୩୪ବର୍ଷ ପରେ ନିର୍ବାଚନ ରାଜନୀତିରୁ ନରସିଂହଙ୍କ ବିଦାୟ: ‘ଓଡ଼ିଶାର ଏକଛତ୍ରବାଦ ଶାସନ ବ୍ୟବସ୍ଥା ବଡ଼ ଚାଲେଞ୍ଜ’

୩୪ବର୍ଷ ପରେ ନିର୍ବାଚନ ରାଜନୀତିରୁ ନରସିଂହଙ୍କ ବିଦାୟ: ‘ଓଡ଼ିଶାର ଏକଛତ୍ରବାଦ ଶାସନ ବ୍ୟବସ୍ଥା ବଡ଼ ଚାଲେଞ୍ଜ’

ସମ୍ବଲପୁର: ‘ନିଜେ ନିର୍ବାଚନ ଲଢ଼ିବା ଏବଂ ବଲାଙ୍ଗୀରର କଂଗ୍ରେସ ପ୍ରାର୍ଥୀ ଭାବରେ ପୁଅ ସମରେନ୍ଦ୍ର ମିଶ୍ରଙ୍କ ପାଇଁ ପ୍ରଚାର କରିବାରେ ଅନେକ ଫରକ ରହିଛି। ୧୯୯୦ ମସିହାରେ ପ୍ରଥମକରି ନିର୍ବାଚନ ମଇଦାନକୁ ଆସିଥିଲି ବ୍ୟାପକ ଭାବରେ ଲୋକଙ୍କ ସହଯୋଗ ମିଳିଥିଲା, ସର୍ବାଧିକ ୭୪% ଭୋଟ ମିଳିଥିଲା। ସମରେନ୍ଦ୍ରଙ୍କ ପାଇଁ ପ୍ରଚାର କରିବାବେଳକୁ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀଙ୍କ ସହିତ ତାଙ୍କର ତୁଳନା କରାଯିବା ବଦଳରେ ମୋ’ ସହିତ ତୁଳନା ହେବା ଦୁଃଖଦ ଅନୁଭବ ରହିଗଲା’। ‘ସମ୍ବାଦ’ ସହିତ ହୋଇଥିବା ସ୍ବତନ୍ତ୍ର ଆଲୋଚନାରେ ଏହିଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର।

