଦିନ ସ୍ଥାନୀୟ ସାମ୍ବାଦିକ ଭବନରେ କୋଶଲ ରାଏଜ୍ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅଭିନେତା ମନୋଜ ମିଶ୍ରଙ୍କୁ ପ୍ରଯୋଜକମାନେ ଦୁଇବର୍ଷ ବାସନ୍ଦ କରିବାକୁ ଘଟଣାକୁ ତୀବ୍ର ନିନ୍ଦା କରିବା ସହ କୋଶଳାଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ କେବଳ କୋଶଳ ରାଜ୍ୟ ଗଠନ ହିଁ ଏକମାତ୍ର ବିକଳ୍ପ ବୋଲି କହିଥିଲେ। କୋଶଲାଞ୍ଚଳର ବିଭିନ୍ନ ଦାବି ନେଇ ଆସନ୍ତା ନଭେମ୍ବର ୧୫ ତାରିଖ କୋଶଲ ମହାବନ୍ଦ କରାଯିବା ନେଇ ଏଥିରେ ସୂଚନା ଦିଆଯାଇଥିଲା। କୋଶଲ ରାଏଜ୍ ମିଳିତ କ୍ରିୟାନୁଷ୍ଠାନ କମିଟି ଆବାହକ ସୁଶୀଳ ଗୁରୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆହୁରି କହାଯାଇଛି ଯେ, ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି। ବିଭିନ୍ନ ଢଙ୍ଗରେ ଏ ଅଂଚଳର ଲୋକକଳା, ସାହିତ୍ୟ ଓ ଅଧିକାରକୁ ଦମନ କରିବା ପ୍ରୟାସ ଆରମ୍ଭ ହୋଇଛି। ଏ ଅଂଚଳର ଗର୍ବ ଓ ଗୌରବ କହାଯାଉଥିବା ସିନେ କଳାକାର ମନୋଜ ମିଶ୍ରଙ୍କୁ ପଶ୍ଚିମାଞ୍ଚଳ ଭାଷାରେ ଫିଲ୍ମ ତିଆରି କରିବାକୁ ନେଇ ବାସନ୍ଦ କରାଯାଇଛି। ଘଟଣା କେବଳ ଏହା ନୁହେଁ, ବହୁ ବର୍ଷ ହେଲା ପଶ୍ଚିମାଞ୍ଚଳବାସୀଙ୍କ ହକ୍ ଯେପରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବ୍ୟାଞ୍ଚ ପ୍ରତିଷ୍ଠା, ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ, ଏମ୍ସ, କଟନ୍ କରିଡର, ସୁଗର୍ ମିଲ୍, ସୂତାକଳ, ଦାଦନ ସମସ୍ୟା, ବେକାରୀ ସମସ୍ୟା, ବିସ୍ଥାପନ, ସ୍ୱାସ୍ଥ୍ୟ, ଶିକ୍ଷା, ଚାକିରି ସବୁକୁ ଅବହେଳା କରାଯାଇଛି। ମନୋଜ ମିଶ୍ରଙ୍କୁ ବାସନ୍ଦ କରଯିବା ପ୍ରସଂଗରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଓଡ଼ିଶା ଦୁଇ ଭାଗ ହେବା ଉକ୍ତିକୁ କମିଟି ସମର୍ଥନ ଜଣାଇଛି।
ପଶ୍ଚିମ ଓଡ଼ିଶାକୁ ସବୁ କ୍ଷେତ୍ରରେ ଅବହେଳା କରାଯାଉଛି: ମିଳିତ କ୍ରିୟାନୁଷ୍ଠାନ କମିଟି
Advertisment
Follow Us