ଶ୍ରୀ ମିଶ୍ର କହିଛନ୍ତି, ଚଳିତବର୍ଷ ନିର୍ବାଚନ ରାଜନୀତିରୁ ବିଦାୟ ନେଇଛନ୍ତି ସତ କିନ୍ତୁ ରାଜନୀତିରେ ଜୀବନ ଶେଷପର୍ଯ୍ୟନ୍ତ ରହିବେ। ଓଡ଼ିଶାରେ ବର୍ତ୍ତମାନ ଗଣତନ୍ତ୍ର ନାହିଁ। ଏକଛତ୍ରବାଦ ଶାସନ ଚାଲିଛି। ସାଧାରଣ ନିର୍ବାଚନ ଫଳାଫଳ ଅନୁସାରେ, ବିଜେଡି, ବିଜେପି ଯିଏ ମଧ୍ୟ ଆସନ୍ତୁ ଓଡ଼ିଶା ରାଜନୀତି ଏକଛତ୍ରବାଦ ଆଡ଼କୁ ଯିବା ବର୍ତ୍ତମାନର ସବୁଠାରୁ ବଡ଼ ଚାଲେଞ୍ଜ ବୋଲି ସେ କହିଛନ୍ତି। ଓଡ଼ିଶା ରାଜନୀତିରେ ପଶ୍ଚିମ ଓଡ଼ିଶାର ପ୍ରମୁଖ ଚେହେରା ହେଉଛନ୍ତି ଶ୍ରୀ ମିଶ୍ର। ୧୯୯୦ରୁ ୨୦୨୪। ୩୪ ବର୍ଷର ନିର୍ବାଚନ ରାଜନୀତିରେ ଲଗାତାର ୭ ଥର ପ୍ରାର୍ଥୀ ହେବାପରେ ଚଳିତବର୍ଷ ପ୍ରଥମଥର ପାଇଁ ନିଜେ ପ୍ରତ୍ୟକ୍ଷ ଭାବରେ ଲଢ଼େଇ ମଇଦାନରେ ନଥିଲେ। ବରିଷ୍ଠ ସାମ୍ବାଦିକ ଶିବଶଙ୍କର ନନ୍ଦଙ୍କ କହିବାନୁସାରେ, ବାମପନ୍ଥୀ ବିଚାରଧାରାର ନରସିଂହ ମିଶ୍ରଙ୍କ ବାପା ଯୁଧିଷ୍ଠିର ମିଶ୍ରଙ୍କ ରାଜନୈତିକ ଜୀବନ କମ୍ୟୁନିଷ୍ଟ ପାର୍ଟିରୁ ଆରମ୍ଭ ହୋଇଥିଲା। ସେ କିଛିସମୟ ପାଇଁ କଂଗ୍ରେସ ଦଳରେ ସାମିଲ୍‌ ହୋଇ ପୁଣି କମ୍ୟୁନିଷ୍ଟ ପାର୍ଟିକୁ ଫେରି ଆସିଥିଲେ। ନରସିଂହ ଖଲ୍ଲିକୋଟ କଲେଜରେ ପଢୁଥିବା ସମୟରେ ଏଆଇଏସ୍‌ଏଫ୍‌ର ପ୍ରମୁଖ କର୍ମକର୍ତ୍ତା ହୋଇଥିଲେ। ୯୦ ଦଶକରେ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଥିବାବେଳେ ହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରସ୍ତାବରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହାରେ ଜନତା ଦଳ ପ୍ରାର୍ଥୀ ହୋଇ କଂଗ୍ରେସ ପ୍ରାର୍ଥୀ ବୈଶାଖୁ ପଟେଲଙ୍କୁ ପରାଜିତ କରିଥିଲେ। ଏହିସମୟରେ ଦଳ ତାଙ୍କୁ ପ୍ରଚାର ପାଇଁ ୫୦ ହଜାର ଟଙ୍କା ଦେଇଥିବା ସେ କହିଛନ୍ତି।

ଏହାପରେ ଶ୍ରୀ ମିଶ୍ର ଲୋଇସିଂହା, ବିନିକା ଏବଂ ବଲାଙ୍ଗୀରରେ ନିର୍ବାଚନ ଲଢ଼ି ଉଭୟ ଜୟ-ପରାଜୟର ମୁହଁ ଦେଖିଛନ୍ତି। ଲୋଇସିଂହାରେ ବାଳଗୋପାଳ ମିଶ୍ର ଏବଂ ବଲାଙ୍ଗୀରରେ ସିଂହଦେଓ ପରିବାର ତାଙ୍କର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଥିଲେ। ୨୦୧୯ ମସିହାର ଶେଷ ନିର୍ବାଚନରେ ସିଂହଦେଓ ପରିବାରର ସାନପୁଅ ଅର୍କେଶ ନାରାୟଣ ସିଂହଦେଓଙ୍କୁ ପରାଜିତ କରିଥିଲେ। ସେ ରାଜ୍ୟର ଦୁଇ ପ୍ରମୁଖ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏବଂ ଜାନକୀ ପଟ୍ଟନାୟକଙ୍କ ସହିତ ପ୍ରତ୍ୟକ୍ଷ କାର୍ଯ୍ୟ କରିଛନ୍ତି। ଉଭୟଙ୍କ ପ୍ରଭାବ ତାଙ୍କ ଉପରେ ପଡ଼ିଥିବା ବିଭିନ୍ନ ସମୟରେ ସେ କହିଥାଆନ୍ତି। ଆଗାମୀ ଦିନରେ ରାଜ୍ୟର ସାମାଜିକ ଏବଂ ରାଜନୀତିରେ ଶ୍ରୀ ମିଶ୍ରଙ୍କର ଭୂମିକା କ’ଣ ରହିବ ଏହା ଉପରେ ସମସ୍ତଙ୍କ ନଜର ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe